ଇ-କାର୍ଟରେ ଓମ୍‍ଫେଡ୍‍ ସାମଗ୍ରୀ

0
44

ଭୁବନେଶ୍ବର:ଓମ୍‍ଫେଡ୍‍ ଉତ୍ପାଦିତ ସାମଗ୍ରୀକୁ ଲୋକଙ୍କ ଘର ପାଖରେ ପହଞ୍ଚାଇବାପାଇଁ ଆରମ୍ଭ ହୋଇଛି ଇ-କାର୍ଟ ବ୍ୟବସ୍ଥା । ବ୍ୟାଟେରୀ ଚାଳିତ ଏହି ଗାଡି ଗୁଡିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଇ-କାର୍ଟ ବିଭିନ୍ନ ବର୍ଗର ଖାଉଟିମାନଙ୍କ ସୁବିଧା ନିମନ୍ତେ କଲୋନୀ, ଆପାର୍ଟମେଣ୍ଟ, ହାଟ ବଜାର, ପାର୍କ ଓ ଶିକ୍ଷାନୁଷ୍ଠାନ ନିକଟରେ ଉପଲବ୍ଧ ହେବ । ଲୋକେ ସହଜରେ ଏହି ଗାଡିରୁ ସେମାନଙ୍କ ପସନ୍ଦର ଓମ୍‍ଫେଡ୍‍ ସାମଗ୍ରୀ କିଣିପାରିବେ ।

ଓମ୍‍ଫେଡ୍‍ ସହିତ ଅନୁବନ୍ଧିତ ୩ଲକ୍ଷ ଦୁଗ୍ଧଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରାଯାଇ ସେମାନଙ୍କୁ ବିକ୍ରୟ ସୁବିଧା ସହିତ ଗ୍ରାହକମାନଙ୍କୁ ଗୁଣାତ୍ମକମାନର ଦୁଗ୍ଧ ଓ ଦୁଗ୍ଧଜାତ ସମାଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି ।

ଓମ୍‍ଫେଡ୍‍ ଚାଳିତ ଏହି ଇ-କାର୍ଟରେ ସୁବାସିତ ଦୁଗ୍ଧ ବୋତଲ, ରାବିଡି, ମିଠାଦହି, ପ୍ୟାକେଟ ଦହି, ସାଦା ଦହି, ଘୋଳ ଦହି, ଲସି, ଛେନାପୋଡ, ଟେବୁଲ ବଟର, ପନୀର, ପେଡା, ଖୁଆ, ଟିଣପ୍ୟାକ ରସଗୋଲା, ଗୋଲାପଜାମୁ ଏବଂ ଆଇସ୍‍କ୍ରିମ୍‍ ଆଦି ରହିବ ।

ପ୍ରାଥମିକ ଅବସ୍ଥାରେ ଓମ୍‍ଫେଡ୍‍ ୫୦ଟି ଇ-କାର୍ଟ ସଂଗ୍ରହ ନିମନ୍ତେ ପଦକ୍ଷେପ ଗ୍ରହଣ କରିଛି । ଆଜି ୧୦ଟି ଇ-କାର୍ଟ ଗଡିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟଗୁଡିକ ଏଥିରେ ସାମିଲ ହେବ । ଏହି ପ୍ରକଳ୍ପର ଆର୍ଥିକ ପରିବ୍ୟୟ ଏକ କୋଟି ଟଙ୍କା ହୋଇଥିବାବେଳେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରୁ ଏହାକୁ ମଞ୍ଜୁରୀ ମିଳିଛି ।

ରାଜଧାନୀର ସମସ୍ତ ୬୭ଟି ୱାର୍ଡକୁ ଏହି ଇ-କାର୍ଟ ସେବା ପରିବ୍ୟାପ୍ତ ହେବ ଏବଂ ପ୍ରତ୍ୟେକ ଇ-କାର୍ଟକୁ ସହରର ଅନ୍ୟୁନ ୨ଟି ୱାର୍ଡରେ ବିପ୍ପଣନ ପାଇଁ ଦାୟିତ୍ୱ ଦିଆଯିବ । ରାଜ୍ୟର ଅନ୍ୟ ପ୍ରମୁଖ ସହର ଯଥା କଟକ, ପୁରୀ, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ସୁବିଧା ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ ।

ଆଜିର ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପର୍ଯ୍ୟଟନମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ଓମ୍‍ଫେଡ୍‍ର ଅଧ୍ୟକ୍ଷା ସରୋଜୀନୀ ମିଶ୍ର, ପରିଚାଳନା ନିର୍ଦ୍ଦେଶକ ବିଶାଳ ଗଗନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here