ସିବିଆଇ ନଁ। ଶୁଣିବା ପରେ ଏସଟିଏଫର ତଦନ୍ତ ମନ୍ଥର

0
54

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ଓ ବ୍ୟବସାୟୀକ ସଂପୃକ୍ତି ନେଇ କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ୍) ଚଳେଇଥିବା ଘମାଘୋଟ ତଦନ୍ତରେ ଏବେ ଶୀଥିଳ ପଡ଼ିଥିବା ଆଲୋଚନା ହେଉଛି । କୁହାଯାଉଛି ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ହସ୍ତକ୍ଷେପ କରିବା ପରେ କ୍ରାଇମବ୍ରାଂଚ ଆଉ ତା’ର ତଦନ୍ତକୁ ଜୋରଦାର ନକରି ଧୀରେସୁସ୍ଥେ ଥିବା ନୀତି ଆପଣାଇଛି । ଟିଟୋ ମାମଲାରେ ଏସ୍ଟିଏଫ ଯେପରି ଦୈନିକ ନୂଆ ନୂଆ ତଥ୍ୟର ଖୁଲାସା କରୁଥିଲା ତାହା ଆଉ ଦେଖାଯାଉ ନାହିଁ । ସିବିଆଇ ତଦନ୍ତ ପୂର୍ବରୁ ସବୁ ଠିକ୍ଠାକ ଚାଲିଥିଲା । ଟିଟୋର ଅପରାଧିକ ଓ ବ୍ୟବସାୟୀକ ସାମ୍ରାଜ୍ୟକୁ ଭାଙ୍ଗି ଚୁର୍ମାର କରିବା ପାଇଁ ପୂରା ଦମରେ ଏସଟିଏଫ୍ ଲାଗି ପଡ଼ିଥିଲା । ରାଜ୍ୟ ଭିତରେ ଓ ବାହାରକୁ ଯାଇ ଛାନଭିନ୍ ଚଳାଇଥିଲା । ଟିଟୋର ସାମ୍ରାଜ୍ୟ କେବଳ ରାଜ୍ୟ ଭିତରେ ସୀମିତ ନଥିଲା । ଗୋଆ, ହାଇଦ୍ରାବାଦ, ପଶ୍ଚିମବଂଗଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ତାର ପ୍ରଭାବ ବିସ୍ତାର କରିଥିଲା । ଏହି ତଦନ୍ତ ସମୟରେ ଟିଟୋ ଓ ତା ପରିବାର ନାଁରେ ଏକାଧିକ ପେଟ୍ରୋଲ ପମ୍ପ ହୋଇଥିବା ଖବର ଆସିବା ପରେ କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରଣାଳୟ ପକ୍ଷରୁ ଅଧିକ ଯାଂଚ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଇଛି ।
ଟିଟୋର ଭାଇ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଏସଟିଏଫ୍ ହାଜର ପାଇଁ ନୋଟିସ କରିଥିଲେ ବି କେହି ଆସୁନାହାନ୍ତି । ସେମାନଙ୍କୁ ଧରିବା ପାଇଁ ଏସଟିଏଫ ପକ୍ଷରୁ ଯେଉଁ ଉଦ୍ୟମ ଚାଲିଥିଲା ତାହା ମଧ୍ୟ ନରମି ଯାଇଛି । ଟିଟୋର ଯେଉଁ ସବୁ ସହଯୋଗୀମାନଙ୍କୁ ଧରିବା କଥା ସେ ଦିଗରେ ମଧ୍ୟ ତତ୍ପରତା ପ୍ରକାଶ ପାଉନାହିଁ । ଟିଟୋ ଯେଉଁ ଦାମୀ ଗାଡ଼ି, ଘଂଟା, ମୋଟର ସାଇକେଲ ବ୍ୟବହାର କରୁଥିଲା ସେ ସବୁ କେଉଁ ସୂତ୍ରରୁ ଅର୍ଥ ସଂଗ୍ରହ କରି କିଣିଥିଲା ତାହାର ଆଉ ଖୋଳତାଡ ହେଉନାହିଁ ।
ସିବିଆଇକୁ ହସ୍ତାନ୍ତର କଲା ପରେ ଏହାକୁ ନେଇ ବିଜେଡି-ବିଜେପି ମଧ୍ୟରେ ବିବାଦ ଦେଖାଦେଲା । ବିଜେପିର କେନ୍ଦ୍ର ସରକାର ଏହି ଘଟଣାକୁ ସିବିଆଇକୁ ଦେବା ନେଇ ବିଜେଡି ଆପତି ଉଠାଇଲା । ଉଭୟପକ୍ଷ ସାମ୍ବାଦିକ ସମ୍ମିଳନୀ କରି ପରିସ୍ପରକୁ ସମାଲୋଚନା କରିବାକୁ ଲାଗିଲେ । ବିଜେଡି ଭାବିଲା ଯେ ତାଙ୍କ ଦଳର ନେତାଙ୍କ ପାଖରେ ପହଂଚିବା ପାଇଁ ବିଜେପିର ଏହା ଏକ ଚାଲ । ବର୍ତମାନ ଚିଟଫଣ୍ଡ ଓ ବ୍ଲାକରୋଜ ଘଟଣାର ସିବିଆଇ ତଦନ୍ତ ଚାଲିଥିଲାବେଳେ ଆଉ ଏକ ମାମଲା ହସ୍ତାନ୍ତର କରିବା ନେଇ ବିଜେଡି କ୍ଷୁବ୍ଧ ହୋଇଛି । ଉଭୟପକ୍ଷଙ୍କ ବୟାନ ବାଜି ପରେ ଏବେ ମାମଲାର ତଦନ୍ତ ଆଗଉ ନଥିବାରୁ ସନ୍ଦେହ ପ୍ରକାଶ ପାଇଛି

LEAVE A REPLY

Please enter your comment!
Please enter your name here