ରାଉରକେଲାରେ ମେଡିକାଲ କଲେଜ କେବେ ?

0
72

ରାଉରକେଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ଏପରିକି ପ୍ରଧାନମନ୍ତ୍ରୀ ବାରମ୍ବାର ଘୋଷଣା ସତ୍ୱେ ୪ବର୍ଷ ଧରି ଏହା କେବଳ ପ୍ରତିଶ୍ରୁତିରେ ରହିଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ୩ଟି ସଂସ୍ଥା ମାଧ୍ୟମରେ ରାଉରକେଲାରେ ମେଡିକାଲ କଲେଜ ଲାଗି କେନ୍ଦ୍ର ସରକାର ପ୍ରସ୍ତାବ ରଖିଥିଲେ ମଧ୍ୟ ଏଥିରୁ କୌଣସି ଗୋଟିଏ ବି ସଫଳ ହୋଇନାହିଁ ।

ୟୁପିଏ ସରକାର ସମୟରେ ରାଉରକେଲାରେ ଇଏସ୍‍ଆଇ ମେଡିକାଲ କଲେଜ କରିବାପାଇଁ ପ୍ରସ୍ତାବ ଥିଲା । ସେତେବେଳର ସୁନ୍ଦରଗଡ ସାଂସଦ ହେମାନନ୍ଦ ବିଶ୍ୱାଳ ଲୋକସଭାର ଶ୍ରମ ବିଭାଗ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଥିଲେ । ହେମାନନ୍ଦ ରାଉରକେଲାରେ ଇଏସ୍‍ଆଇ ମେଡିକାଲ କଲେଜ ହସ୍ପିଟାଲ ଲାଗି ଅଡି ବସିଥିବାବେଳେ ରାଜ୍ୟ ସରକାର ଭୁବନେଶ୍ୱର ଉପକଣ୍ଠରେ ଏଥିପାଇଁ ଜମି ଯୋଗାଇଥିଲେ ।

ଏହି ଟଣାଓଟରା ଭିତରେ ଓଡିଶାର କୌଣସି ସ୍ଥାନରେ ବି ଇଏସ୍‍ଆଇ ମେଡିକାଲ କଲେଜ ହସ୍ପିଟାଲ ହୋଇପାରିଲା ନାହିଁ । ପରବର୍ତ୍ତୀ ସମୟରେ ଇଏସ୍‍ଆଇ ସଂସ୍ଥା ଆଉ ମେଡିକାଲ କଲେଜ କରିବନାହିଁ ବୋଲି ଏନଡିଏ ସରକାର ସମୟରେ ସ୍ପଷ୍ଟ କରିଦେଇଛି ।

୨୦୧୪ ସାଧାରଣ ନିର୍ବାଚନବେଳେ ରାଉରକେଲାରେ ଅନୁଷ୍ଠିତ ଏକ ବିଶାଳ ଜନସଭାରେ ସେଠାରେ ଥିବା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ ବୋଲି ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ ।

ଏହି ନିର୍ବାଚନ ପରେ ୨୦୧୫ ଏପ୍ରିଲ ମାସରେ ସେ ରାଉରକେଲା ଆସି ତାଙ୍କ ପୂର୍ବ ପ୍ରତିଶ୍ରୁତି ଦୋହରାଇବାରେ ରାଉରକେଲା ସମେତ ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା ।

କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଅଧିନରେ ଥିବା ରାଉରକେଲା ଇସ୍ପାତ କାରଖାନା ଆଇଜିଏଚ୍‍ର ପରିଚାଳନା କରିଥାଏ । ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଘୋଷଣା ସତ୍ୱେ ଇସ୍ପାତ ମନ୍ତ୍ରାଳୟ କିନ୍ତୁ ଏ ଦିଗରେ ଅଗ୍ରସର ନହେବାରୁ ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ ତାହାର ପ୍ରତିବାଦ କରିବା ସହିତ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇ ଆସୁଛନ୍ତି ।

ଏଭଳି ଅନିଶ୍ଚିତତା ଲାଗି ରହିଥିବାବେଳେ ରାଉରକେଲାରେ ଥିବା ଏନ୍‍ଆଇଟିରେ ମେଡିକାଲ କଲେଜ ହେବବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରି ଦିଆଗଲା । ଏନ୍‍ଆଇଟି ମାନବ ସମ୍ବଳ ମନ୍ତ୍ରାଳୟ ଅଧିନରେ ରହିଛି । ଦେଶର କୌଣସି ଏନ୍‍ଆଇଟିରେ ମେଡିକାଲ କଲେଜ ନାହିଁ । ରାଉରକେଲା ଏନ୍‍ଆଇଟି କର୍ତ୍ତୃପକ୍ଷଙ୍କ ମେଡିକାଲ କଲେଜ ସଂକ୍ରାନ୍ତରେ ପ୍ରସ୍ତାବ ପଠାଇବାକୁ କୁହାଯାଇଥିଲା ।

ତେବେ ସଂସଦରେ ଆଇନ୍‍ରେ ସଂଶୋଧନ ଅଣାନଗଲେ ଏନ୍‍ଆଇଟିରେ ମେଡିକାଲ କଲେଜ ହୋଇପାରିବନାହିଁ । ଏହାଛଡା ମେଡିକାଲ କଲେଜ ଲାଗି ସୌଧ ନିର୍ମାଣ ଏବଂ ଡାକ୍ତରୀ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇଁ ପଇସାଟିଏ ହେଲେ ବଜେଟ୍‍ରେ ବରାଦ ନାହିଁ ।

ତେଣୁ ଏନ୍‍ଆଇଟି ଓ ଆଇଜିଏଚ୍‍ରେ ମେଡିକାଲ କଲେଜ ସ୍ଥାପନ ଘେନି ଯେତେ ଯାହା କୁହାଯାଇଛି ତାହା ପୂରଣ ହେବା ସମ୍ଭବନା କ୍ଷୀଣ । ଅନ୍ୟ ପକ୍ଷରେ ରାଜ୍ୟ ସରକାର ଜମି ଓ ଅର୍ଥ ଯୋଗାଇ ଏକ ଘରୋଇସଂସ୍ଥା ମାଧ୍ୟମରେ ରାଉରକେଲାରେ ମେଡିକାଲ କଲେଜ ଆରମ୍ଭ କରାଇଥିଲେ । କିନ୍ତୁ ଏହା ଏବେ ବନ୍ଦ ରହିଛି ।

ଆରଜିଏଚ୍‍କୁ ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ମେଡିକାଲ କଲେଜ କରିବାଲାଗି ଦାବି ଉଠୁଥିଲେ ମଧ୍ୟ ଏ ଦିଗରେ ସରକାରଙ୍କର କୌଣସି ସକରାତ୍ମକ ପ୍ରତ୍ରିକ୍ରିୟା ନାହିଁ ।

LEAVE A REPLY

Please enter your comment!
Please enter your name here