ର।ଜ୍ୟସଭ। ଉପ।ଧ୍ୟକ୍ଷ: ହରିବଂଶ VS ହରିପ୍ରସାଦ

0
57

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଏଥିପାଇଁ କଂଗ୍ରେସ ପକ୍ଷରୁ ବିକେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି । ଅପରପକ୍ଷରେ ଏନଡ଼ିଏ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଜେଡ଼ିୟୂ ସାଂସଦ ହରିବଂଶ ନାରାୟଣ ସିଂହ । ଦୁଇ ପ୍ରାର୍ଥୀ ଆଜି ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏନଡ଼ିଏ କିମ୍ବା ଉପା ସପକ୍ଷରେ ମ୍ୟାଜିକ ସଂଖ୍ୟା ନଥିଲେ ମଧ୍ୟ ଉଭୟ ବିଜୟ ନେଇ ଆଶାବାଦୀ ଅଛନ୍ତି । ତେବେ ଏକ୍ଷେତ୍ରରେ ବିଜୁ ଜନତା ଦଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ସେଥିପାଇଁ ଗତକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନଙ୍କ ସହ ଆଲୋଚନା କରିଥିଲେ । ଆଜି କଂଗ୍ରେସ ପକ୍ଷରୁ ବିଜେଡ଼ି ସହ ଯୋଗାଯୋଗ କରାଯାଇଥିବା ନେଇ ବିକେ ହରିପ୍ରସାଦ ସୂଚନା ମଧ୍ୟ ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିକେ ହରିପ୍ରସାଦଙ୍କ ସପକ୍ଷରେ ୧୧୭ ସାଂସଦଙ୍କ ସମର୍ଥନ ରହିଥିବା ନେଇ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି । ସେହିପରି ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡ଼ିପି ମଧ୍ୟ ବିରୋଧୀ କ୍ୟାମ୍ପରେ ରହିଛି । ଅପରପକ୍ଷରେ ଅରବିନ୍ଦ କେଜି୍ରୱାଲଙ୍କ ଆପ ଓ ମେହବୁବା ମୁଫତିଙ୍କ ପିଡ଼ିପି କଂଗ୍ରେସ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟସଭାରେ ଏହି ଦୁଇ ଦଳର ୫ ସାଂସଦ ଅଛନ୍ତି । ଡିଏମକେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବ । ଡିଏମକେର ୪ ସାଂସଦ ଅଛନ୍ତି । ଯଦି ସବୁ କିଛି ଠିକଠାକ ଚାଲେ ତେବେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ୧୨୬ ଭୋଟ ପଡ଼ିବ ବୋଲି ବିରୋଧୀ ଦଳଗୁଡ଼ିକ ଅନୁମାନ କରିଛନ୍ତି । ଅପରପକ୍ଷରେ ୱାଇଏସଆର କଂଗ୍ରେସ କାହାକୁ ସମର୍ଥନ କରିବ ତାହା ସ୍ପଷ୍ଟ କରିନାହିଁ । ରାଜ୍ୟସଭାରେ ୱାଇଏସଆରର ୨ ସାଂସଦ ଥିବାବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ୱାଇଏସଆର ସହ ଯୋଗାଯୋଗରେ ଅଛନ୍ତି ।

ଅନ୍ୟ କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉପା ତୁଳନାରେ ରାଜ୍ୟସଭାରେ ଏନଡ଼ିଏର ପଲା ଭାରି ରହିଛି । ଏବେ ଏନଡ଼ିଏ ସପକ୍ଷରେ ୧୧୬ ସଂଖ୍ୟା ଥିବାବେଳେ ବିଜେଡ଼ି ସମର୍ଥନ କଲେ ତାହା ୧୨୫ ହୋଇଯିବ । ବିଜେଡ଼ି ମଧ୍ୟ ଜେଡ଼ିୟୂ ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ସଂକେତ ଦେଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଏନସିପିର ବନ୍ଦନା ଚଭନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । ତେଣୁ ଏନସିପି ନେତା ଶରଦ ପାୱାର ନବୀନଙ୍କ ସହ ଆଲୋଚନା କରିଥିଲେ । ତେବେ ନବୀନ କହିଥିଲେଯେ, ଉପା ପକ୍ଷରୁ ତାଙ୍କୁ କୌଣସି ନେତା ଯୋଗାଯୋଗ କରିନାହାନ୍ତି । ତେଣୁ ସେ ନୀତିଶ କୁମାରଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିଷ୍ପତି ନେଇଥିବା ନେଇ ଚର୍ଚ୍ଚା ହେଉଛି । ଏଆଇଏଡ଼ିଏମକେର ୧୩ ସାଂସଦ, ବିଜେଡ଼ିର ୯ ସାଂସଦ, ଟିଆରଏସର ୬ ସାଂସଦ ଓ ୱାଇଏସଆର କଂଗ୍ରେସର ୨ ସାଂସଦ ଏନଡ଼ିଏକୁ ସମର୍ଥନ ଦେଲେ ହରିବଂଶ ବିଜୟୀ ହୋଇପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here