ହଜାରେ ଏକର ଜମି ଜଳମଗ୍ନ

0
37

ବାଲିକୁଦା: ଗତ କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଉପକୂଳବର୍ତ୍ତୀ ଜଗତସିଂହପୁର ଜିଲ୍ଲାର ତଳୁଆ ଅଞ୍ଚଳ ଏରସମା ବ୍ଲକ୍ରେ ହଜାର ହଜାର ଏକର ଚାଷ ଜମି ସହିତ ଅନେକ ବାସଗୃହ ଜଳବନ୍ଦୀ ଅବସ୍ଥାରେ ରହିଛି । ବ୍ଲକ୍ର ଗୋଡା ପଞ୍ଚାୟତର ବିଭିନ୍ନ ଗାଁମାନଙ୍କରେ ବ୍ୟାପକ ଚାଷ ଜମି ଜଳାର୍ଣ୍ଣବ ହୋଇଛି । ସେହିପରି ଅନେକ ପରିବାର ପାଣିଘେରରେ ରହିବା ଯୋଗୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପଞ୍ଚାୟତର ଭଜାଖିଆ, ସହରକନ୍ଦା, ଘୋଷାଘର, କୁଅଁର ବେଦୀ, ଶୋଭାପାଟ, ଶାଳିଓ, ଦୁର୍ଗାପୁର, କଦଳୀବାରି, ବାସୁଦେବପୁର ଆଦି ଅଞ୍ଚଳର ହଜାର ହଜାର ଏକର ଚାଷଜମିରେ ପାଣି ଭର୍ତ୍ତି ହୋଇଛି । ଚାଷୀମାନେ ଚାଷ କାର୍ଯ୍ୟ ରୁଆଁ ପାଇଁ ଯେଉଁ ତଳିଘେରା ପକାଇଥିଲେ ତାହା ଏହି ପାଣିରେ ସଢ଼ି ଯାଇଛି । ସେହିପରି ଗମନା ଗମନ ଏକ ପ୍ରକାର ଠପ୍ ହୋଇଯାଇଛି । ତଳୁଆ ପଞ୍ଚାୟତ ଗଡବିଶୁନପୁର, ଆମ୍ବିକି, କୁଞ୍ଜକୋଠୀ, ପୋଖରିଆପଡା, ନାରଦିଆ, ସୋମପୁର, ବଳେଇପୁର, ପଦ୍ମପୁର ଆଦି ପଞ୍ଚାୟତର ଲୋକଙ୍କ ମଧ୍ୟରୁ ଅନେକ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।
ଜଗତସିଂହପୁର ଜିଲ୍ଲାର ବାଲିକୁଦା, ତିର୍ତ୍ତୋଲ, ରଘୁନାଥପୁର ଆଦି ଅଞ୍ଚଳର ଉଦ୍ବୃତ୍ତ ବର୍ଷାଜଳ ଏରସମା ବ୍ଲକ୍ର ଜଟାଧାର ମୁହାଣ ଦେଇ ବଙ୍ଗୋପସାଗରରେ ନିଷ୍କାସନ ହୋଇଥାଏ । କିନ୍ତୁ ଏହି ଜଳନିଷ୍କାସନରେ ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବାରୁ ଜଳ ନିଷ୍କାସନ ହୋଇପାରିନାହିଁ । ଏହାର ପ୍ରମୁଖ କାରଣ ପାଲଟିଛି ବ୍ୟାପକ ଚିଙ୍ଗୁଡି ଘେରି । ଯଦି ଯୁଦ୍ଧକାଳୀନ ଭିତିରେ ଜଳ ନିଷ୍କାସନ କରାନଯାଏ ତେବେ ଆଗାମୀ ଦିନରେ ଏହି ଅଞ୍ଚଳ ଗୁଡ଼ିକରେ ମରୁଡ଼ି ପରିସ୍ଥିତି ପରିଲକ୍ଷିତ ହେବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here