ଦୁର୍ଦ୍ଦିନରେ ଶିକ୍ଷାଦାନ! ତାସ୍ ଖେଳରେ ବିତୁଛି ପିଲାଙ୍କ ସମୟ

0
44

ଝୁମ୍ପୁରା: ଝୁମ୍ପୁରା ବ୍ଲକର କୁଟୁଗାଁ ପଞ୍ଚାୟତରେ ଥିବା ନାଉପାଣି ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଓ ଅରାଜକତା ସୀମା ଟପିବାକୁ ବସିଛି । ଶିକ୍ଷକ ନାମକୁ ମାତ୍ର ସ୍କୁଲ୍ରେ ନିଜର ଉପସ୍ଥାନ ଜାହିର କରି ଆସୁଥିବା ବେଳେ ମଧ୍ୟାହ୍ନ ଭୋଜନ ପରେ ନିଜ ନିଜର ବ୍ୟକ୍ତିଗତ କାମ ଧନ୍ଦାରେ ସ୍କୁଲ୍ ଛାଡି ଚାଲିଯାଉଛନ୍ତି । ଛାତ୍ରଛାତ୍ରୀ ମଉଜ ମଜଲିସ୍ରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ଅନୁପସ୍ଥିତି ନେଇ ଛାତ୍ରଛାତ୍ରୀ ତାସ୍ ଖେଳରେ ମନ ଦେବା ସହ ଗଛଚଢିବା, ପାଚେରୀ ଚଢିବା ଆଦି କାମରେ ଲାଗି ଯାଉଛନ୍ତି । ଯାହାକି ସେମାନଙ୍କ ପାଇଁ ବିଭିନ୍ନ ବିପଦ ଟାଣି ଆଣୁଛି । ଏମିତି ଏକ ଅଶୋଭନୀୟ ଘଟଣାକୁ ନେଇ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଶୁକ୍ରବାର ବି.ଇ.ଓ. ନିଲମ୍ବିତ କରିଥିବା ଜଣାପଡିଛି ।
ମିଳିଥିବା ସୂଚନାନୁସାରେ ନାଉପାଣି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପାଞ୍ଚୋଟି ଶ୍ରେଣୀରେ ୪୮ଜଣ ଛାତ୍ର ନାମ ଲେଖାଇଥିବା ବେଳେ ୧୯ଜୁଲାଇରେ ମୋଟ ୩୬ଜଣ ଉପସ୍ଥିତ ଥିଲେ । ହେଲେ ୧୯ ତାରିଖରୁ ପ୍ରଧାନ ଶିକ୍ଷକ ଛୁଟିରେ ଥିବାରୁ ସହକାରୀ ଶିକ୍ଷକ ନିରଞ୍ଜନ ଲାଗୁରୀ ଏବଂ ମହେନ୍ଦ୍ର ପୁର୍ତ୍ତି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇ ଶୋଇ ପଡିବା ଭଳି ଅଭିଯୋଗ ହୋଇଛି । ସେପଟେ ଛାତ୍ରଛାତ୍ରୀ ତାସ୍ ଖେଳିବାରେ ବ୍ୟସ୍ତ ରହି ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ପାଚେରୀ ଉପରେ ଚଢି ଖେଳାଖେଳି କରୁଛନ୍ତି । ଅନୁସନ୍ଧାନରୁ ଆହୁରି ଜଣା ପଡିଛି ପ୍ରଧାନଶିକ୍ଷକ ନାମକୁ ମାତ୍ର ଦରଖାସ୍ତ ଲେଖି ସହକାରୀ ଶିକ୍ଷକଙ୍କ ହାତରେ ଦେଇ ଚାଲି ଯାଉଛନ୍ତି । ଏଭଳି ଘଟଣା ଉକ୍ତ ବିଦ୍ୟାଳୟର ନିତିଦିନିଆ ଘଟଣା ବୋଲି ସାଧାରଣରେ ଅଭିଯୋଗ ହୋଇଛି । ବିଦ୍ୟାଳୟରେ ପାଠପଢାର ନାଁ ଧରୁନଥିବା ଶିକ୍ଷକଙ୍କ କାର୍ଯ୍ୟ ଏବେ ପଦାରେ ପଡିଛି । ବି.ଆର.ସି., ସି.ଆର.ସି. ବ୍ଲକ ଶିକ୍ଷାଧିକାରୀ ଏବେ ନିୟମିତ ପରିଦର୍ଶନ କରୁନଥିବାରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ବିଦ୍ୟାଳୟରେ ଶିଶୁଙ୍କ ଦାୟିତ୍ୱ ବୁଝିବାକୁ କେହି ନାହାଁନ୍ତି ହେଲେ ଶତ ପ୍ରତିଶତ ଉପସ୍ଥାନ ସହ ଶିକ୍ଷକ ମାସିକ ଲକ୍ଷାଧିକ ଟଙ୍କାର ଦରମା ନେବାରେ କିନ୍ତୁ ଅବହେଳା ହେଉନାହିଁ । ପ୍ରଶ୍ନ ଉଠେ ଉଚ୍ଚାଧିକାରୀ କେଉଁ ସ୍ୱାର୍ଥରେ ଏସବୁ ବିଦ୍ୟାଳୟ ଗୁଡିକରେ ଚାଲୁଥିବା ଭୟଙ୍କର ଦୁର୍ନୀତିକୁ ପ୍ରଶ୍ରୟ ଦେଉଚନ୍ତି ତାହା ସେମାନଙ୍କ ସ୍ୱଚ୍ଛପ୍ରଶାସନିକ ଦକ୍ଷତା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଅତ୍ୟନ୍ତ ଦାୟିତ୍ୱ ହୀନ ଭାବେ ଗ୍ରାମାଞ୍ଚଳରେ ଅଧିକାଂଶ ପ୍ରାଥମିକ ବିଦ୍ୟାଳୟ ହଜାର ହଜାର ଶିଶୁଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷାବିଭାଗ ଅଧିକାରୀ ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରି ଦେଉଛନ୍ତି । ତେଣୁ ଜିଲ୍ଲାର ଶିକ୍ଷାବିତ୍ ଓ ବୁଦ୍ଧିଜିବୀ ମହଲରେ ଏ ଘଟଣାର ଘୋର ନିନ୍ଦା କରିବା ସହ ଖୋଦ୍ ଜିଲ୍ଲାପାଳ ଏ ମାମଲାରେ ହସ୍ତକ୍ଷେପ କରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପୁନରୁଦ୍ଧାର କରିବାକୁ ଦାବି କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ବିଦ୍ୟାଳୟର ଏଭଳି ଅବ୍ୟବସ୍ଥାକୁ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ନଜରକୁ ଅଣାଯିବା ପରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଲାଗୁରୀଙ୍କୁ ନିଲମ୍ବିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here