ସଂକଟରେ ବାଉଁଶପାତି କାରିଗର

0
33

ଆସିକା:କୌଳିକ ବୃତ୍ତିିକୁ ବଞ୍ଚାଇ ରଖି ଆସିକା ଅଞ୍ଚଳର ଯେଉଁ ମୁଷ୍ଟିମେୟ ବାଉଁଶପାତି (ମେଦିରି) କାରିଗର ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଏହି ଅଞ୍ଚଳର ସୁନାମ ରଖିବାରେ ସଫଳ ହୋଇ ଆସୁଛନ୍ତି ସେମାନଙ୍କ ଭାଗ୍ୟ ଆଜି ପଥର ତଳେ ରହିଯାଇଛି । ଏହି କୁଶଳୀ କାରିଗରଙ୍କ ହାତର ସ୍ପର୍ଶରେ ବାଉଁଶପାତିରେ ତିଆରି ବିଭିନ୍ନ ସାମଗ୍ରୀ ବେଶ ଆକର୍ଷଣୀୟ । ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁ ଥିବାରୁ ଏହି ବାଉଁଶପାତି କାରିଗରମାନେ ନିଜର କୁଳବେଉସା ରୁ ମୁହଁ ଫେରାଇ ନେବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ରାଜରାସ୍ତାରେ ପେଟପାଟଣା ପାଇଁ ଅନେକ ଉଠା ଦୋକାନ କରି ନିଜନିଜ ପସରା ମେଲାଇ ଗୁଜରାଣ ମେଣ୍ଟାଉଛନ୍ତି । ଅପର ପକ୍ଷରେ କେହି କେହି ନିଜର କୁଳବେଉସାକୁ ଧରି ପରିବାର ପ୍ରତିପୋଷଣ ପାଇଁ ବାଉଁଶପାତି କାମକୁ ଆଦରି ନେଉଛନ୍ତି । ସକାଳୁ ସନ୍ଧ୍ୟା ଯାଏଁ ବାଉଁଶରେ ଡାଲିଆ, ଚିଡି, ତାଟ, ଡାଲାପେଢି ସମେତ ବିଭିନ୍ନ ରଙ୍ଗବେରଙ୍ଗର ସାମଗ୍ରୀ ତିଆରି କରି ବିକ୍ରୀ କଲେ ରାତିରେ ଚୁଲି ଜଳିବ । ଏଭଳି କିଛି ଲୋକଙ୍କୁ ଦେଖିବାକୁ ମିଳୁଛି ଆସିକା ଏନ୍ଏସି ଅଧିନସ୍ଥ ହାଟପଦା ମେଦିରି ସାହିରେ । କୁଳବେଉସାକୁ ଆଦରି ନେଇ ସୁରୁଜ ଉଇଁଲେ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିପଡନ୍ତି ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି କାର୍ଯ୍ୟରେ । ରାସ୍ତାକଡରେ ଖୋଲା ଆକାଶ ତଳେ କଠିନ ପରିଶ୍ରମ କରି ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରୀ କରି ସେମାନେ କୁଟୁମ୍ବ ପୋଷିଥାନ୍ତି । କିଛି ବର୍ଷ ପୂର୍ବେ ଏହି ବାଉଁଶପାତି କାରିଗରମାନେ ଜିଲ୍ଲାର ସୋରଡା, ବଡଗଡ, ସୁରମଣି ତଥା ଏହାର ଆଖପାଖ ଅଞ୍ଚଳରୁ ବାଉଁଶକୁ କଞ୍ଚାମାଲ ରୂପେ ସଂଗ୍ରହ କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ରାଜରାସ୍ତାରେ ରଖି ବିକ୍ରୀ କରୁଥିଲେ । ବର୍ତ୍ତମାନ ବାଉଁଶ ମିଳିବା କଷ୍ଟସାଧ୍ୟ ହୋଇପଡିଥିବା ବେଳେ ଚଢାଦରରେ ବାଉଁଶ କିଣି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ଏହି ବାଉଁଶପାତି କାରିଗରମାନେ ନାନା ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ସରକାରୀ ପ୍ରୋତ୍ସାହନ ଓ ଅର୍ଥାଭାବରୁ ଏହି ବାଉଁଶପାତି କାରିଗରମାନେ ଉପରକୁ ଉଠି ପାରୁନାହାନ୍ତି । ରାସ୍ତାଖର୍ଚ୍ଚ, ପରିବହନ ଖର୍ଚ୍ଚ, କଞ୍ଚାମାଲ ର ଚଢାଦର ଏ କ୍ଷେତ୍ରରେ ଅନ୍ତରାୟ ହୋଇଛି । ବାଉଁଶପାତି କାରିଗରମାନଙ୍କ ସନ୍ତାନମାନେ ଉଚ୍ଚଶିକ୍ଷା କରୁଥିଲେ ମଧ୍ୟ ସେମାନଙ୍କୁ ମେଦିରି ସଂପ୍ରଦାୟର ଜାତିଗତ ପ୍ରମାଣପତ୍ର ମିଳୁନଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବାଉଁଶପାତି କାରିଗରମାନଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବାକୁ ମେଦିରି ସଂପ୍ରଦାୟର ଏମ୍. କ୍ରିଷ୍ଣା ଦୃଢ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here