ଗୁରୁପ୍ରିୟା ସେତୁ ଦୁର୍ନୀତିର ସିବିଆଇ ତଦନ୍ତ ଦାବିକଲେ ନିରଞ୍ଜନ

0
56

ଭୁବନେଶ୍ୱର: ମାଲକାନଗିରିର ମାଓ ଅଧ୍ୟୁଷିତ ବିଚ୍ଛିନ୍ନାଂଚଳକୁ ସବୁଦିନିଆ ଯୋଗାଯୋଗ ବ୍ୟବସ୍ଥା କରିବା ସକାଶେ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ କରାଯାଇଥିବା ସେତୁରେ ବ୍ୟାପକ ହେରଫେର କରାଯାଇଛି । ଏହାର ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାର ସଂସ୍ଥାକୁ ୭୪ କୋଟି ଟଙ୍କା ଅନୁକଂପା ଦିଆଯାଇଥିବା ନେଇ ପ୍ରିନ୍ସିପାଲ ଆକାଉଂଟାଂଟ ଜେନେରାଲ (ପିଏଜି) ଉଲ୍ଲେଖ କରିଛନ୍ତି । ଏଭଳି ପରିସ୍ଥିତିରେ ସ୍ୱଚ୍ଛତାର ଡିଣ୍ଡିପ ପିଟୁଥିବା ରାଜ୍ୟ ସରକାରଙ୍କ ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ସିଏଜି ରିପୋର୍ଟ ମିଳିବାପରେ ଏହା ଉପରେ ତୁରନ୍ତ ସିବିଆଇ ତଦନ୍ତ କରାଇ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବା ସକାଶେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି ।
ଏକ ବିବୃ୍ତିରେ ପିସିସି ମୁଖ୍ୟ କହିଛନ୍ତି ଯେ ନିର୍ବାଚନ ବୈତରଣୀ ପାରହେବା ପାଇଁ ରାଜ୍ୟ ସରକାର ଦରିଦ୍ର ଜନସାଧାରଣଙ୍କ ଝାଳବୁହା ଧନକୁ ଠିକାଦାରଙ୍କ ସ୍ୱାର୍ଥଲାଗି ପାଣିପରି ବୁହାଇ ଦେଇଛନ୍ତି । ପୂର୍ବରୁ ଡାଲି ଦୁର୍ନୀତିଠାରୁ ଖଣି ଦୁର୍ନୀତି ଏବଂ ଚିଟ୍ଫଣ୍ଡ ଦୁର୍ନୀତି ଭଳି ବହୁ ଦୁର୍ନୀତିରେ ଜଡିତ ଥିବା ସରକାର ଏବେ ଗୁରୁପ୍ରିୟା ସେତୁ ନିର୍ମାଣ କରିବା ପାଇଁ ଠିକାଦାରଙ୍କ ହାତକୁ ପ୍ରାୟ ୭୪ କୋଟି ଟଙ୍କା ଅଯାଚିତ ଭାବେ ଟେକି ଦେଇଛନ୍ତି । ଗୁରୁପ୍ରିୟା ସେତୁ ଉଦଘାଟନ କରିବା ପାଇଁ ରାଜ୍ୟ ସରକାର ତରବର ହେବା ପଛରେ କି ରହସ୍ୟ ରହିଛି ତାହା ପିଏଜିଙ୍କ ପକ୍ଷରୁ ମିଳିଥିବା ରିପୋର୍ଟରୁ ଜଣାଯାଇଛି । ସିଏଜିଙ୍କ ରିପୋର୍ଟ ମିଳିବା ପରେ ଏବେ ରାଜ୍ୟସରକାରଙ୍କ ମୁଣ୍ଡବିନ୍ଧା ଆରମ୍ଭ ହେଲାଣି ।
ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ପାଇଁ କାହିଁକି ଆଣ୍ଠେଇ ପଡିଥିଲେ ଏବଂ ଠିକାଦାରଙ୍କୁ କିଭଳି ୭୪ କୋଟି ଟଙ୍କାର ଅହେତୁକ ଅନୁକଂପା ଦିଆଯାଇଛି, ସେ ନେଇ ପିଏଜିଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଚିଠି ଦିଆଯାଇଛି । ଏହି ସେତୁ ନିର୍ମାଣରେ ବଡଧରଣର ଦୁର୍ନୀତି ହୋଇଥିଲେ ମଧ୍ୟ ମାଲକାନଗିରିର ନିର୍ବାହୀ ଯନ୍ତ୍ରୀ ମୁହଁ ଭୁରୁଡି ଦେଖାଇ ସବୁଖର୍ଚ୍ଚ ଆଇନ ଅନୁଯାୟୀ ହୋଇଛି ବୋଲି କହିଥିବା ପିଏଜି, ସେକ୍ଟର-୨ ପୁରୀ ଶାଖା (ଅର୍ଥନୈତିକ ଓ ରାଜସ୍ୱ କ୍ଷେତ୍ର ଅଡିଟ) ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଜୁଲାଇ ୨୬ ତାରିଖରେ ବିଚ୍ଛିନ୍ନାଂଚଳକୁ ସଂଯୋଗ କରିବା ସକାଶେ ଉଦ୍ଘାଟିତ ହୋଇଥିବା ଗୁରୁପ୍ରିୟା