ବନ୍ଧୁତା ଦିବସରେ ତିନି ଯୁବ ବନ୍ଧୁଙ୍କ ଦୁର୍ଘଟଣାରେ ମୃତ

0
12

ବଲାଙ୍ଗୀର- ରବିବାର ବିଶ୍ୱବନ୍ଧୁତା ଦିବସ ହୋଇଥିବାବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଯୁବ ବନ୍ଧୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣା ବଲାଙ୍ଗୀରରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବଲାଙ୍ଗୀର ସହର ମାଳପଡାର ତିନି ଘନିଷ୍ଠ ବନ୍ଧୁ ଲଳିତ ରଞ୍ଜନ କର (୨୩), ଅଚ୍ୟୁତ୍‌ ବଗର୍ତ୍ତୀ (୨୨) ଓ ରାଜେଶ ବାଗ (୨୩)ଙ୍କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ଘଟିଛି। ଶନିବାର ରାତି ପ୍ରାୟ ୧୦ଟାରେ ଏହି ତିନି ସାଙ୍ଗ ଏକ ଆଭେଞ୍ଜର ମୋଟର ସାଇକେଲରେ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ପଟକୁ ଯାଇଥିଲେ। ବନ୍ଧୁତା ଦିବସ ଥିବାରୁ ସେମାନେ କୌଣସି ଏକ ଢ଼ାବାକୁ ଖାଇବା ପାଇଁ ଯାଇଥିବା ଅନୁମାନ କରାଯାଉଛି। ସେଠାରୁ ଫେରୁଥିବାବେଳେ ସୋନପୁର ରାସ୍ତାର ସାତ୍‌ମାଇଲ ଛକ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କାରେ ତିନି ବନ୍ଧୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ରାତି ପ୍ରାୟ ୨ଟାରେ ଏସଂକ୍ରାନ୍ତରେ ପୁଇଁନ୍ତଲା ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା। ରବିବାର ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ସମ୍ପର୍କରେ ଖବର ପ୍ରଚାର ହେବା ପରେ ସହରରେ ବିଶେଷକରି ମାଳପଡା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ତିନି ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଇଁନ୍ତଲା ଥାନା ଅଧିକାରୀ ଅନନ୍ତ ପଧାନ କହିଛନ୍ତି। ଏନେଇ ତଦନ୍ତ ଆରମ୍ଭ ହୋଇଥିତ୍ବା ସେ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here