ଅବହେଳିତ ଆଶ୍ରମ ସ୍କୁଲ

0
38

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଅନ୍ତର୍ଗତରେ ବହୁବିଧ ସମସ୍ୟା ମୁଣ୍ଡ ଟେକିଥିବା ବେଳେ ଅଞ୍ଚଳରେ ଥିବା ବୈଦାଖିଆ ଆଶ୍ରମ ସ୍କୁଲର ଅବ୍ୟବସ୍ଥା ଚରମ ସୀମାରେ ପହଁଚିଥିବା ଜଣାପଡିଛି । ଏପରିକି ପୁରାତନ ଶିକ୍ଷାନୁଷ୍ଠାନ ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି ।
ଘଟଣାରୁ ପ୍ରକାଶ ଯେ, ହାଟଡିହି ବ୍ଲକ ଷଢା ପଞ୍ଚାୟତ ଅଧିନସ୍ଥ ବୈଦାଖିଆ ଆଶ୍ରମ ବିଦ୍ୟାଳୟ ବହୁବିଧ ସମସ୍ୟା ଘେରରେ ଥିଲେ ମଧ୍ୟ ସମାଧାନ ଦିଗରେ ସ୍ଥାନୀୟ ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ଘଟଣା ବୋଲି ମତବ୍ୟକ୍ତ ହୋଇଛି । ଜିଲ୍ଲାର ବ୍ଲକ ଅନ୍ତର୍ଗତରେ ଗ୍ରାମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା ଭୁଶୁଡି ପଡିଥିବା ବେଳେ ସ୍ଥାନୀୟ ବିଧାୟକ ନିଜକୁ ଜଣେ ବଳିଷ୍ଠ ନେତୃତ୍ୱ ବୋଲି ସାଧାରଣରେ ପ୍ରତିପାଦିତ କରିବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲେ ସୁଦ୍ଧା ପ୍ରକୃତ ପକ୍ଷେ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ତାଙ୍କର କେତେ ଦରଦ ଅଛି ତାହା ବୈଦାଖିଆ ଆଶ୍ରମ ସ୍କୁଲର ଅବ୍ୟବସ୍ଥା ଦେଖିଲେ ଜଣାପଡିବ । ସମସ୍ୟା ସାଙ୍ଗକୁ ନାହିଁ ନାହିଁରେ ଚାଲିଛି ଆଶ୍ରମ ବିଦ୍ୟାଳୟଟି । ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ଉକ୍ତ ବିଦ୍ୟାଳୟଟି ଯେମିତି ଦୀର୍ଘବର୍ଷ ଧରି ପ୍ରଶାସନର ଅଣଦେଖା ହୋଇ ରହିଛି । ବିଭାଗର କୋଟି କୋଟି ଟଙ୍କା ଥାଇ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ ବିଦ୍ୟାଳୟ ଗୁଡିକରେ ଖର୍ଚ୍ଚ ହେଉଥିଲେ ବି ବୈଦାଖିଆ ଆଶ୍ରମ ସ୍କୁଲ ଅବହେଳିତ ହୋଇ ପଡିରହିବା ସମସ୍ତଙ୍କୁ ଚକିତ କରୁଛି । ବିଭାଗୀୟ ଅଧିକାରୀ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସ୍କୁଲର ବିକାଶ ପ୍ରତି ନିଘା ନାହିଁ । ପାଖରେ ବଉଳା ଖଣି ରହିଥିବା ବେଳେ ସ୍କୁଲ ଖଣି ପ୍ରଭାବିତ ଅଞ୍ଚଳରେ ଥାଇ ବିଦ୍ୟାଳୟଟି ଅବହେଳିତ ଅବସ୍ଥାରେ ଅଛି ।
