ଲୁଚିଛନ୍ତି ପାକିସ୍ତାନୀ ଆତଙ୍କବାଦୀ: ଆତ୍ମଘାତୀ ଆକ୍ରମଣ ଆଶଙ୍କା

0
56

ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ସରକାର ଗଠନ ହେବାକୁ ଯାଉଥିବାବେଳେ ଆତଙ୍କବାଦକୁ ନେଇ ଇସ୍‌ଲାମାବାଦର ନୀତି ଓ ଆଭିମୁଖ୍ୟରେ କିଛି ପରିବର୍ତ୍ତନର ସଙ୍କେତ ଦେଖିବାକୁ ମିଳୁନାହିଁ। ଗୋଟିଏପଟେ ପୂର୍ବତନ କ୍ରିକେଟର ତଥା ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଅଗଷ୍ଟ ୧୪/୧୫ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଅନ୍ୟପଟେ ଭାରତରେ ସ୍ବାଧୀନତା ଦିବସ ପାଳନ ବେଳେ ପାକିସ୍ତାନୀ ଆତଙ୍କବାଦୀମାନେ ସେନା ଉପରେ ବଡ଼ଧରଣର ଆତ୍ମଘାତୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି। ଅଗଷ୍ଟ ୧୫ରେ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଏବଂ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଆତଙ୍କବାଦୀ ଜମ୍ମୁ-କଶ୍ମୀର ଓ ଦିଲ୍ଲୀରେ ସଶସ୍ତ୍ର ବଳକୁ ଟାର୍ଗେଟ କରିପାରନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଦିଲ୍ଲୀରେ ଆତ୍ମଗୋପନ କରିଥିବାବେଳେ ଆଉ କେତେକେ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି ବୋଲି ମଲ୍ଟି ଏଜେନ୍ସି କୋଅର୍ଡିନେଶନ ସେଣ୍ଟର ପକ୍ଷରୁ ରବିବାର ଜାରି ରିପୋର୍ଟରେ ଚେତାଇ ଦିଆଯାଇଛି। ଏହାକୁ ନେଇ କଶ୍ମୀର ଓ ଦିଲ୍ଲୀ ସମେତ ଏନ୍‌ସିଆର୍‌ର କେତେକ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।
ଗୋଇନ୍ଦା ରିପୋର୍ଟ ମୁତାବକ, ଭାରତର ୭୨ତମ ସ୍ବାଧୀନତା ଦିବସ ପାଳନ ବେଳେ ରାଜଧାନୀ ଦିଲ୍ଲୀ ଓ ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବେ। ଏହି ସମ୍ଭାବ୍ୟ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛନ୍ତି ମହମ୍ମଦ ଇବ୍ରାହିମ୍‌ ଓରଫ୍‌ ଇସ୍‌ମାଇଲ୍‌। ସେ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାରଙ୍କ ଭାଇ ମୁଫ୍‌ତି ଅବ୍‌ଦୁଲ ରୌଫ୍‌ ଅସଗରଙ୍କ ପୂର୍ବତନ ଦେହରକ୍ଷୀ। ଗତ ମେ ମାସ ପ୍ରଥମ ସପ୍ତାହରେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଥିବା ଇବ୍ରାହିମ୍‌ ବର୍ତ୍ତମାନ ନୂଆଦିଲ୍ଲୀରେ ଆତ୍ମଗୋପନ କରିଛନ୍ତି। ଦିଲ୍ଲୀ ତଥା ଏନ୍‌ସିଆର୍‌ ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣ ଘଟାଇବା ପାଇଁ ସେ ଅନ୍ୟ କେତେଜଣ ଜୈଶ୍‌ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରୁଛନ୍ତି। ସେହିପରି ମହମ୍ମଦ ଉମର ନାମକ ଅନ୍ୟ ଜଣେ ଜୈଶ୍‌ ଆତଙ୍କବାଦୀ ନିକଟରେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଛନ୍ତି। ଉଭୟ ଉମର ଓ ଇବ୍ରାହିମ୍‌ ମିଶି ଆତ୍ମଘାତୀ ଆକ୍ରମଣର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିବା ବିଷୟ ରିପୋର୍ଟରୁ ସାମ୍ନାକୁ ଆସିଛି।
ଏଥିରେ ଆହୁରି କୁହାଯାଇଛି ଯେ, ଜୈଶ୍‌ ଓ ଲଶ୍କରର ୨୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଆକ୍ରମଣ ପ୍ରସ୍ତୁତି ଚଳାଇଛନ୍ତି। ଜୈଶ୍‌ ଉପରେ ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ସମ୍ପୂର୍ଣ୍ଣ ଭରସା ରହିଛି। ଏଲ୍‌ଓସି ସଂଲଗ୍ନ ଚୁରା ଲଞ୍ଚ୍‌ପ୍ୟାଡ୍‌ରେ ଅନୁପ୍ରବେଶ ଅପେକ୍ଷାରେ କେତେଜଣ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଛନ୍ତି। ଟଙ୍ଗଧର ସେକ୍ଟରସ୍ଥିତ ସେନା ଶିବିରଗୁଡ଼ିକ ଉପରେ ଆକ୍ରମଣ ପାଇଁ ଆଇଏସ୍‌ଆଇ ସେମାନଙ୍କୁ ପଠାଇଛି। ଅନ୍ୟ କେତେଜଣ ଆତଙ୍କବାଦୀ ଅନୁପ୍ରବେଶ କରିସାରିଛନ୍ତି ଓ ବିଭିନ୍ନ ଅଞ୍ଚଳରେ ଆକ୍ରମଣ ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ସାଟେଲାଇଟ୍‌ ଫୋନ୍‌ରେ ସେମାନଙ୍କ ବାର୍ତ୍ତାଳାପରୁ ଏହି ବିଷୟ ସାମ୍ନାକୁ ଆସିଛି। ସେହିପରି ବାରାମୁଲ୍ଲା ଅଞ୍ଚଳରେ ସୁରକ୍ଷା ବଳ ଉପରେ ଆକ୍ରମଣ କରିବା ପାଇଁ ଜୈଶ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇଛି ଆଇଏସ୍‌ଆଇ। ଆତଙ୍କବାଦୀମାନଙ୍କୁ ଜମ୍ମୁ-କଶ୍ମୀରର କେତେଜଣ ଯୁବକ ଗାଇଡ୍‌ ଭାବେ ସହାୟତା ଦେଉଥିବା ଗୋଇନ୍ଦା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଦ୍ୱାରା ଗିରଫ କେତେଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ଏହି ବିଷୟ ପ୍ରଘଟ କରିଛନ୍ତି। କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ଦିଲ୍ଲୀ-ଏନ୍‌ସିଆର୍‌ ସୀମାକୁ ସିଲ୍‌ କରିଦିଆଯାଇଛି। ସିସିଟିଭି କ୍ୟାମେରା ଜରିଆରେ ଆତଙ୍କବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here