ସନ୍ଦେହ ଘେରରେ ଶ୍ରୀମନ୍ଦିର ସମ୍ପତ୍ତି

0
70

ଭୁବନେଶ୍ୱର: ପୁରୀ ମନ୍ଦିରକୁ ନେଇ ଦିନକୁ ଦିନ ସ।ଘଂ।ତିକ ତଥ୍ୟ ପଦ।କୁ ଆସୁଥିବା ବେଳେ ସୁପ୍ରିମ୍‍କୋର୍ଟଙ୍କ ହସ୍ତକ୍ଷେପ ପରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ସଂସ୍କାର ଲାଗି ତତ୍ପରତା ପ୍ରକାଶ ପାଉଥିବାବେଳେ ଏହି କାମପାଇଁ ରାଜ୍ୟ ସରକାର ବସାଇଥିବା ସଂସ୍କାର କମିଶନର ସୁପାରିଶ୍‍ ଓ ସ୍ଥିତି ଘେନି ପ୍ରଶ୍ନବାଚୀ ସୃଷ୍ଟିହୋଇଛି । କେବଳ ସେତିକି ନୁହେଁ ଶ୍ରୀମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କେତେଦୂର ସୁରକ୍ଷିତ ତାହା ବି ସନ୍ଦେହ ଘେରରେ । ରାଜ୍ୟର ୨୩ଟି ଜିଲ୍ଲାରେ ଶ୍ରୀମନ୍ଦିରର ୬୦,୪୧୦ ଏକରରୁ ଅଧିକ ପରିମାଣର ଜମି ଥିବା ଚିହ୍ନଟ କରାଯାଇଥିବାବେଳେ ସେଥିରୁ ମାତ୍ର ୩୩,୭୫୫ ହେକ୍ଟର ଜମିର ସଂଶୋଧିତ ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଛି । ଏହାଛଡା ଓଡିଶା ବାହାରେ ୬ଟି ରାଜ୍ୟରେ ବି ଶ୍ରୀମନ୍ଦିରର ପ୍ରାୟ ୪୦୦ ଏକର ଜମିଥିବା ଚିହ୍ନଟ କରାଯାଇଛି ।

ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଆଉ ଅଧିକ ଚିହ୍ନଟ ହୋଇନଥିବା ଜମି ଥିବା ଆଶଙ୍କା କରାଯାଉଛି । ଏତେ ପରିମାଣର ଭୂସମ୍ପତ୍ତି ଥିବାବେଳେ ରାଜଭାଗ ବାବଦକୁ ଶ୍ରୀମନ୍ଦିର ପ୍ରଶାସନ ବର୍ଷକୁ କୋଟିଏ ଟଙ୍କା ବି ପାଉନାହିଁ । ଅନେକ ସ୍ଥାନରେ ଶ୍ରୀମନ୍ଦିର ଜମି ଜବରଦଖଲକାରୀଙ୍କ କବ୍‍ଜାରେ । ଗତ ୧୮ବର୍ଷ ମଧ୍ୟରେ ଶ୍ରୀମନ୍ଦିରର ୩୦୦ ଏକରରୁ ଉଦ୍ଧ୍ୱର୍ ପରିମାଣର ଜମି ପ୍ରାୟ ୧୦କୋଟି ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି । ଶ୍ରୀମନ୍ଦିର ପରିଚାଳନା ପାଇଁ ଅତିରିକ୍ତ ଶାସନ ସଚିବ ପାହ୍ୟାର ମୁଖ୍ୟ ପ୍ରଶାସକଙ୍କ ଠାରୁ ଆରମ୍ଭକରି ଜିଲ୍ଲାପାଳ ଓ ବହୁ ବରିଷ୍ଠ ଅଧିକାରୀ ସଦସ୍ୟ ଅଛନ୍ତି । ଏହା ସତ୍ୱେ ଶ୍ରୀମନ୍ଦିର ପାଇଁ ରାଜାରାଜୁଡା ଅଞ୍ଚଳରୁ ଏବଂ ପରବର୍ତ୍ତୀ ସମୟରେ ଭକ୍ତମାନେ ଦାନ କରିଥିବା ଜମି ସବୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅବସ୍ଥାରେ ନାହିଁ ।

ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଏବେ କେତେ ମୂଲ୍ୟର ସମ୍ପତ୍ତି ଗଚ୍ଛିତ ରହିଛି ତାହାର ସଠିକ୍‍ ବିବରଣୀ କାହା ପାଖରେ ବି ନାହିଁ । ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗରେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାରର ସ୍ଥିତି ପରଖିବା କଥା ଉଠିଲା ବେଳକୁ ଗତ ଏପ୍ରିଲ ମାସରେ ଜଣାପଡିଲା ଯେ ରତ୍ନଭଣ୍ଡାରର ଚାବି ହଜିଯାଇଛି । ପରେ ନାଟକୀୟ ଭାବେ ପୁରୀ କଲେକ୍ଟରିଏଟ୍‍ର ରେକର୍ଡ ରୁମ୍‍ରୁ ଡୁପ୍ଲିକେଟ୍‍ ଚାବି ମିଳିଥିବା କୁହାଗଲା । ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ସେଥିରେ ମୂଲ୍ୟବାନ୍‍ ପଥର ସହିତ ୧୨,୮୩୧ ଭରି ଏକ ଅଣା ଓଜନର ସୁନା ଓ ୨୨,୧୫୩ ଭରିର ରୂପା ସାମଗ୍ରୀ ଥିବା ହିସାବ କରାଯାଇଥିଲା । ଏହାଛଡା ବିଭିନ୍ନ କାରଣରୁ ସେତେବେଳେ ଆଉ ୧୪ଟି ସୁନା ଓ ରୂପା ଜିନିଷ ଓଜନ କରାଯାଇ ପାରିନଥିଲା । ବିଭିନ୍ନ ଆଳ ଦେଖାଇ ଏଯାବତ୍‍ ରତ୍ନଭଣ୍ଡାର ଖୋଲାଯାଉନାହିଁ କି ସେଥିରେ ଥିବା ସାମଗ୍ରୀର ଆକଳନ ୪୦ବର୍ଷ ଧରି ହେଉନାହିଁ ।

ଶ୍ରୀମନ୍ଦିରରେ କେତେ ଟଙ୍କାର ଅଳଙ୍କାର ରହିଛି ଓ ଏହାର ଚିହ୍ନଟ ଜମିର ମୂଲ୍ୟ କେତେ ହେବ ସେ ହିସାବ କରିବାକୁ ବି କାହାର ସମୟ ନାହିଁ । ମନ୍ଦିର ପରିସରରେ ଭକ୍ତମାନଙ୍କୁ ଦୁର୍ବବ୍ୟହାର କରାଯାଉଥିବା ପରିପ୍ରେକ୍ଷୀରେ ସୁପ୍ରିମ୍‍କୋର୍ଟରେ ରୁଜୁ ଏକ ମାମଲାରେ ସଂସ୍କାର ପାଇଁ କୋର୍ଟ ନିଜଆଡୁ କହିଛନ୍ତି । ଏ ସଂକ୍ରାନ୍ତରେ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ଜଜ୍‍ କେତେକ ଉପାଦେୟ ପ୍ରସ୍ତାବ ଦେଇଛନ୍ତି । ସୁପ୍ରିମ୍‍କୋର୍ଟ ବି ଏହାର ଅନଧ୍ୟାନଲାଗି ଆମିକସ୍‍କ୍ୟୁରୀ ନିଯୁକ୍ତ କରିଛନ୍ତି । ସୁପ୍ରିମ୍‍କୋର୍ଟଙ୍କ ଆଦେଶ ପ୍ରତିପାଳନ ପରିପ୍ରେକ୍ଷୀରେ ଏବେ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସଂସ୍କାର କଥା କୁହାଯାଉଛି ।

କିନ୍ତୁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ବି.ପି.ଦାସଙ୍କ ଅଧ୍ୟକ୍ଷତାରେ ବସାଯାଇଥିବା କମିଶନ ଦୁଇଟି ଅନ୍ତରୀଣ ରିପୋର୍ଟ ଦେଇଥିବାବେଳେ ୧୩ହଜାରରୁ ଅଧିକ ସତ୍ୟପାଠକୁ ଆଧାରକରି ଚୂଡାନ୍ତ ରିପୋର୍ଟ ଦେବାଲାଗି ଅଧିକ ସମୟ ଚାହିଁଥିଲେ ବି ସରକାର ଗୋଟିଏ ପଟେ କାର୍ଯ୍ୟକାଳ ନବଢାଇ ଏ ବିଷୟ ବିଚାରାଧିନ ରହିଛି ବୋଲି କହିବା ପରିପ୍ରେକ୍ଷୀରେ ଏହି କମିଶନ ଅଧାର ଏକ ପ୍ରକାର ଅଚଳ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here