ଦିଗହର। ସରକାରୀ ବିଦ୍ୟାଳୟର କମ୍ପୁଟର ଶିକ୍ଷା

0
134

ଭୁବନେଶ୍ବର:ରାଜ୍ୟର ପ୍ରାୟ ୪ହଜାର ବିଦ୍ୟାଳୟରେ ଚଳାଯାଉଥିବା କମ୍ପ୍ୟୁଟର ଶିକ୍ଷା ଏକପ୍ରକାର ବାଟବଣା ହୋଇଯାଇଛି । କମ୍ପ୍ୟୁଟର ଶିକ୍ଷାପାଇଁ ନିଯୁକ୍ତ ଶିକ୍ଷକମାନେ ସମ୍ପୃକ୍ତ ବିଦ୍ୟାଳୟରେ କିରାଣୀ କାମ କରୁଥିବାବେଳେ କୋଟି କୋଟି ଟଙ୍କାର କମ୍ପୁଟର ସାମଗ୍ରୀ ପାଠପଢା କାମରେ ଲାଗିପାରୁନାହିଁ ।

୨୦୧୪-୧୫ ଶିକ୍ଷା ବର୍ଷରୁ ରାଜ୍ୟର ୪ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପ୍ରକଳ୍ପ ଆରମ୍ଭ ହୋଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଏହି ଆଇସିଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଏହାକୁ ଚଳାଉଥିବା ସଂସ୍ଥାମାନେ ବିଭିନ୍ନ ପର୍ଯ୍ୟାୟରେ ୫୦୦କୋଟି ଟଙ୍କାରୁ ଅଧିକ ଅର୍ଥ ପାଇବେ ।

ହେଲେ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା ବିଦ୍ୟାଳୟ ସଂଯୋଜକମାନେ ସିଧାସଳଖ ନିଯୁକ୍ତ ହୋଇନାହାନ୍ତି କିମ୍ବା ସେମାନଙ୍କୁ କୌଣସି ସେବା ଯୋଗାଣକାରୀ ସଂସ୍ଥା ମାଧ୍ୟମରେ ନିୟୋଜନ କରାଯାଇନାହିଁ ।

ରାଜ୍ୟ ସରକାରଙ୍କ ଅଂଶୀକୃତ ସଂସ୍ଥା ଓକେସିଏଲ୍‍କୁ ଏହାର ପରିଚାଳନା ପାଇଁ ନିୟୋଜିତ କରାଯାଇଛି । ଏହି ସଂସ୍ଥା ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ଓକେସିଏଲ୍‍ ଆଉ ଦୁଇଟି ସଂସ୍ଥା ସହିତ ରାଜିନାମା କରି ସେମାନଙ୍କ ମାଧ୍ୟମରେ ବୁଟ୍‍ ମଡେଲ ଦ୍ୱାରା ଏହାର ପରିଚାଳନା କରୁଛନ୍ତି ।

ଏହି ସଂସ୍ଥାମାନେ କମ୍ପ୍ୟୁଟର ପଢାଇବାପାଇଁ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିୟୋଜିତ କରିଛନ୍ତି । ପ୍ରଥମ ଦଫାରେ ନିୟୋଜିତ ଶିକ୍ଷକମାନେ ସେମାନଙ୍କ ପାଉଣାକୁ ନେଇ ଅସନ୍ତୋଷ ପ୍ରକଟ ସହିତ ଆନ୍ଦୋଳନ କରିବାରୁ ସେମାଙ୍କୁ ବିଦା ହେବାକୁ ପଡିଥିଲା ।

ଏହାପରେ ପୁଣିଥରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ନିୟୋଜିତ ଶିକ୍ଷକଙ୍କୁ ପାଠ ପଢାଇବାପାଇଁ କୌଣସି ତାଲିମ ମିଳିନାହିଁ । ଫଳରେ ଉଚ୍ଚଶିକ୍ଷିତ ଏହି ଛାତ୍ରଛାତ୍ରୀମାନେ ଠିକଣା ଭାବେ ପିଲାଙ୍କୁ ପଢାଇ ପାରୁନାହାନ୍ତି ।

ସବୁଠାରୁ ବଡ କଥା ହେଲା ଏହି ପ୍ରକଳ୍ପରେ ନିୟୋଜିତ କମ୍ପ୍ୟୁଟର ଶିକ୍ଷକ ମାନଙ୍କ ଚାକିରିରେ କୌଣସି ସ୍ଥାୟୀତ୍ୱ ନଥିବାବେଳେ ସେମାନଙ୍କୁ ଅତି କମ୍‍ ପରିମାଣର ପାରିଶ୍ରମିକ ମିଳୁଛି । କେଉଁଠି ମାସକୁ ୫ହଜାର ତ ଆଉ କେଉଁଠି ମାସକୁ ୬ହଜାର । ତାହା ପୁଣି ବହୁ ସ୍ଥାନରେ ନିୟମିତ ଭାବେ ମିଳେନାହିଁ । ଯଦି କିଏ ଅଭିଯୋଗ କଲା ତେବେ ଦାୟିତ୍ୱ ନେଇଥିବା ସଂସ୍ଥା କର୍ତ୍ତୃପକ୍ଷ ତାଙ୍କୁ ବିଦା କରିବାକୁ ବି ପଛାନ୍ତି ନାହିଁ ।

ବିଦ୍ୟାଳୟରେ ନିୟୋଜିତ ଏହି କମ୍ପ୍ୟୁଟର ଶିକ୍ଷକମାନେ ପାଠ ପଢାଇବା ବଦଳରେ ଅଧିକାଂଶ ସ୍ଥାନରେ ବିଦ୍ୟାଳୟର କିରାଣୀ ପାଲଟିଗଲେଣି । ପାଠ ପଢାଇବାପାଇଁ ଥିବା କମ୍ପ୍ୟୁଟର, ପ୍ରିଣ୍ଟର, ସ୍କାନର, ଇଣ୍ଟରନେଟ୍‍ ଆଦି ବିଦ୍ୟାଳୟ ଦପ୍ତର କାର୍ଯ୍ୟରେ ଲାଗୁଛି ।

ଅଧିକାଂଶ ବିଦ୍ୟାଳୟରେ ଥିବା କିରାଣୀମାନେ କମ୍ପ୍ୟୁଟର ସଂକ୍ରାନ୍ତରେ ଅଜ୍ଞ ଥିବାରୁ ଏହି କାମ କମ୍ପ୍ୟୁଟର ପାଠ ପଢାଇବାପାଇଁ ନିଯୁକ୍ତ କର୍ମଚାରୀମାନେ କରୁଛନ୍ତି । ନିୟମ ଅନୁଯାୟୀ କମ୍ପ୍ୟୁଟର ଲାବ୍‍ ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଦୁଇବର୍ଷ ମଧ୍ୟରେ ପ୍ରଶିକ୍ଷଣ ନେଇ କମ୍ପ୍ୟୁଟର ପାଠ ପଢାଇବା କଥା । ହେଲେ ତାହା ବି ଠିକଣା ଭାବେ ହୋଇପାରୁନଥିବା ଲକ୍ଷ୍ୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here