ମାନବ ଅଧିକାର କମିଶନ ଅଚଳ

0
92

ଭୁବନେଶ୍ୱର:ଲୋକପାଳ ଭଳି ଓଡ଼ିଶା ରାଜ୍ୟ ମାନବିକ ଅଧିକାର କମିଶନ ଏବେ ଅଚଳ ହୋଇପଡ଼ିଛି । ଏହି ଦୁଇଟି ସଂସ୍ଥାରେ କେହି ଅଧ୍ୟକ୍ଷ କି ସଦସ୍ୟ ନାହାନ୍ତି । ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା କେବେ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସେ ସଂକ୍ରାନ୍ତରେ ବି କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଜଷ୍ଟିସ୍‍ ପି.କେ ପାତ୍ରଙ୍କ ବିୟୋଗ ପରେ ୨୦୧୩ ଜାନୁଆରୀ ୨୩ ତାରିଖରେ ଓଡ଼ିଶାର ଲୋକପାଳ କେହି ନାହାନ୍ତି । ପୁରୁଣା ଆଇନ୍‍କୁ ବଦଳାଇ ରାଜ୍ୟ ସରକାର ପ୍ରଣୟନ କରିଥିବା ଓଡ଼ିଶା ଲୋକାୟୁକ୍ତ ଆଇନ୍‍-୨୦୧୪ ପ୍ରାୟ ତିନି ବର୍ଷ ତଳୁ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନ୍‍ରେ ପରିଣତ ହୋଇଛି ।

ଏବେ ସୁପ୍ରିମ୍‍କୋର୍ଟ ଓଡ଼ିଶା ସମେତ ସମଗ୍ର ଦେଶରେ ଲୋକପାଳ ଓ ଲୋକାୟୁକ୍ତ ସଂସ୍ଥାଗୁଡ଼ିକୁ ସକ୍ରିୟ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସୁପ୍ରିମ୍‍କୋର୍ଟରେ ସତ୍ୟପାଠ ଦାଖଲ ହୋଇଛି ।

ନୂଆ ଆଇନ୍‍ର ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାରେ ଲୋକପାଳ ପରିବର୍ତ୍ତେ ବହୁ ସଦସ୍ୟ ବିଶିଷ୍ଟ ଲୋକାୟୁକ୍ତ ଗଠନ କରାଯିବା କଥା । ଏଥିରେ ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ସମେତ ବିଭିନ୍ନ ବର୍ଗର ଅନୁଭବୀ ବ୍ୟକ୍ତିଙ୍କୁ ସ୍ଥାନ ଦେବା ପାଇଁ ବ୍ୟବସ୍ଥା ଅଛି ।

କିନ୍ତୁ ଆଇନ୍‍ ପ୍ରଣୀତ ହେବାର ଦୀର୍ଘ ବର୍ଷ ପରେ ବି ଲୋକାୟୁକ୍ତ ଗଠନ କରାଯାଇପାରିନଥିବା ବେଳେ ବିନା କାମରେ ଲୋକପାଳ ଦପ୍ତର ପାଇଁ ସରକାରୀ ରାଜକୋଷରୁ ୩ କୋଟିରୁ ଅଧିକ ଟଙ୍କା ବରବାଦ ହୋଇସାରିଲାଣି ।

ରାଜ୍ୟ ମାନବିକ ଅଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ଅବସରପ୍ରାପ୍ତ ବିଚାରପତି ବୀରକିଶୋର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତ ମାସ ୧୬ ତାରିଖରୁ ପୂରି ଯାଇଛି । ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

ଓଡ଼ିଶା ରାଜ୍ୟ ମାନବିକ ଅଧିକାର କମିଶନ ଲାଗି ଗୋଟିଏ ମଞ୍ଜୁରୀପ୍ରାପ୍ତ ଅଧ୍ୟକ୍ଷ ଓ ଦୁଇଟି ମଞ୍ଜୁରୀପ୍ରାପ୍ତ ସଦସ୍ୟ ପଦବୀ ରହିଛି । ସଦସ୍ୟମାନଙ୍କ ମଧ୍ୟରୁ ବିଚାର ବିଭାଗୀୟ ଓ ସାମାଜିକ କର୍ମୀ ରହିବା କଥା । କିନ୍ତୁ ଏଯାବତ୍‍ ଏହି ସଂସ୍ଥାରେ କୌଣସି ସାମାଜିକ କର୍ମୀଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇନାହିଁ ।

ଅବସରପ୍ରାପ୍ତ ପ୍ରଧାନ ବିଚାରପତି ରାଧାକୃଷ୍ଣ ପାତ୍ର ଓଡ଼ିଶା ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ଥିଲେ । ତାଙ୍କ କାର୍ଯ୍ୟକାଳ ପୂରିଯିବା ପରେ ୨୦୧୨ ଡିସେମ୍ବର ୨୪ ତାରିଖରେ ଅଧ୍ୟକ୍ଷ ପଦବୀ ଖାଲିପଡ଼ିଛି । ଅବସରପ୍ରାପ୍ତ ଆଇଏଏସ୍‍ ଆର୍‍.ଏନ୍‍ ବହିଦାର ୨୦୧୬ ପର୍ଯ୍ୟନ୍ତ ମାନବିକ ଅଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ ।

ତାଙ୍କ ପରେ ଜଷ୍ଟିସ୍‍ ବୀରକିଶୋର ମିଶ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ । ଏହି କମିଶନ୍‍ର ଅନ୍ୟତମ ସଦସ୍ୟ ଭାବେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ବି.କେ ପଟ୍ଟନାୟକଙ୍କୁ ସରକାର ନିଯୁକ୍ତି ଦେଇଥିଲେ । କିନ୍ତୁ ସେ ଇସ୍ତଫା ଦେଇ ଚାଲିଯିବା ପରେ ଆଉ କେହି ସଦସ୍ୟ ନାହାନ୍ତି ।

ଗତବର୍ଷ ମାର୍ଚ୍ଚ ୧୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ କୁହାଯାଇଥିଲା ଯେ ରାଜ୍ୟ ମାନବିକ ଅଧିକାର କମିଶନର ଖାଲି ପଡ଼ିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦବୀଗୁଡ଼ିକ ପୂରଣ କରିବା ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧିନ ରହିଛି ।

କିନ୍ତୁ ଇତିମଧ୍ୟରେ ପ୍ରାୟ ୧୭ ମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏଠାରେ ଅଧ୍ୟକ୍ଷ କିମ୍ବା ସଦସ୍ୟ ଭାବେ କାହାକୁ ନିଯୁକ୍ତି ଦିଆଯାଇନଥିବାରୁ ରାଜ୍ୟ ମାନବିକ ଅଧିକାର କମିଶନ ଏବେ ସମ୍ପୂର୍ଣ୍ଣ ଅଚଳ ।

କିନ୍ତୁ ଏହି ଦପ୍ତର ପରିଚାଳନା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ମାନବିକ ଅଧିକାର ଲଙ୍ଘନ ପ୍ରସଙ୍ଗରେ ଏଣିକି ଓଡ଼ିଆ ଲୋକଙ୍କୁ କେନ୍ଦ୍ର ମାନବିକ ଅଧିକାର କମିଶନର ଦ୍ୱାରସ୍ଥ ହେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here