ଇସ୍କନ ମନ୍ଦିରରୁ ଜବରଦଖଲ ହଟାଇବାରୁ ପ୍ରବଳ ବିରୋଧ

0
39

ଭୁନନେଶ୍ୱର: ଲଗାଣ ବର୍ଷାରେ ଏଥର ସ୍ମାର୍ଟ ସିଟି ଭୁବନେଶ୍ୱର ଉବୁଟୁବ ହେଲା ପରେ ଚାରିଆଡୁ ସମାଲୋଚନାର ଶୀକାର ହେଲେ ସରକାର । ଫଳରେ ସରକାରଙ୍କ ନିଦ ଭାଙ୍ଗିଲା ଓ ଭୁବନେଶ୍ୱର ମହାନଗର ନିଗମର ଚେତା ପଶିଲା । ଏବେ ବାଧ୍ୟ ହୋଇ ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ଇସ୍କାନ ମନ୍ଦିର ଆଗରେ ସବୁବେଳେ ପାଣି ଜମି ରହୁଥିବାରୁ ତାକୁ ନେଇ ସମାଲୋଚନା ଅଧିକ ହେଉଥିଲା । ପ୍ରଥମେ ଇସ୍କନ ମନ୍ଦିରରୁ ଜବରଦଖଲ ଉଚ୍ଛେଦ ପାଇଁ ଆଜି ପଦକ୍ଷେପ ନିଆଯାଇଛି । ପ୍ରାୟ ୪୦ ଫୁଟ ପର୍ଯ୍ୟନ୍ତ ସରକାରୀ ଜମିକୁ ଇସ୍କନ କର୍ତ୍ତୃପକ୍ଷ ମାଡ଼ି ଆସିଥିବା ଅଭିଯୋଗରେ ଦର୍ଶାଯାଇଛି । ବିଏମ୍ସି ଓ ବିଡିଏ ପକ୍ଷରୁ ପୁଲିସ ଫୋର୍ସ ସହାୟତାରେ ଇସ୍କନ ମନ୍ଦିର ଆଗକୁ ଉଚ୍ଛେଦ କରାଯାଇଛି । ଏଥିରେ ଇସ୍କନ ମନ୍ଦିର ବାବା ଗୌରଗୋବିନ୍ଦ ଗୁରୁ ଗୋସ୍ୱାମୀ ମହାରାଜଙ୍କ ସମାଧି ଏହି ଜବରଦଖଲ ଅଞ୍ଚଳରେ ଆସୁଛି । ଏହାକୁ ଭାଙ୍ଗିବାକୁ ଯିବା ବେଳେ ମନ୍ଦିର ପକ୍ଷରୁ ପ୍ରତିବାଦ କରାଯାଇଥିଲା । ମନ୍ଦିର କର୍ତ୍ତୃପକ୍ଷଙ୍କ ଅଭିଯୋଗ ହେଉଛି ଜବରଦଖଲ ଅଞ୍ଚଳରୁ ସମାଧିପୀଠ ଉଠେଇବା ପାଇଁ ସମୟ ଲୋଡ଼ାଯାଇଥିଲା । କିନ୍ତୁ ସମୟ ନ ଦେଇ ଜୋର ଜବରଦସ୍ତ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି ବୋଲି ସେମାନେ କହିଛନ୍ତି । ଏହାକୁ ପ୍ରତିବାଦ କରି ସେମାନେ ସାମାଧିପୀଠକୁ ବାବାମାନେ ଘେରିରହି ଉଚ୍ଛେଦକୁ ବିରୋଧ କରିଥିଲେ । ସେଠାରେ ସେମାନେ ଧାରଣାଦେଇ ବସିଲେ । ଇସ୍କନ ଏକ ଧାର୍ମିକ ପୀଠ ହୋଇଥିବାରୁ ଏବଂ ଏହାର ହଜାର ହଜାର ଭକ୍ତ ଥିବାରୁ ସେମାନଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟ ସବୁ ଜବରଦଖଲ ଅଂଚଳ ଛାଡ଼ି ପ୍ରଥମେ ଇସ୍କାନକୁ ଡାର୍ଗେଟ କରିବା ଘଟଣାକୁ ସେମାନେ ନିନ୍ଦା କରିଛନ୍ତି । ବିରୋଧ ଯୋଗୁ ଉଚ୍ଛେଦ ବାଧାପ୍ରାପ୍ତ ହୋଇଛି । କିନ୍ତୁ ଜବରଦଖଲ ହଟାଇବା ପାଇଁ ପୂର୍ବରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ନୋଟିସ ଦିଆଯାଇଛି । ନ ହଟାଇଲେ ଦୈନିକ ୫୦୦୦ ଟଙ୍କା ଜରିମାନାର ନୋଟିସ ମଧ୍ୟ ଦିଆଯାଇଛି । କର୍ତ୍ତୃପକ୍ଷ କିଛି ପଦକ୍ଷେପ ନ ନେବାରୁ ଜବରଦଖଲ ଉଚ୍ଛେଦ କରାଗଲା ବୋଲି ବିଏମ୍ସି ଓ ବିଡିଏ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here