ନବୀନ ପଟ୍ଟନାୟକ ପୁସ୍ତକରେ ନବୀନବାବୁଙ୍କର ମଦ୍ୟପାନ ନେଇ ଥିବା ଲେଖାକୁ ସ୍ୱାଭିମାନୀ ଓଡ଼ିଆ ପକ୍ଷରୁ ବିରୋଧ

0
95

ଭୁବନେଶ୍ୱର :ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ରଚିତ ହୋଇଥିବା ଇଂରାଜୀ ପୁସ୍ତକ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ ହୋଇଛି । ଭୁବନେଶ୍ୱର କ୍ଲବରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ର୍ୟକ୍ରମରେ ଏହି ପୁସ୍ତକକୁ ଓଡ଼ିଶାର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ଏହାକୁ ଲୋକାର୍ପିତ କରିଛନ୍ତି । ଇଂରାଜୀ ସାପ୍ତାହିକ ପତ୍ରିକା ଆଉଟଲୁକର ସମ୍ପାଦକ ରୁବେନ ବାନାର୍ଜୀ ହେଉଛନ୍ତି ଏହି ପୁସ୍ତକର ରଚୟିତା । ଏଥିରେ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ଜୀବନ, ସାମାଜିକ ଜୀବନ ଏବଂ ରାଜନୈତିକ ଜୀବନ ସହ ତାଙ୍କର କାର୍ଯ୍ୟ ଶୈଳୀ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କର ଅନ୍ଧାର ଓ ଆଲୋକର ଦିଗ ବର୍ଣ୍ଣନା ମଧ୍ୟ କରାଯାଇଛି । ଏହି ପୁସ୍ତକର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି ।

ଏହି ଅବସରରେ ବରିଷ୍ଠ ସ୍ତମ୍ଭକାର ରବି ଦାସ ଏହି ପୁସ୍ତକ ଉପରେ ନିଜର ମତାମତ ରଖିଥିଲା ବେଳେ ଲେଖକ ଶ୍ରୀ ବାନାର୍ଜୀ ନବୀନ ବାବୁଙ୍କର ବିଭିନ୍ନ ଦିଗ ଉପରେ ସମ୍ୟକ ସୂଚନା ଦେଇଥିଲେ । ନବୀନ ବାବୁଙ୍କ ପାଖକୁ ଯେଉଁମାନେ ଆସନ୍ତି ତାଙ୍କ ମୁହଁରେ ପ୍ରଶଂସା କରି ଯାଆନ୍ତି । ନବୀନ ନିବାସରୁ ବାହାରିଲା ପରେ ତାଙ୍କ ବିରୁଦ୍ଧରେ କହନ୍ତି । ତାହା ବି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ତାଙ୍କର ବିଳାସମୟ ଜୀବନ, ବିଦେଶରେ ସେଲିବ୍ରେଟୀ ମାନଙ୍କ ସହିତ ଉଠାବସା କରିବା, ଡନ୍ ହିଲ ସିଗାରେଟ, ବ୍ରାଣ୍ଡେଣ୍ଡ ହ୍ୱିସ୍କି ପାନ କରିବା ସମ୍ପର୍କରେ ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରକାଶ କରିବା ପରେ ଏ ନେଇ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ଥିବା ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା କଥା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି ।

ଅପର ପକ୍ଷରେ ଉକ୍ତ ପୁସ୍ତକରେ ନବୀନବାବୁଙ୍କର ମଦ୍ୟପାନ କରିବା ନେଇ ଥିବା ଲେଖାକୁ ସ୍ୱାଭିମାନୀ ଓଡ଼ିଆ ପକ୍ଷରୁ ବିରୋଧ କରି ଭୁବନେଶ୍ୱର କ୍ଲବ ଆଗରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହାର ନେତୃତ୍ୱ ନେଇଥିଲେ ନୀଳମଣି ମିଶ୍ର, ବିଶ୍ୱଜିତ ରଣା, ଶାରଦା ପ୍ରସାଦ ମହାପାତ୍ର, ପ୍ରଦୋଷ ଷଡ଼ଙ୍ଗୀ, ମଦନମୋହନ ହରିଚନ୍ଦନ ମହାପାତ୍ର । ଏହି ଲେଖା ଦ୍ୱାରା ଓଡ଼ିଶାର ସ୍ୱାଭିମାନ ଉପରେ ଆଂଚ ଆସିଛି । ସେ ଓଡ଼ିଶାର ହେଉଛନ୍ତି ମୁଖ୍ୟ । ତାଙ୍କୁ ମଦ୍ୟପ କହିବା କେତେଦୂର ଯୁକ୍ତିଯୁକ୍ତ ? ଏହି ଲେଖା ପାଇଁ ରଚୟିତା ଶ୍ରୀ ବାନାର୍ଜୀ ନିଃସର୍ତ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଥିଲେ । କ୍ଷମା ନ ମାଗିଲେ ତା ବିରୁଦ୍ଧରେ ସ୍ୱାଭିମାନୀ ଓଡ଼ିଆ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here