୧୯୫୧ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୨୮୬ ଜଣ ପିଲା ପଢନ୍ତି । ସେଥିରୁ ୧୧୦ ଜଣ ଝିଅ ଏବଂ ୧୦୦ ଜଣ ପୁଅ ଛାତ୍ରବାସରେ ରହନ୍ତି ଏବଂ ଆଉ ୬୬ ଜଣ ଦିବାଧ୍ୟାୟୀ ହିସାବରେ ପଢନ୍ତି । ଏତେ ପିଲା ପାଠ ପଢୁଥିଲେ ବି ବିଦ୍ୟାଳୟର ମୋଟ ଜାଗା ମାତ୍ର ଏକରେ । ଶ୍ରେଣୀଗୃହ ଛାତ୍ରାବାସ ଏବଂ ଷ୍ଟାଫ୍ କ୍ୱାର୍ଟର ତିଆରି ହେବାରେ ସମସ୍ୟା ସୃଷ୍ଟି ହୋଇଛି । ନୁତନ ଭାବେ କରାଯାଉଥିବା ୨ ଟି କ୍ୱାର୍ଟରସର କାମ ଅଧାପନ୍ତରିଆ ରହିଛି । ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଗାଁରେ ଭଡାଘର ମିଳୁନାହିଁ । ତେଣୁ ଶିକ୍ଷକ/ଶିକ୍ଷୟିତ୍ରୀ ରହିବା ପାଇଁ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ପିଇବା ଏବଂ ଗାଧୋଇବା ପାଇଁ ଯଥେଷ୍ଟ ପରିମାଣର ପାଣି ନାହିଁ । ୩ଟି ନଳକୂପ ଏବଂ ଗୋଟିଏ ଗଭୀର ନଳକୂପ ଥିଲେ ବି ନଳକୂପ ୩ଟିର ଜଳ ବ୍ୟବହାର ଅନୁପଯୋଗୀ ବୋଲି କୁହାଯାଉଛି । ଲୁହାପଥର ଗୁଣ୍ଡ ଏବଂ ଅନ୍ୟାନ୍ୟ ମଇଳା ମିଶ୍ରିତ ପାଣି ନଳକୂପରୁ ବାହାରୁଥିବାରୁ ପାନୀୟ ଉପଯୋଗୀ ହୋଇପାରୁ ନାହିଁ । ପାଣିପମ୍ପ ଲାଗିଥିବା ଗଭୀର ନଳକୂପଟି ବିଦୁ୍ୟତ ସମସ୍ୟା ଯୋଗୁ ସର୍ବଦା ଅଚଳ ହୋଇପଡିଛି । ବିଦ୍ୟାଳୟରେ ନିଜର ଟ୍ରାନ୍ସଫରମର ନଥିବାରୁ ବିଦୁ୍ୟତ ସଂଯୋଗ ଦିଆଯାଇଛି । ୩ଟି ଶ୍ରେଣୀ ପାଇଁ ମାତ୍ର ୭ଟି ଶ୍ରେଣୀଗୃହ ଥିବାରୁ ସରକାରଙ୍କ ନିୟମାନୁସାରେ ୮ମ ଶ୍ରେଣୀ ଖୋଲାଯାଇ ପାରୁନାହିଁ । ମଇଳା ଜଳ ନିଷ୍କାସନ ନହୋଇ ପାରି ପରିବେଶକୁ ଦୂଷିତ କରୁଛି । ବିଦ୍ୟାଳୟ ହତାରେ କେନାଲ ଯାଇଥିବାରୁ ଛାତ୍ରଛାତ୍ରୀ ନିରାପଦ ମଣୁନାହାନ୍ତି । ଏତେ ଅସୁବିଧା ଥାଇବି ବିଦ୍ୟାଳୟ ପ୍ରତି କାହାର ଦୃଷ୍ଟି ନପଡିବା ଘୋର ପରିତାପର ବିଷୟ । ବିଦ୍ୟାଳୟ ପାଖରେ ଥିବା ସରକାରୀ ଜମିକୁ ବିଦ୍ୟାଳୟରେ ମିଶାଇବା ବା ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ବିଦ୍ୟାଳୟରେ ଯଥେଷ୍ଟ ଶ୍ରେଣୀଗୃହ ପ୍ରତିଷ୍ଠା କରିବା, ବିଦ୍ୟାଳୟରେ ନିଜସ୍ୱ ଟ୍ରାନ୍ସଫରମର ପ୍ରତିଷ୍ଠା କରିବା, ସୋଲାର ପମ୍ପ ଏବଂ ଆଲୋକ ବ୍ୟବସ୍ଥା କରିବା, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ବାସଗୃହ ତିଆରି କରିବା, ବର୍ଜ୍ୟବସ୍ତୁ ଏବଂ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାରେ ଡିଏମ୍ଏଫ ପାଣ୍ଠି ବ୍ୟବହାର କରି ଆଶ୍ରମ ବିଦ୍ୟାଳୟଟିକୁ ସରସ ସୁନ୍ଦର କରିବା ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି

LEAVE A REPLY

Please enter your comment!
Please enter your name here