ମ।ଓ ନିୟନ୍ତ୍ରଣ ପ।ଇଁ ଡ୍ରୋନ କ୍ୟାମେରା ଦିଅ:ଗୃହ ବିଭାଗ

0
39

ଭୁବନେଶ୍ବର:ଘଞ୍ଚ ଜଙ୍ଗଲ ଓ ପାହାଡ଼ ପର୍ବତରେ ଲୁଚିଥିବା ମାଓମାଦୀମାନଙ୍କୁ ଠାବ କରିବା ଲାଗି ଓଡ଼ିଶାକୁ ଡ୍ରୋନ୍‍ ଭଳି ଗୋଟିଏ ମାନବ ବିହୀନ ଯାନ (ୟୁଏଭି) ଯୋଗାଇ ଦେବା ଲାଗି କୁହାଯାଇଛି । ସ୍ୱତନ୍ତ୍ର ଭାବେ ଏହା ଓଡିଶାକୁ ଯୋଗାଇ ଦେବାପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି ।

ଓଡ଼ିଶାକୁ ଗୋଟିଏ ୟୁଏଭି ମିଳିଲେ ଏହା ୧୫ଟି ମାଓ ପ୍ରବଣ ଜିଲ୍ଲାରେ କାର୍ଯ୍ୟ କରୁଥିବା ପୋଲିସ ବାହିନୀକୁ ବେଶ୍‍ ସହାୟକ ହେବ । ବର୍ତ୍ତମାନ ରାଜ୍ୟ ପୋଲିସ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‍)ର ୟୁଏଭି ସହାୟତାରେ ଜଙ୍ଗଲ ଓ ପାହାଡ଼ ପର୍ବତରେ ଥିବା ମାଓବାଦୀଙ୍କୁ ଠାବ କରୁଛି ।

ଏହି ଯାନରେ କ୍ୟାମେରା ସହିତ ଅନ୍ୟାନ୍ୟ ଯନ୍ତ୍ରପାତି, ଡାଟା, ଭିଡ଼ିଓ ଆଦି ଥିବାରୁ ମାଓ ବିରୋଧୀ କାର୍ଯ୍ୟାକଳାପରେ ଉଭୟ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳକୁ ତଥ୍ୟ ଯୋଗାଇବାରେ ସହାୟକ ହେବ ।

ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‍(ହାଲ୍‍) ଦ୍ୱାରା ପ୍ରସ୍ତୁତ ହୋଇଥିବା ୟୁଏଭିକୁ ସିଏପିଏଫ୍‍ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବ୍ୟବହାର କରୁଛି । ଏହାଦ୍ୱାରା କେଉଁ ଅଞ୍ଚଳରେ ମାରଣାସ୍ତ୍ର ଓ ମାଓବାଦୀମାନେ ରହୁଛନ୍ତି ତାହା ଆକାଶ ମାର୍ଗରୁ ଜାଣି ହେଉଛି । ମାଓବାଦୀମାନେ କୌଣସିଠାରେ ସେମାନଙ୍କ ଗତିବିଧି ପରିବର୍ତ୍ତନ କଲେ ଏହି ଯାନ ଦ୍ୱାରା ତୁରନ୍ତ ତାହା ଜଣାପଡ଼ିଯାଉଛି ।

ଗୋଟିଏ ଡ୍ରୋନ୍‍ର ଦାମ୍‍ ଅତିକମ୍‍ରେ ୧୮ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହା ବ୍ୟବହାର ଲାଗି ଆହୁରି ଅଧିକ ଅର୍ଥର ଆବଶ୍ୟକତା ପଡ଼ୁଛି । ରାଜ୍ୟ ପୋଲିସ ପକ୍ଷରୁ ୨୦୧୮-୧୯ ବର୍ଷରେ ପୋଲିସ ଆଧୁନିକୀକରଣ ଯୋଜନା ଅଧିନରେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନା (ଏସ୍‍ଆଇଏସ୍‍)ରେ ଏହି ଯାନ କିଣିବା ଲାଗି ବ୍ୟବସ୍ଥା ରଖିଛନ୍ତି ।