ସେତୁରେ ସରକାର ଠିକାଦାର କଂପାନୀକୁ ଅହେତୁକ ଅନୁକଂପା ଦେଖାଇଛନ୍ତି ବୋଲି ସିଏଜି ଦର୍ଶାଇଛନ୍ତି । ପିଏଜିଙ୍କ ପକ୍ଷରୁ ଏମ ଶ୍ରୀଧର, ପୂର୍ତ ସଚିବଙ୍କୁ ପତ୍ରଲେଖି ଦର୍ଶାଇଛନ୍ତି, ସେତୁ ନିର୍ମାଣ ବେଳେ ଦରଦାମ୍ର ଯେଉଁ ବିଶ୍ଳେଷଣ ରିପୋର୍ଟ ପ୍ରସ୍ତୁତ ହୋଇଛି ସେଥିରେ ଓପିଡବ୍ଲୁଡିକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି ।
ଶ୍ରୀ ଶ୍ରୀଧର ଜୁଲାଇ ମାସ ୧୬ ତାରିଖରେ ପୂର୍ତବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ସେତୁର ଏଷ୍ଟିମେଟ ବେଳେ ଆଇନ ଉଲ୍ଲଂଘନ କରି ଟ୍ୟୁବ, ବୋଟ୍ ବାବଦରେ ୨୪ କୋଟି ଏବଂ ସେତୁର ବଡ ଲୁହାକଡ଼ି (ଲଂଚିଂ ଗିଡର୍ସ) ବାବଦରେ ୪ କୋଟି ଏବଂ ଅନ୍ୟାନ୍ୟ ଏଷ୍ଟିମେଟ୍କୁ ମିଶାଇ ପ୍ରାୟ ୭୪ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି । ୨୦୧୪ ଫେବ୍ରୁଆରୀରେ ମାଲକାନଗିରିର ଚିତ୍ରକୋଣ୍ଡା-ଜାନବାଈ ରାସ୍ତା ପାଇଁ ୧୦୪.୩୮ କୋଟି ଟଙ୍କାର ବୈଷୟିକ ଅନୁମୋଦନ ମିଳିଥିଲା । ଇଞ୍ଜିନିୟରିଂ ସଂଗ୍ରହ ନିର୍ମାଣ (ଇପିସି) ପକ୍ଷରୁ ପରବର୍ତୀ ପର୍ଯ୍ୟାୟରେ ଏହାର ନିର୍ମାଣ ଖର୍ଚ୍ଚ ଅଟକଳ ୧୧୫.୮୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏଥିରେ ଆଗାମୀ ୫ବର୍ଷ ପାଇଁ ସେତୁର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ ବାବଦ ଖର୍ଚ୍ଚ ରହିଥିଲା । ମାତ୍ର ୨୦୧୭ ସେପ୍ଟେମ୍ବର ବେଳକୁ ସେତୁର ଅଟକଳ ପରିମାଣ ୧୭୪.୫୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଓପିଡବ୍ଲୁଡି କୋଡ୍ ନିୟମରେ ଏଭଳି କୋ÷ଣସି କଥା ଉଲ୍ଲେଖ ନାହିଁ ଯେ ସେତୁ ନିର୍ମାଣବେଳେ ବୋଟ୍ରେ ତେଲ ଓ ଆନୁଷଙ୍ଗିକ ବାବଦରେ ଏକାଥରକେ ୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇପାରିବ । ସେହିଭଳି ୨୦୧୬ ଏଓଆର୍ରେ ମଧ୍ୟ ଏଭଳି କୋ÷ଣସି ବ୍ୟବସ୍ଥା ନଥିଲା । ଏଥିପୂର୍ବରୁ କଟକସ୍ଥିତ ମହାନଦୀ ସେତୁ ଏବଂ ସମ୍ବଲପୁରର ମେଣ୍ଡାଲ ଚୋ÷କ କାର୍ଯ୍ୟ ସମୟରେ ଏଭଳି କିଛି ଏଷ୍ଟିମେଟ ହୋଇନାହିଁ । ଏନେଇ ମାଲକାନଗିରି ନିର୍ବାହୀ ଯନ୍ତ୍ରୀଙ୍କ ସଫେଇ ହେଉଛି ଯାହା ଅର୍ଥ ଖର୍ଚ୍ଚ ହୋଇଛି ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ ହୋଇଛି । ତେବେ ଏହାର ପୂର୍ଣ୍ଣାଙ୍ଗ ତଥ୍ୟ ଅଗଷ୍ଟ ୧୫ ତାରିଖ ପୂର୍ବରୁ ପିଏଜିଙ୍କୁ ପ୍ରଦାନ କରିବାକୁ ଶ୍ରୀ ଶ୍ରୀଧର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ବିକାଶର କଥା କହି ଦୁର୍ନୀତି କରୁଥିବା ରାଜ୍ୟ ସରକାରଙ୍କ ମୁଖା ଖୋଲିବାକୁ ଏହି ଘଟଣାର ସିବିଆଇ ତଦନ୍ତ କରାଇବାକୁ ଶ୍ରୀ ପଟ୍ଟନାୟକ ଦୃଢ ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here