କେଉଁଠୁ ଆସିଲା ଏହି କିକି ଚ୍ୟାଲେଞ୍ଜ

0
26

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି କିକି ଡ୍ୟାନ୍ସ। ଏହା କ’ଣ କେଉଁଠୁ ଆସିଛି ଏହା ପଛର କ’ଣ ରହିଛି ରହସ୍ୟ ତାହା ସମସ୍ତଙ୍କୁ ଠିକ୍‌ ଭାବେ ଜଣା ନ ଥିଲେ ମଧ୍ୟ ଅନେକେ ଏବେ କିକି ମାୟାରେ ବାୟା। ଏହି ବିଦେଶୀ ଡ୍ୟାନ୍ସ ଭିଡିଓ ଏବେ ଭାରତୀୟ ପୋଲିସର ନିଦ ହଜାଇ ଦେଇଛି କହିଲେ ଭୁଲ ହେବନି। କାରଣ କିକି ଡ୍ୟାନ୍ସ ସବୁଠାରୁ ଅଲଗା। ଚଳନ୍ତା କାର୍‌ରେ ଯାତ୍ରା କରୁ କରୁ ହଠାତ୍‌ ଗାଡିରୁ ଓହ୍ଲାଇ ରାସ୍ତା ଉପରେ ଡ୍ୟାନ୍ସ କରିବାର ମଜା ନେଉଛନ୍ତି ଅନେକ। ଯୁବତୀ-ଯୁବକଙ୍କଠାରୁ ବୃଦ୍ଧାଙ୍କ ପର୍ଯ୍ୟନ୍ତ କେହି ଏଥିରୁ ବାଦ୍‌ ପଡୁନାହାନ୍ତି। ଡ୍ରାଇଭରଙ୍କୁ ଲକ୍ଷକରି ନାଚିବା ସମୟରେ ଅନ୍ୟଜଣେ ଚଳନ୍ତା ଗାଡି ଭିତରେ ରହି ଏହାର ଭିଡିଓ ପ୍ରସ୍ତୁତ କରୁଛନ୍ତି। ପରେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ୍‌ କରାଯାଉଛି। ହେଲେ ଏହା କେତେ ମାରାତ୍ମକ ଥରେ ସ୍ଥିର ଚିତ୍ତରେ ଚିନ୍ତାକଲେ ସହଜରେ ଅନୁମାନ କରାଯାଇ ପାରିବ। ନିକଟରେ ଜଣେ ବୃଦ୍ଧାଙ୍କର କିକି ଡ୍ୟାନ୍ସ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାହାକୁ ଖାତିର ନାହିଁ ଉକ୍ତ ବୃଦ୍ଧାଙ୍କର। ପଛରୁ ଆସୁଥିବା ଲୋକେ ହର୍ନ ମାରିଲେ ସୁଦ୍ଧା ସେ ବିରକ୍ତି ଭାବ ପ୍ରକାଶ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଭାରତରରେ ଏହା ଏବେ ଦେଖାଯାଇ ନ ଥିଲେ ସୁଦ୍ଧା କିକିକୁ ଦେଖି କିଛି ରାଜ୍ୟରେ ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏପରି ଡ୍ୟାନ୍ସଠାରୁ ଦୂରେଇ ରହିବାକୁ ପୋଲିସ ପରାମର୍ଶ ଦେଇଛି। କାରଣ ଚଳନ୍ତା କାର୍‌ରୁ ଓହ୍ଲାଇ ରାସ୍ତା କଡରେ ବିପଜ୍ଜନକ ଭାବେ ଡ୍ୟାନ୍ସ କରିବାର ଶୈଳୀରୁ ସହଜରେ ଅନୁମାନ କରାଯାଉଛି କେତେବେଳେ, କୋଉଠି, କେମିତି ଜୀବନ ଚାଲିଯିବ ତାହା କେହି କହିପାରିବେ ନାହିଁ। ତେଣୁ ଏଭଳି ବିପଦପୂର୍ଣ୍ଣ ଡ୍ୟାନ୍ସରୁ ଦୂରେଇ ରହିବା ଭଲ ବୋଲି ପୋଲିସ ଟୁଇଟର୍‌ ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଦେଇଛି। ଏହା ବ୍ୟତୀତ କିକି ଟ୍ରାଫିକ୍‌ ନିୟମ ଉଲଂଘନ କରୁଛି ବୋଲି ମଧ୍ୟ ପୋଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here