ଖିଲାପୀଙ୍କ ସମ୍ପତି ଜବତରେ ସମସ୍ୟା

0
17

ଭୁବନେଶ୍ୱର:ଖିଲାପୀ ଋଣ ଅର୍ଥ ଆଦାୟ କରିବା କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକୁ ଜିଲ୍ଲା ପ୍ରଶାସନ ସାହାଯ୍ୟ ସହଯୋଗ କରୁନାହିଁ । ଫଳରେ ସର୍ଫିଷ୍ଟ ଆଇନ ଅନୁଯାୟୀ ଜିଲ୍ଲାପାଳମାନେ ସେମାନଙ୍କ ଭୂମିକା ନିର୍ବାହ କରୁନଥିବାରୁ ବ୍ୟାଙ୍କଗୁଡ଼ିକ ଋଣ ଅର୍ଥ ଫେରସ୍ତ ପାଇଁ ସମ୍ପତ୍ତି ଜବତ କରିବା କ୍ଷେତ୍ରରେ ସମସ୍ୟାରେ ପଡ଼ୁଛନ୍ତି ।

ଇତିମଧ୍ୟରେ କେନ୍ଦ୍ର ଆର୍ôଥକ ସେବା ବ୍ୟାପାର ସଚିବ ରାଜୀବ କୁମାର ଓଡ଼ିଶା ସରକାରଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବହିତ କରାଇଛନ୍ତି । ଏହି ଗୁରୁତର ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ରାଜ୍ୟ ସରକାରଙ୍କ ମଧ୍ୟ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଖିଲାପୀ ଋଣଗ୍ରହୀତାଙ୍କ ସମ୍ପତି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସର୍ଫିଷ୍ଟ ଆଇନ ଆଧାରରେ ବ୍ୟାଙ୍କ ଖିଲାପୀ ଋଣଗ୍ରହୀତାଙ୍କ ସମ୍ପତ୍ତି ଜିଲ୍ଲାପାଳମାନଙ୍କ ସହାୟତାରେ ଜବତ କରିପାରିବ । ଆଇନର ୧୪ ଧାରା ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଠାରୁ ଏ ସଂକ୍ରାନ୍ତରେ ଅନୁରୋଧପତ୍ର ପାଇବାର ୬୦ ଦିନ ମଧ୍ୟରେ ସମ୍ପତ୍ତି ଜବତ ଲାଗି ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା । କିନ୍ତୁ ଅନ୍ୟୁନ ୨୨୯ଟି ଘଟଣାରେ ବିଭିନ୍ନ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବ୍ୟାଙ୍କଗୁଡ଼ିକର ୩୪୩ କୋଟି ୨୧ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ବକେୟା ଋଣ ଆଦାୟ ହୋଇପାରୁନାହିଁ ।

କେବଳ କଟକ ଜିଲ୍ଲାରେ ପ୍ରାୟ ଶହେ କୋଟି ଟଙ୍କାର ଖିଲାପକାରୀ ସମ୍ପତି ବ୍ୟାଙ୍କମାନେ ଜିଲ୍ଲା ପ୍ରଶାସନର ସହଯୋଗ ଅଭାବରୁ ନିଜ ଦଖଲକୁ ନେଇପାରୁନାହାନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ୮୫ କୋଟି ଟଙ୍କାର ସମ୍ପତି ଜବତ ହେବା ପ୍ରତୀକ୍ଷାରେ ଅଛି । ଖୋର୍ଦ୍ଧା ଜିଲ୍ଲାରେ ବି ୭୧ କୋଟି ଟଙ୍କାର ସମ୍ପତି ଜିଲ୍ଲା ପ୍ରଶାସନଙ୍କ ଶିଥିଳତା ଯୋଗୁ ବ୍ୟାଙ୍କମାନେ ଜବତ କରିପାରିନାହାନ୍ତି ।

ଆଇନାନୁଯାୟୀ ଋଣ ଖିଲାପକାରୀଙ୍କ ବିରୋଧରେ ଓଡ଼ିଶାର ଜିଲ୍ଲା ପ୍ରଶାସନଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବିଭିନ୍ନ ବ୍ୟାଙ୍କ କର୍ତୃପକ୍ଷ ଏ ପ୍ରସଙ୍ଗରେ ଉଭୟ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ବାରମ୍ବାର ଅବଗତ କରାଉଛନ୍ତି ।

ଏହାଛଡ଼ା ସେମାନଙ୍କ କେନ୍ଦ୍ରୀୟ ଦପ୍ତରକୁ ବି ଏହି ପ୍ରସଙ୍ଗ ଜଣାଯାଉଛି । ଏଭଳି ଗୁରୁତର ସମସ୍ୟା କେନ୍ଦ୍ର ସରକାରଙ୍କ ନଜରକୁ ଆସିବା ପରେ ସର୍ଫିଷ୍ଟ ଆଇନର ସଫଳ ପ୍ରୟୋଗ ଲାଗି ଜିଲ୍ଲାପାଳମାନେ ଧ୍ୟାନ ଦେବାକୁ କେନ୍ଦ୍ର ଆର୍ôଥକ ସେବା ବ୍ୟାପାର ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ଏକ ଜାତୀୟକରଣ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଋଣ ଯୋଗାଇଥାନ୍ତି ଏବଂ ସର୍ତ ମୁତାବକ ଋଣଗ୍ରହୀତା ଠିକଣା ସମୟରେ ସୁଧ ସହିତ ଋଣ ଅର୍ଥ ସରଳ କିସ୍ତିରେ ସୁଝିବା କଥା । ଯେଉଁମାନେ ସର୍ତ ଲଙ୍ଘନ କରି ବ୍ୟାଙ୍କରୁ ନେଉଥିବା ଋଣ ସୁଝୁନାହାନ୍ତି ସେମାନଙ୍କ ବିରୋଧରେ ସର୍ତ୍ତ ମୁତାବକ କାର୍ଯ୍ୟାନୁଷ୍ଠାନ ହେବାକଥା ।

ଏଥିଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନଗୁଡ଼ିକ ଠିକଣା ସମୟରେ ବକେୟା ଋଣ ଅର୍ଥ ଆଦାୟ ଲାଗି ସମ୍ପତ୍ତି କାର୍ଯ୍ୟରେ ଆଇନ ମୁତାବକ ସହଯୋଗ ଦେଉନଥିବାରୁ ନୂଆ ଋଣ ପ୍ରଦାନ କ୍ଷେତ୍ରରେ ସମସ୍ୟା ଉପୁଜୁଛି ଏବଂ ଖିଲାପକାରୀଙ୍କ ଥଉପରେ ସୁଧର ବୋଝ ମଧ୍ୟ ବଢ଼ୁଛି ।

LEAVE A REPLY

Please enter your comment!
Please enter your name here