ଜୟଦେବଙ୍କ ବଦଳରେ ଏଥର ଲଢ଼ିବେ ତ।ଙ୍କ ପୁଅ ସଂଗ୍ରାମ ଜେନା

0
111

ଭୁବନେଶ୍ୱର : ୨୦୧୯ରେ ଆନନ୍ଦପୁରରୁ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଲଢ଼ିବେ ନାହିଁ । ଆନନ୍ଦପୁରରୁ ତାଙ୍କ ପୁଅ ସଂଗ୍ରାମ ଜେନା ହିଁ ଲଢ଼ିବେ । ଏଥିପାଇଁ ସଂଗ୍ରାମ ଆନନ୍ଦପୁରର ବିଭିନ୍ନ ଅଂଚଳ ଗସ୍ତ କରୁଥିବାବେଳେ ନିଶ୍ଚିତ ବିଜୟ ନେଇ ଆଶା ପ୍ରକାଶ କରିଛନ୍ତି ।

ଆନନ୍ଦପୁରରୁ ଜୟଦେବ ଜେନା ୪ ଥର ବିଜୟୀ ହୋଇଛନ୍ତି । ୧୯୮୦, ୧୯୮୫, ୧୯୯୫ ଓ ୨୦୦୪ରେ ଜୟଦେବ ଆନନ୍ଦପୁରରୁ ବାଜିମାତ କରିଥିଲେ । ଜାନକୀବାବୁଙ୍କ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା, ଗୃହନିର୍ମାଣ ଓ ପୂର୍ତ ଭଳି ବିଭାଗ ଦାୟିତ୍ୱରେ ଥିଲେ ଜୟଦେବ । ତେବେ ୨୦୦୯ ଓ ୨୦୧୪ରେ ଜୟଦେବ ନିଜ ଗଡ଼ ଆନନ୍ଦପୁରରେ ପରାସ୍ତ ହୋଇଥିଲେ । ୨୦୦୯ରେ ସେ ବିଜେଡ଼ି ନେତା ଭାଗିରଥି ସେଠୀଙ୍କ ଠାରୁ ମାତ୍ର ୬ ହଜାର ଭୋଟରେ ପରାସ୍ତ ହୋଇଥିଲେ । ତେବେ ୨୦୧୪ ନିର୍ବାଚନ ବେଳେ ପୂର୍ବତନ ବିଜେପି ବିଧାୟକ ମାୟାଧର ଜେନା ବିଜେଡ଼ିରେ ସାମିଲ ହୋଇଥିଲେ । ଫଳରେ ଭାଗିରଥିଙ୍କ ବଦଳରେ ମାୟାଧରଙ୍କୁ ଟିକେଟ ମିଳିଥିଲା । ନିଜର ବିଜେପି ସମର୍ଥକ ଓ ବିଜେଡ଼ିର ସଂଗଠନ ପାଇଁ ସେ ୨୦୧୪ରେ ଜୟଦେବଙ୍କୁ ୨୨ ହଜାର ଭୋଟରେ ପରାସ୍ତ କରିଥିଲେ । ଜୟଦେବ ସେତେବେଳେ ପିସିସି ସଭାପତି ଥିବାବେଳେ ମାୟାଧର ଜ୍ୟାଂଟ କିଲର ଭାବେ ଉଭା ହୋଇଥିଲେ । ତେବେ ୨୦୧୪ ନିର୍ବାଚନ ପରେ ପୁଣି ଆନନ୍ଦପୁର ରାଜନୀତି ନୂଆ ମୋଡ଼ ନେଇଥିଲା । ବିଜେଡ଼ିର ଟାଣୁଆ ନେତା ଭାଗିରଥି ସେଠୀ ବିଜେପି କ୍ୟାମ୍ପରେ ଯୋଗ ଦେଇଥିଲେ ।

ବିଜେଡ଼ି ଓ ବିଜେପି କ୍ୟାମ୍ପରେ ଏମିତି ଯିବାଆସିବା ଲାଗିଥିବାବେଳେ କଂଗ୍ରେସ ଭୋଟ ସ୍ଥିର ରହିଛି । ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଏବେବି କଂଗ୍ରେସର ପ୍ରାୟ ୫୦ରୁ ୬୦ ହଜାର ଭୋଟ ରହିଛି । ଆନନ୍ଦପୁରରେ ଜୟଦେବଙ୍କ ପରାଜୟର ଆଉ ଏକ କାରଣ ମଧ୍ୟ ରହିଛି । ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ମଧ୍ୟରେ ସମନ୍ୱୟ ରହୁନଥିବାରୁ ପରସ୍ପର ରାଜନୀତିକସ୍ତରରେ ଗୋଛି କଟାକଟିରେ ବ୍ୟସ୍ତ ରୁହନ୍ତି । ଫଳରେ ଉଭୟ ନିରଞ୍ଜନ ଓ ଜୟଦେବଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି । କିନ୍ତୁ ଏବେ ସ୍ଥିତିରେ ପରିବର୍ତନ ଆସିଛି । ନିରଞ୍ଜନ ଓ ଜୟଦେବ ପୂର୍ବ ତିକ୍ତତା ଭୁଲି ଏକାଠି କାମ କରିବାକୁ ଅଂଟା ଭିଡ଼ିଛନ୍ତି । ୨୦୧୯ରେ ଆନନ୍ଦପୁରରେ କଂଗ୍ରେସ ଜିତିବାର ସମ୍ଭାବନା ରହିଥିବାବେଳେ ଏହି ସୁଯୋଗରେ ସଂଗ୍ରାମ ପ୍ରଥମ ଥର ପାଇଁ ବିଧାନସଭା ଯିବାର ଲକ୍ଷ୍ୟ ରଖିଛନ୍ତି । ପୁଅକୁ ରାଜନୈତିକସ୍ତରରେ ଉପରକୁ ଉଠାଇବା ପାଇଁ ଜୟଦେବ ଏଭଳି ଯୋଜନା କରିଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟଯେ, ସଂଗ୍ରାମ ଜେନା ପୂର୍ବରୁ ଯୁବ କଂଗ୍ରେସର ରାଜ୍ୟ ସଭାପତି ଥିବାବେଳେ ୨୦୧୪ରେ ଭଦ୍ରକରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ।

LEAVE A REPLY

Please enter your comment!
Please enter your name here