ନୂଆ ଭୋଟରଙ୍କୁ ସ।ମିଲ କରିବାକୁ ନିର୍ଦ୍ଦେଶ

0
85

ଭୁବନେଶ୍ବର:ପ୍ରଥର ଥର ଭୋଟ ଦେବାପାଇଁ ଯୋଗ୍ୟତା ହାସଲ କରିଥିବା ଯୁବକ ଯୁବତୀଙ୍କ ନାମ ଭୋଟର ତାଲିକାରେ ଦରଜପାଇଁ ଭାରତର ନିର୍ବାଚନ କମିଶନ ଗୁରୁତ୍ୱ ଆରୋପ କରୁଥିବାବେଳେ ଜିଲ୍ଲାପାଳମାନେ ଏ ଦିଗରେ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଆସନ୍ତାମାସ ପ୍ରଥମ ସପ୍ତାହରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାବେଳେ ରାଜ୍ୟର ନୂତନ ଯୁବ ଭୋଟରଙ୍କ ନାମ ଯେଭଳି ତାଲିକାରେ ସ୍ଥାନ ପାଇବ ତାହା ନିଶ୍ଚିତ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।

ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି । ପ୍ରଥମ ଥର ପାଇଁ ଭୋଟ ଦେବାକୁ ଥିବା ଯୁବକ ଯୁବତୀଙ୍କ ସହିତ ଭିନ୍ନକ୍ଷମମାନେ ଯେଭଳି ଭୋଟର ତାଲିକାରେ ସହଜରେ ନାମ ଦରଜ କରିପାରିବେ ତାହା ଉପରେ ଶ୍ରୀ କୁମାର ଗୁରୁତ୍ୱଆରୋପ କରିଛନ୍ତି ।

ନିର୍ବାଚନ ପ୍ରକ୍ରିୟାରେ ଯେଭଳି ଭିନ୍ନକ୍ଷମମାନେ ସହଜରେ ସାମିଲ ହୋଇପାରିବେ ସେଥିପାଇଁ ପ୍ରତି ଜିଲ୍ଲାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍‍ଏସ୍‍ଇପିଡି) ବିଭାଗ ପକ୍ଷରୁ ଜଣେ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି କରିବାକୁ କୁହାଯାଇଛି ।

ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ମଧ୍ୟ ବିଭାଗ ପକ୍ଷରୁ ଜଣେ ଜଣେ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯିବ । ଫଳରେ ୧୪୭ ନିର୍ବାଚନ କ୍ଷେତ୍ରରେ ଭିନ୍ନକ୍ଷମମାନଙ୍କ ଲାଗି ଜଣେ ଜଣେ ନୋଡାଲ ଅଫିସର ରହିବେ ।

ନବାଗତ ଭୋଟର ଓ ଭିନ୍ନକ୍ଷମମାନଙ୍କୁ ଭୋଟର ତାଲିକାରେ ଅର୍ନ୍ତଭୁକ୍ତ ଲାଗି ପଞ୍ଚାୟତ ସ୍ତରରେ ସଚେତନତା ମେଳା ଆୟୋଜନ ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଅନୁରୂପ ମେଳା ମଧ୍ୟ ବିଭିନ୍ନ କଲେଜ, ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଆୟୋଜନ କରି ୧୮ବର୍ଷ ବୟସ ହୋଇଥିବା ଯୁବକ ଯୁବତୀଙ୍କୁ ଭୋଟର ତାଲିକାରେ ଅର୍ନ୍ତଭୁକ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଏକ ତାଲିକା ପ୍ରସ୍ତୁତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଫଳରେ ସଚେତନତା କ୍ୟାମ୍ପ ଆୟୋଜନରେ ସୁବିଧା ହେବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡାଯାଇ ପାରିବ ।

ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଯେଭଳି ଭିନ୍ନକ୍ଷମଙ୍କ ଯା ଆସ ଲାଗି ‘ର୍ୟାମ୍ପ୍‍’ ବ୍ୟବସ୍ଥା ହେବ ତାହା ନିଶ୍ଚିତ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ କୁହାଯାଇଛି । ପ୍ରତ୍ୟେକ ର୍ୟାମ୍ପ୍‍ରେ ମଧ୍ୟ ଭିନ୍ନକ୍ଷମଙ୍କ ସୁବିଧା ପାଇଁ ବାଡା (ରେଲିଂ) ରହିବା ଆବଶ୍ୟକ । ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଯଥା ନେହେରୁ ଯୁବସେବା କେନ୍ଦ୍ର, ଏନ୍‍ଏସ୍‍ଏସ୍‍ର ସଦସ୍ୟମାନଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବାର ଆବଶ୍ୟକତା ରହିଛି ।

ଏହିଭଳି ସଂସ୍ଥା ଓ ସ୍ୱେଚ୍ଛାସେବୀମାନଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବା ପୂର୍ବରୁ ସେମାନଙ୍କ ରାଜନୈତିକ ସଂଶ୍ଳିଷ୍ଟତା ପରଖିବା ସହିତ ଅଣରାଜନୈତିକ ସ୍ୱେଚ୍ଛାସେବୀମାନଙ୍କୁ ଏଥିରେ ନିୟୋଜିତ କରାଯିବାର ଯୋଜନା ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here