ଗୁଟ୍‍ଖା ପରେ ସନ୍ଦେହରେ ପ୍ଲାଷ୍ଟିକ ନିଷେଧ ଆଇନ

0
79

ଭୁବନେଶ୍ବର:ପ୍ଲାଷ୍ଟିକ୍‍ ନିଷିଦ୍ଧ ପାଇଁ ରାଜ୍ୟ ସରକାର ଯେଉ ଘୋଷଣା କରିଛନ୍ତି ତାହାର ଠିକଣା ଅନୁପାଳନ ଘେନି ବିଭିନ୍ନ ମହଲରେ ଏବେ ବି ସନ୍ଦେହ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶାର ୫ଟି ଯାକ ମହାନଗର ନିଗମ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ପ୍ରଥମ ପର୍ଯ୍ୟାୟରେ ପ୍ଲାଷ୍ଟିକ୍‍ ନିଷିଦ୍ଧ ହେବ ଏବଂ ପରେ ଦୁଇ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ଏହି ନିଷିଦ୍ଧାଦେଶ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଛି ।

ମହାରାଷ୍ଟ୍ରରେ ଗତ ଜୁନ୍‍ ୨୩ ତାରିଖରୁ ପ୍ଲାଷ୍ଟିକ୍‍ ନିଷିଦ୍ଧ ହୋଇଛି । ଏହି ନିଷିଦ୍ଧାଦେଶ ଅବମାନନାକାରୀଙ୍କୁ ପ୍ରଥମ ଅପରାଧ ପାଇଁ ୫ ହଜାର ଟଙ୍କା ଓ ପରବର୍ତ୍ତୀ ଅପରାଧ ପାଇଁ ୧୦ ହଜାରରୁ ୨୫ ହଜାର ଟଙ୍କା ଜରିମାନା ସହ ୩ ମାସ ଜେଲଦଣ୍ଡ ବ୍ୟବସ୍ଥା ଅଛି । ଉତ୍ତରପ୍ରଦେଶ ସରକାର ବି ଗତ ଜୁଲାଇ ୧୫ ତାରିଖରୁ ପ୍ଲାଷ୍ଟିକ୍‍ ନିଷିଦ୍ଧ କରିଛନ୍ତି ।

ପ୍ଲାଷ୍ଟିକ୍‍ ବ୍ୟବହାର ଦିନକୁ ଦିନ ବଢ଼ି ଚାଲୁଥିବା ବେଳେ ଏହା ପ୍ରଦୂଷଣର ମୁଖ୍ୟ କାରଣ ହେଉଛି । ଏମିତିକି ସହରାଞ୍ଚଳରେ ସ୍ୱେରେଜ୍‍ ଓ ଡ୍ରେନେଜ୍‍ଗୁଡ଼ିକରେ ପଲିଥିନ୍‍ ଭଳି ପଦାର୍ଥ ବ୍ୟାପକ ମାତ୍ରାରେ ଜମା ହେବା ଯୋଗୁ ପାଣି ଖଲାସ ହୋଇପାରୁନାହିଁ । ଗଡ଼ିଆ ପୋଖରୀରୁ ଆରମ୍ଭ କରି ନଦୀ ନଦ ଏପରିକି ସମୁଦ୍ରରେ ମଧ୍ୟ ଟନ୍‍ ଟନ୍‍ ପ୍ଲାଷ୍ଟିକ୍‍ ପଦାର୍ଥ ଜମି ରହୁଛି । ପରିତ୍ୟକ୍ତ ପଲିଥିନ୍‍ ଖାଇ ଅନେକ ଗାଈ ଷଣ୍ଢ ଆଦି ବି ମରୁଛନ୍ତି ।

ବହୁ ସ୍ଥାନରେ ଏଗୁଡ଼ିକୁ ଲୋକେ ଜାଳି ନଷ୍ଟ କରିବା ବେଳେ ସେଥିରୁ ଯେଉଁ ଧୂଅାଁ ବାହାରୁ ତାହା କ୍ୟାନସର୍‍ ଭଳି ମାରାତ୍ମକ ରୋଗର ବାହକ ହେଉଛି । ନିମ୍ନମାନର ପଲିଥିନ୍‍ରେ ଅଣାଯାଉଥିବା ଖାଦ୍ୟ ସାମଗ୍ରୀରେ ବିଷାକ୍ତ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇ ସାଙ୍ଘାତିକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜୁଛି । ଏ ପରିପ୍ରେକ୍ଷୀରେ କେବଳ ଓଡ଼ିଶାରେ କାହିଁକି ଭାରତ ସମେତ ସମଗ୍ର ବିଶ୍ୱରେ ପ୍ଲାଷ୍ଟିକ୍‍, ପଲିଥିନ୍‍ ଆଦି ନିଷିଦ୍ଧ ହେଲେ ଲୋକେ ବହୁ ବିପଦରୁ ରକ୍ଷା ପାଇଯାଆନ୍ତେ ।

