କେରଳ ବନ୍ୟାକୁ ‘ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ’ ଘୋଷଣା କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

0
147
ନୂଆଦିଲ୍ଲୀ: କେରଳ ବନ୍ୟାକୁ ସୋମବାର ‘ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ’ ଘୋଷଣା କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। କିନ୍ତୁ ଜାତୀୟ ବିପର୍ଯ୍ୟୟ ଘୋଷଣା ଦାବିକୁ ଅଗ୍ରାହ୍ୟ କରିଛି କେନ୍ଦ୍ର। ବନ୍ୟାର ପ୍ରଳୟଙ୍କରୀ ରୂପ, ଧନଜୀବନ ହାନି ଏବଂ ଭୂସ୍ଖଳନର ପ୍ରକୋପ ଦେଖି ଏହାକୁ ‘ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ’ ବର୍ଗରେ ରଖାଯାଇଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ବିଶେଷକରି ଗତ ଏକ ସପ୍ତାହ ମଧ୍ୟରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ବନ୍ୟା ଯୋଗୁ ଅଗଷ୍ଟ ୮ରୁ ଏପର୍ଯ୍ୟନ୍ତ ୨୧୬ ଜଣ ପ୍ରାଣ ହରାଇଥିବାବେଳେ ସାଢ଼େ ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାସହରା ହୋଇ ପଡ଼ିଛନ୍ତି। ୫,୬୪୫ ସରକାରୀ ଆଶ୍ରୟସ୍ଥଳୀ ସେମାନଙ୍କ ସାହାରା ପାଲଟିଛି ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଯେତେବେଳେ କୌଣସି ପ୍ରାକୃତିକ ବିପର୍ଯ୍ୟୟକୁ ଭୟଙ୍କର ବୋଲି ଘୋଷଣା କରାଯାଏ, ସେତେବେଳେ ରାଜ୍ୟକୁ କେନ୍ଦ୍ର ସ୍ତରରୁ ସହାୟତା ମିଳିଥାଏ।
 ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)ରୁ ରାଜ୍ୟକୁ ଅତିରିକ୍ତ ସହଯୋଗ ଯୋଗାଇଦେବା ଲାଗି କେନ୍ଦ୍ର ସରକାର ଚିନ୍ତା କରୁଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ହେବା ପରେ ରାଜ୍ୟ ପାଇଁ ଏକ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠି (ସିଆର୍‌ଏଫ୍‌) ଗଠନ କରାଯାଇଥାଏ। ଏଥିରେ କେନ୍ଦ୍ର ଏବଂ ରାଜ୍ୟର ସହଯୋଗ ମାତ୍ରା ୩:୧ ରହିଥାଏ। ସିଆର୍‌ଏଫ୍‌ର ସମ୍ବଳ ପର୍ଯ୍ୟାପ୍ତ ନ ହେଲେ ଜାତୀୟ ବିପର୍ଯ୍ୟୟ ଜରୁରିକାଳୀନ ପାଣ୍ଠି (ଏନ୍‌ସିସିଏଫ୍‌)ରୁ ଅର୍ଥ ଯୋଗାଇ ଦିଆଯାଇଥାଏ। ଏହାସହ କ୍ଷତିଗ୍ରସ୍ତ ଲୋକଙ୍କୁ ଋଣ ଛାଡ଼ କରାଯିବା ସାଙ୍ଗକୁ ନୂଆ କରି ଋଣ ମଧ୍ୟ ଯୋଗାଇ ଦିଆଯାଇଥାଏ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଏ.ଭି. ଧର୍ମା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃ ମନ୍ତ୍ରଣାଳୟ ଟିମ୍‌ ଅଗଷ୍ଟ ୮ରେ କେରଳ ଗସ୍ତକରି ବନ୍ୟା କ୍ଷୟକ୍ଷତି ଆକଳନ କରିଥିଲେ। ତେବେ ଏଭଳି ଆନ୍ତଃ ମନ୍ତ୍ରଣାଳୟ ଟିମ୍‌ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସ୍ଥଳକୁ ଗସ୍ତକଲେ ଏହାକୁ ଆପେ ଆପେ ଭୟଙ୍କର ବୋଲି ବିବେଚନା କରାଯାଇଥାଏ।
ସେପଟେ କେରଳ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା ନେଇ ହୋଇଥିବା ଦାବିକୁ କେନ୍ଦ୍ର ସରକାର ଅସ୍ବୀକାର କରିଛନ୍ତି। ଏଥିଲାଗି କୌଣସି ବ୍ୟବସ୍ଥା ନାହିଁ ବୋଲି ସୋମବାର କେରଳ ହାଇକୋର୍ଟରେ କେନ୍ଦ୍ର ସରକାର ପକ୍ଷ ରଖିଛନ୍ତି। ଜାତୀୟ ବିପର୍ଯ୍ୟୟ ଘୋଷଣା ଦାବିରେ କେରଳ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା। ଏହାର ଜବାବରେ ସତ୍ୟପାଠ ଜରିଆରେ ହାଇକୋର୍ଟ ଆଗରେ କେନ୍ଦ୍ର ସରକାର କହିଛନ୍ତି ଯେ, କେରଳ ବନ୍ୟା ସ୍ଥିତିକୁ ଜଟିଳ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଦେଖାଯାଉଛି। ଏହାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ନିୟମାବଳୀରେ ‘ତୃତୀୟ ସ୍ତରୀୟ ବିପର୍ଯ୍ୟୟ’ ବର୍ଗ (ଲେଭେଲ୍‌ ୩ କାଲାମିଟି)ରେ ରଖାଯାଇଛି। ବିପର୍ଯ୍ୟୟ ଯେତେ ବଡ଼ ହେଉ ନା କାହିଁକି, ବ୍ୟକ୍ତିବିଶେଷଙ୍କ ଦାବିରେ କୌଣସି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here