ଚିଲିକାରେ ୱାଟର ଏରୋଡ୍ରମକୁ ମହେଶ୍ୱର ଓ ସଂଜୟଙ୍କ ବିରୋଧ

0
393

ଭୁବନେଶ୍ୱର : ଚିଲିକାରେ ୱାଟର ଏରୋଡ୍ରମ କରିବା ପାଇଁ କେନ୍ଦ୍ର ସରକାର ମନ ବଳାଇଥିବାବେଳେ ଏଭଳି ପ୍ରସ୍ତାବକୁ ବିରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମା । ଏହା ଦ୍ୱାରା ଚିଲିକାର ଜୈବ ବିବିଧତା କ୍ଷତିଗ୍ରସ୍ତ ହେବବୋଲି ମହେଶ୍ୱର କହିଛନ୍ତି । ସେହିପରି ସଂଜୟ କହିଛନ୍ତିଯେ, ଚିଲିକାରେ ୱାଟର ଏରୋଡ୍ରମ ହେଲେ ମାଛ, ପକ୍ଷୀ ଓ ମତ୍ସ୍ୟଜୀବୀ ପ୍ରଭାବିତ ହେବେ । ପୂର୍ବରୁ ବାଲି ହରଚଣ୍ଡୀ ଠାରେ ବନ୍ଦର ପ୍ରକଳ୍ପ ବନ୍ଦ ରହିଥିଲା । କେନ୍ଦ୍ର ସରକାର ନିଷ୍ପତିର ପୁନଃବିଚାର କରନ୍ତୁ ବୋଲି ସଂଜୟ କହିଛନ୍ତି ।

ସୂଚନାଯୋଗ୍ୟଯେ, ଚିଲିକାରେ ୱାଟର ଏରୋଡ୍ରମ ପ୍ରତିଷ୍ଠା ପ୍ରସ୍ତାବକୁ ନିକଟରେ ଡିଜିସିଏ ନୀତିଗତ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୂ ଆଶା ପ୍ରକାଶ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି । ଖୁବଶୀଘ୍ର ସିପ୍ଲେନ ବାସ୍ତବରେ ପରିଣତ ହେବା ସହ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ତେବେ ୱାଟର ଏରୋଡ୍ରମ ପ୍ରସ୍ତାବକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ପରିବେଶବିତମାନେ ଏନେଇ ଆପତ୍ତି ଉଠାଇଛନ୍ତି । ଚିଲିକା ଏକ ରାମସାର ଅଂଚଳ ହୋଇଥିବାବେଳେ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇଁ ପ୍ରୟାସ କରାଯାଉଛି । ସେହିପରି ଏହା ସିଆରଜେଡ଼ ପରିସରଭୁକ୍ତ ଥିବାବେଳେ ପ୍ରକଳ୍ପ ପାଇଁ ସିଆରଜେଡ଼ର ଅନୁମୋଦନ ଆବଶ୍ୟକ । ସେହିପରି ବନ୍ୟପ୍ରାଣୀ ସୁରକ୍ଷା ଆଇନ, ଜଙ୍ଗଲ ସୁରକ୍ଷା ଆଇନ, ଆର୍ଦ୍ରଭୂମି ସୁରକ୍ଷା ଆଇନ ଭଳି ବ୍ୟବସ୍ଥା ରହିଛି ।

ଅପରପକ୍ଷରେ ଜଙ୍ଗଲ ଓ ପରିବେଶ ବିଭାଗକୁ ଏନେଇ କେନ୍ଦ୍ର ପକ୍ଷରୁ କୌଣସି ପ୍ରସ୍ତାବ ଆସିନଥିବାବେଳେ ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇନାହିଁ

LEAVE A REPLY

Please enter your comment!
Please enter your name here