ଏହି ନିଷିଦ୍ଧ ସାମଗ୍ରୀର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହାର ଉତ୍ପାଦନ ଓ ବିପଣନକୁ ମଧ୍ୟ ନିଷିଦ୍ଧ କରାଯିବା ଆବଶ୍ୟକ ବୋଲି ପରିବେଶ୍‍ବିତ୍‍ମାନେ ମତ ଦେଉଛନ୍ତି । ନ ହେଲେ ଅତୀତରେ ପଲିଥିନ୍‍, ଗୁଟ୍‍ଖା ଓ ପାନମସଲା ଆଦିକୁ ରାଜ୍ୟ ସରକାର ନିଷିଦ୍ଧ କରିବା ପରେ ତାହା ଯେପରି ବ୍ୟାପକ ଭାବରେ ଚାଲୁଛି ସେହିଭଳି ପ୍ଲାଷ୍ଟିକ୍‍ ନିଷିଦ୍ଧାଦେଶ ହେବାର ସମ୍ଭାବନା ରହିଛି ।

୨୦୧୩ ଜାନୁଆରୀ ମାସରେ ରାଜ୍ୟ ସରକାର ନିକୋଟିନ୍‍ ଓ ତମାଖୁଯୁକ୍ତ ପାନମସଲା, ଗୁଟ୍‍ଖା ଆଦିର ବ୍ୟବହାର, ବିପଣନ ଓ ଉତ୍ପାଦନ ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ । ଏହାଛଡ଼ା ଶିକ୍ଷାନୁଷ୍ଠାନ ନିକଟରେ ପାନ, ବିଡ଼ି, ସିଗାରେଟ୍‍ ଆଦି ବିକ୍ରୟ କରାଯାଇପାରିବ ନାହିଁ ବୋଲି କୋଟ୍‍ପା ଆଇନ୍‍ରେ ବ୍ୟବସ୍ଥା ଅଛି ।

ସର୍ବସାଧାରଣ ସ୍ଥାନରେ ଧୂମପାନକୁ ବି ଆଇନତଃ ନିଷିଦ୍ଧ କରାଯାଇଛି । କିଛିବର୍ଷ ତଳେ ରାଜଧାନୀରେ ସହରାଞ୍ଚଳ ପୋଲିସ ଆଇନ୍‍ ଅନୁଯାୟୀ ଖୋଲା ରାସ୍ତାରେ ଧୂମପାନ କରୁଥିବା ଲୋକଙ୍କ ଧରି ଜରିମାନା କରାଯାଉଥିଲା । କିନ୍ତୁ କିଛିବର୍ଷ ଏହି ଅଭିଯାନ ଚାଲିବା ପରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ବିଡି, ସିଗାରେଟ୍‍ ସହିତ ରାଜଧାନୀ ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନମାନଙ୍କରେ ଗଞ୍ଜେଇ, ଚରସ୍‍, ବ୍ରାଉନ୍‍ ସୁଗାର ଆଦି ବିପଦଜ୍ଜନକ ନିଶା ସାମଗ୍ରୀ ବ୍ୟାପକ ପରିମାଣରରେ ଚାଲୁଛି । କେବଳ ସେତିକି ନୁହେଁ ମଦ ବ୍ୟବହାର ଉପରେ ଥିବା କଟକଣା ବି ବାଟମଣା ହୋଇଯାଇଛି । ଅତୀତରେ ରାଜ୍ୟ ସରକାର ପଲିଥିନ୍‍ ଉପରେ କଟକଣା ଜାରି କରିଥିଲେ ମଧ୍ୟ ତାହା ଏବେ କାର୍ଯ୍ୟକାରୀ ହେଉନାହିଁ ।

ଏ ପରିପ୍ରେକ୍ଷୀରେ ପ୍ଲାଷ୍ଟିକ୍‍ ସମେତ ପଲିଥିନ୍‍, ଗୁଟ୍‍ଖା, ବିଡି, ସଗାରେଟ୍‍, ତମାଖୁ ଓ ନିକୋଟିନ୍‍ ଜାତୀୟ ସାମଗ୍ରୀ ଏବଂ ଆଲ୍‍କହଲ୍‍ର ବ୍ୟବହାର, ବିତରଣ, ବ୍ୟବସାୟ ଓ ଉତ୍ପାଦନ ଉପରେ କଠୋର ନିଷିଦ୍ଧାଦେଶ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରୁ ଦାବି ଉଠୁଛି ।

LEAVE A REPLY

Please enter your comment!
Please enter your name here