ଏ ବର୍ଷ ୧୦୦୦ କୋଟିର କୃଷି ଋଣ

0
45

ଭୁବନେଶ୍ବର:ଏବର୍ଷ କୃଷିପାଇଁ ସମବାୟ ବ୍ୟାଙ୍କ ଜରିଆରେ ୧୦୦୦ କୋଟି ଟଙ୍କା ଋଣ ଦେବାର ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ସୀମିତ ସମୟ ମଧ୍ୟରେ ନିଶ୍ଚୟ ହାସଲ ହୋଇପାରିବ ବୋଲି ଓଡିଶା ରାଜ୍ୟ ସମବାୟବ୍ୟାଙ୍କ୍‍ର ପରିଚାଳନା ନିର୍ଦ୍ଦେଶକ ତୁଷାରକାନ୍ତ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କୃଷି ଋଣ ସଂକ୍ରାନ୍ତୀୟ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ରାଜ୍ୟ ସମବାୟବ୍ୟାଙ୍କ୍‍ର କାର୍ଯ୍ୟଯୋଜନା ଉପସ୍ଥାପନ କରିବା ଅବସରରେ ଶ୍ରୀ ପଣ୍ଡା ଏହି ତଥ୍ୟ ଦେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମବାୟ ବିଭାଗ ଶାସନ ସଚିବ ରଞ୍ଜନା ଚୋପ୍ରା ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଶାସନ ସଚିବ ବିଶାଳ ଗଗନଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ ।

ଏଥିରେ ଅଂଶଗ୍ରହଣକରି ଶ୍ରୀ ପଣ୍ଡା ଉଲ୍ଲେଖ କରିଥିଲେ ଯେ ସ୍ୱଳ୍ପମିଆଦୀ ଶସ୍ୟଋଣ ଯୋଗାଣ କ୍ଷେତ୍ରରେ ସମବାୟବ୍ୟାଙ୍କ୍‍ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ଓଡିଶାରେ ବାର୍ଷିକ ଏହି କିସମର ଯେତେ ଋଣ ଦିଆଯାଉଛି ତାହାର ପ୍ରାୟ ୬୫ ପ୍ରତିଶତ ସମବାୟ ବ୍ୟାଙ୍କ୍‍ମାନେ ଯୋଗଉଛନ୍ତି । ତେବେ ଦୀର୍ଘମିଆଦୀ କୃଷିଋଣ ଯୋଗାଣ କ୍ଷେତ୍ରରେ କେତେକ ବୈଷୟିକ ସମସ୍ୟା ରହୁଥିବାରୁ ଋଣ ଯୋଗାଣ ଅପେକ୍ଷାକୃତ କମ୍‍ ରହୁଛି ।

ସମବାୟ ବ୍ୟାଙ୍କ୍‍ମାନେ ଯେପରି ଅଧିକ ପରିମାଣର ଦୀର୍ଘମିଆଦୀ କୃଷିଋଣ ଦେଇପାରିବେ ସେ ସଂକ୍ରାନ୍ତରେ ବୈଠକରେ ବ୍ୟାପକ ଆଲୋଚନା କରାଯାଇ ଋଣ ଗ୍ରହୀତାଙ୍କ ‘ସେୟାର ଲିଙ୍କେଜ୍‍’ କ୍ଷେତ୍ରରେ ଥିବା ଅସୁବିଧାକୁ ଦୂର କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡା ଏ କ୍ଷେତ୍ରରେ ଅମାନତ ରାଶି ଜନିତ ସମସ୍ୟାର ସମାଧାନ ଲାଗି ମଧ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି ।

କୃଷିଋଣ ନେଉଥିବା ସମବାୟ ସଦସ୍ୟମାନଙ୍କୁ ଋଣ ଅର୍ଥର ୧୦ପ୍ରତିଶତ ସେୟାର ଲିଙ୍କେଜ୍‍ ଦେବାର ଯେଉଁ ବ୍ୟବସ୍ଥା ରହିଛି ତାହାକୁ ବଦଳାଇ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କ୍ଷେତ୍ରରେ ୫୦୦ଟଙ୍କା, ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କ୍ଷେତ୍ରରେ ୭୫୦ଟଙ୍କା, ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କ୍ଷେତ୍ରରେ ୮୫୦ଟଙ୍କା ଓ ୧୫ଲକ୍ଷରୁ ଉଦ୍ଧ୍ୱର୍ ଋଣ କ୍ଷେତ୍ରରେ ୧୦୦୦ଟଙ୍କା କରି ସେୟାର ଲିଙ୍କେଜ ଲାଗି ଶ୍ରୀ ପଣ୍ଡା ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇଛନ୍ତି ।

ଏହାଛଡା ଅନ୍ୟ ବ୍ୟାଙ୍କ୍‍ମାନେ କୃଷିଋଣ ପ୍ରଦାନବେଳେ କୋ ଲେଟେରାଲ ସିକ୍ୟୁରିଟିର ଯେଉଁ ବ୍ୟବସ୍ଥା ରଖିଛନ୍ତି ତାହା ବି ସମବାୟ କ୍ଷେତ୍ରରେ ଲାଗୁ କରାଗଲେ ଚାଷୀମାନେ ସୁବିଧାରେ ଅଧିକ ପରିମାଣର କୃଷୠଣ ନେଇପାରିବେ ।

ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିନେଇଥିବା ପରିପ୍ରେକ୍ଷୀରେ ଏବର୍ଷ ସମବାୟ ବ୍ୟାଙ୍କ୍‍ ଗୁଡିକ ଜରିଆରେ ଦିଆଯିବାକୁ ଥିବା ୧୦୦୦ କୋଟି ଟଙ୍କାର କୃଷିଋଣ ଲକ୍ଷ ଟପିଯିବ ବୋଲି ଆଶା କରାଯାଉଛି ।

ତେବେ ଠିକଣା ଋଣ ଗ୍ରହୀତା ଚିହ୍ନଟ କରିବା ସହିତ ଋଣ ଅର୍ଥର ଯେପରି ସଦୁପଯୋଗ ହୋଇପାରିବ ଓ ଏଥିରେ ଲାଭବାନ୍‍ ହୋଇ ଚାଷୀ ଠିକଣା ସମୟରେ ଋଣ ପରିଶୋଧ କରିପାରିବେ ସେ ଦିଗରେ କୃଷି ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର କ୍ଷେତ୍ର ଅଧିକାରୀମାନେ ଉଭୟ ସମବାୟବ୍ୟାଙ୍କ୍‍ ଓ ଚାଷୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here