ଭଙ୍ଗାଘରେ ଚାଲିଛି ପଦ୍ମାଳୟା ନୋଡାଲ୍ ହାଇସ୍କୁଲ୍

0
175

ବଡ଼ଚଣା: ସର୍ବ ଶିକ୍ଷା ଅଭିଯାନରେ ବିଦ୍ୟାଳୟ ଗୁଡ଼ିକର ଭିତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ବହୁ ସ୍ଥାନରେ ଜରାଜୀର୍ଣ୍ଣ ଶ୍ରେଣୀ ଗୃହମାନଙ୍କରେ ପିଲାମାନେ ପାଠ ପଡ଼ୁଥିବାର ଦେଖାଯାଉଛି । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ୍ ଅଣକା ପଞ୍ଚାୟତ ଭୁଲୁକା ଗାଁର ପଦ୍ମାଳୟା ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ । ଏହି ସ୍କୁଲ୍ରେ ଛାତ୍ରଛାତ୍ରୀମାନେ ଏବେ ଭଙ୍ଗା ଟିଣ ଘରେ ପାଠ ପଡ଼ୁଛନ୍ତି । ଦୀର୍ଘ ୨୫ ବର୍ଷରୁ ଊଦ୍ଧ୍ୱର୍ ହେବ ଏହି ବିଦ୍ୟାଳୟରେ ମୋଟ୍ ୮୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବ୍ଲକ୍ରେ ଥିବା ସମସ୍ତ ବିଦ୍ୟାଳୟ ଓ ଶ୍ରେଣୀଗୃହ ଗୁଡ଼ିକର ଛାତ କଂକ୍ରିଟ୍ ଥିବା ବେଳେ ଏହି ବିଦ୍ୟାଳୟରେ ଶ୍ରେଣୀଗୃହ ଉପରେ ଟିଣ ଛପର ରହିଛି । ବିଦ୍ୟାଳୟ ଆରମ୍ଭରୁ ଏହି ଟିଣ ଛପର ଗୃହ ଗୁଡ଼ିକର ଟିଣ ଏବେ ଭାଙ୍ଗି ରୁଜ୍ଜି ଗଲାଣି । ବର୍ଷାହେଲେ ବର୍ଷାଜଳ ଶ୍ରେଣୀଗୃହରେ ଏହି ଟିଣ ବାଟେ ପ୍ରବେଶ କରୁଛି । ସମୁଦାୟ ୬ଟି ଶ୍ରେଣୀଗୃହ ମଧ୍ୟରୁ ଅଧିକାଂଶ ଘରର ଛାତରୁ ପାଣି ଗଳୁଛି । ଶ୍ରେଣୀଗୃହ ଗୁଡ଼ିକର କାନ୍ଥ ମଧ୍ୟ ଫାଟି ଆଁ କରିଛି । ଏହି ଫଟା କାନ୍ଥ ଦେଇ ବେଳେ ବେଳେ ସାପ ମଧ୍ୟ ଶ୍ରେଣୀଗୃହ ମଧ୍ୟକୁ ପ୍ରବେଶ କରୁଥିବା ନଜିର ରହିଛି । ଏହି ଭଙ୍ଗା ଦଦରା ଶ୍ରେଣୀଗୃହ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବାକୁ ନିରାପଦ ମନେ କରୁନାହାନ୍ତି । ଅଫିସ୍ କାର୍ଯ୍ୟାଳୟ ପାଇଁ ଥିବା ଗୃହରେ ବର୍ଷାହେଲେ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି । ସ୍କୁଲ୍ର ଏହି ଅସୁବିଧା ସଂପର୍କରେ ଶିକ୍ଷା ବିଭାଗ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଉଭୟ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍୍ ଶିକ୍ଷାଧିକାରିଣିଙ୍କୁ ଜଣାଇଲେ ସୁଦ୍ଧା ସେମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହୋଇଛି । ଏ ସଂପର୍କରେ ବଡ଼ଚଣା ବ୍ଲକ୍ ଶିକ୍ଷାଧିକାରୀ ସସ୍ମିତା ସାହୁଙ୍କୁ ପଚାରିବାରୁ ସର୍ବ ଶିକ୍ଷା ଅଭିଯାନରେ ଆଉ ଅର୍ଥ ଆସୁନଥିବାରୁ ସ୍କୁଲ ଗୃହ ନିର୍ମାଣରେ ବିଳମ୍ବ ଘଟୁଛି ବୋଲି କହିଥିଲେ । ଉଚ୍ଚ ବିଦ୍ୟାଳୟର ଶ୍ରେଶୀଗୃହ ଗୁଡ଼ିକର ମରାମତି ପାଇଁ ସରକାରୀ ସାହାର୍ଯ୍ୟ ଦେବାକୁ ପୂର୍ବତନ ସମିତି ସଭ୍ୟ ସୁରେଶ୍ ଚନ୍ଦ୍ର ସାହାଣୀଙ୍କ ସହିତ ବହୁ ଶିକ୍ଷାବିତ୍ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here