ସାତକୋଶିଆରେ ‘ସୁନ୍ଦରୀ’ ବୁଲିବ

0
64

ଅନୁଗୁଳ:  ସାତକୋଶିଆ ଅଭୟାରଣ୍ୟରେ ବୁଲିବ ବାନ୍ଧବ ଗଡ଼ର ବାଘୁଣୀ ସୁନ୍ଦରୀ । ଗତ ଜୁନ ୨୮ରେ ମଧ୍ୟ ପ୍ରଦେଶରେ ଆସିଥିବା ଏହି ବାଘୁଣୀକୁ ଏନକ୍ଲୋଜରରୁ ବାହାର କରାଯାଇ ଜଙ୍ଗଲ ମଧ୍ୟକୁ ଛଡାଯାଇଛି । ମୁଖ୍ୟ ବନ୍ୟ ସଂରକ୍ଷକ (ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ଖୋଲା ବିଚରଣ କରିବା ଲାଗି ଅଭୟାରଣ୍ୟକୁ ଛଡ଼ା ଯାଇଛି ।

ଭାରତୀୟ ବନ୍ୟଜନ୍ତୁ ଅନୁଷ୍ଠାନ ଓ ବିଶେଷଜ୍ଞ ଦଳ ଜଙ୍ଗଲ ଭିତରେ ସୁନ୍ଦୀରର ଚଳପ୍ରଚଳ ଉପରେ ୨୪ ଘଣ୍ଟିଆ ନଜର ରଖିବେ । ସୂଚନାଯୋଗ୍ୟ, ଗତ ଜୁନ ୨୧ ତାରିଖରେ ମଧ୍ୟ ପ୍ରଦେଶର କହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ଅଣ୍ଡିରା ବାଘ ସାତକୋଶିଆକୁ ଅଣାଯାଇଥିବା ବେଳେ ଜୁନ ୨୮ରେ ବାନ୍ଧବଗଡ ଜଙ୍ଗଲରୁ ଆଉ ଏକ ବାଘୁଣୀ ଆଣାଯାଇଥିଲା । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଏବଂ ମଧ୍ୟ ପ୍ରଦେଶ ବନ୍ୟପ୍ରଣୀ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଜୁନ୍ ୨୭ରେ ବାନ୍ଧବଗଡ ବ୍ୟାଘ୍ର ଅଭୟାରଣ୍ୟରୁ ପୂର୍ବରୁ ଚିହ୍ନଟ ହୋଇଥିବା ୨୭ ମାସର ବାଘୁଣୀ ସୁନ୍ଦରୀ (ଟି-୪୧୨)କୁ ଟ୍ରାଙ୍କୁଲାଇଜ କରାଯାଇଥିଲା ।

ଏହି ଅଭିଯାନରେ ବନ ବିଭାଗ ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସାମିଲ ଥିଲେ । ଟ୍ରାଙ୍କୁଲାଇଜ ପରେ ଉକ୍ତ ବାଘକୁ ସାତକୋଶିଆ ଅଣାଯାଇଥିଲା । ସେଠାରେ ପହଞ୍ଚିବା ପରେ ବାଘୁଣୀକୁ ଏକ ସ୍ୱତନ୍ତ୍ର ଏନକ୍ଲୋଜର ମଧ୍ୟରେ ରଖାଯାଇଥିଲା । ଏହାର ଗତିବିଧି ଅନୁଧ୍ୟାନ କରିବା ଲାଗି ସମ୍ପୂର୍ଣ୍ଣ ଏନକ୍ଲୋଜରକୁ ସିସିଟିଭି କ୍ୟାମେରା ଲଗାଯାଇଥିଲା । ସମଗ୍ର ଦେଶରେ ଅନ୍ତଃରାଜ୍ୟ ବାଘ ପରିବହନରେ ଏହା ପ୍ରଥମ ଘଟଣା । ବାଘୁଣୀଟି ଓଡିଶାର ଜଳବାୟୁ ସହ ଖାପଖୁଇବା ପରେ ତାକୁ ଶୁକ୍ରବାର ଅପରାହ୍ନରେ ଖୋଲା ବିଚରଣ କରିବା ଲାଗି ଜଙ୍ଗଲ ମଧ୍ୟକୁ ଛଡା ଯାଇଛି ।

LEAVE A REPLY

Please enter your comment!
Please enter your name here