ଗତ ଆର୍ଥିକ ବର୍ଷରେ ରାଜ୍ୟ ପୋଲିସ ପକ୍ଷରୁ ଗୋଟିଏ ଡ୍ରୋନ୍‍ କିଣିବା ଲାଗି ପ୍ରସ୍ତାବ ଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ବର୍ତ୍ତମାନ ସୁଦ୍ଧା ଏହାକୁ ମଞ୍ଜୁର କରିନଥିବା ଜଣାପଡ଼ିଛି । କେନ୍ଦ୍ରୀୟ କର୍ତ୍ତୃପକ୍ଷ ଡ୍ରୋନ୍‍ ଖରିଦକୁ ମଞ୍ଜୁରୀ ଦେଉନଥିବାରୁ ରାଜ୍ୟ ପୋଲିସ ଏବେ ୟୁଏଭି ଖରିଦ ପାଇଁ ଯୋଜନା କରୁଛି ।

ରାଷ୍ଟ୍ରାୟାତ୍ତ ସଂସ୍ଥା ହାଲ୍‍ ଦ୍ୱାରା ୟୁଏଭି ପ୍ରସ୍ତୁତ ହେଉଥିବାବେଳେ ଏବେ ଡ୍ରୋନ୍‍ ଉତ୍ପାଦନ ଲାଗି ଅଗ୍ରଣୀ ବୈଷୟିକ ସଂସ୍ଥାଗୁଡ଼ିକ ସହ ହାତ ମିଳାଇଛି । ପୋଲିସ ଆଧୁନିକୀକରଣ ଯୋଜନାରେ ରାଜ୍ୟ ସରକାର ନିୟମିତ ଭାବେ ମାଓ ବିରୋଧୀ ଅପରେସନ୍‍କୁ ଅଧିକ ଶକ୍ତିଶାଳୀ କରୁଛନ୍ତି ।

ଇତିମଧ୍ୟରେ ରାଜ୍ୟ ସରକାର ୪ ବାଟାଲିୟନ୍‍ ସ୍ୱତନ୍ତ୍ର ସୁରକ୍ଷା ବଳକୁ ମାଓ ନିୟନ୍ତ୍ରଣ କାର୍ଯ୍ୟରେ ମୁତୟନ କରିଥିବା ବେଳେ ଅତିକମ୍‍ରେ ୭୪ ପ୍ଲାଟୁନ୍‍ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ୍‍ ମାଓ ପ୍ରବଣ ଅଞ୍ଚଳରେ ମୁତୟନ ହୋଇଛନ୍ତି ।

ଅଧିକରୁ ଅଧିକ ସଂଖ୍ୟାରେ ସୁରକ୍ଷାବଳ ମୁତୟନ ଯୋଗୁ ମାଓବାଦୀଙ୍କ ଗତିବିଧି ଓ ହିଂସାକାଣ୍ଡ ୨୦୧୭ ଓ ୨୦୧୮ ବର୍ଷରେ ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । ୨୦୧୦ ମସିହାରେ ରାଜ୍ୟରେ ୧୨୯ଟି ମାଓ ହିଂସାକାଣ୍ଡ ଘଟିଥିବା ବେଳେ ୨୦୧୭ରେ ଏହା ୫୨ ଓ ଚଳିତବର୍ଷ ଜୁନ୍‍ ୩୦ ସୁଦ୍ଧା ଏହା ମାତ୍ର ୩୪ ରହିଛି । ସେହିଭଳି ୨୦୧୦ ମସିହାରେ ମାଓ ହିଂସାରେ ୭୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୭ରେ ଏହା ୨୬ ଓ ଚଳିତ ବର୍ଷ ଜୁନ୍‍ ଶେଷ ସୁଦ୍ଧା ଏହି ସଂଖ୍ୟା ମାତ୍ର ୮ ରହିଛି ।

LEAVE A REPLY

Please enter your comment!
Please enter your name here