କଳିରେ ପଡିଲା ତ।ଳି

0
107

କୋରାପୁଟ ଜିଲ୍ଲାର ଦୁଇ ଟାଣୁଆ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ମଧ୍ୟରେ କିଛିଦିନ ଧରି ଚାଲିଥିବା ବିବାଦର ଆଜି ଏକ ପ୍ରକାର ଅନ୍ତ ଘଟିଛି । ରାଜ୍ୟ ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଆଜି ଦୁଇ ନେତାଙ୍କ ସହିତ ଆଲୋଚନା କରିବାପରେ ଏହି ବିବାଦ ତୁଟିଛି ।

କିଛିଦିନ ଧରି କୋରାପୁଟ ବିଧାୟକ ଶ୍ରୀ ସଗରିଆ ଓ ଜୟପୁର ବିଧାୟକ ତଥା ବିରୋଧିଦଳ ମୁଖ୍ୟ ସଚେତକ ଶ୍ରୀ ବାହିନିପତି ପରସ୍ପର ବିରୁଦ୍ଧରେ ଆକ୍ଷେପ ପ୍ରତି ଆକ୍ଷେପ କରିଆସୁଥିଲେ ।

ଅବସ୍ଥା ଏଭଳି ହୋଇଥିଲା ଯେ ତାରାଙ୍କ ବିରୁଦ୍ଧରେ ଶ୍ରୀ ସଗରିଆ ରାଜ୍ୟ କଂଗ୍ରେସ ନେତାଙ୍କ ଠାରୁ ଆରମ୍ଭକରି ଦଳର ହାଇକମାଣ୍ଡଙ୍କ ନିକଟରେ ଫେରାଦ ହୋଇଥିଲେ ।

ଦୁଇ କୋରାପୁଟିଆ ନେତାଙ୍କ ବିବାଦର ସମାଧାନ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଗୋଟିଏ କମିଟି ଗଠନ ସହିତ ସେମାନଙ୍କ ସହିତ ଆଲୋଚନା କରାଯାଇ ଥିଲା । ହେଲେ ବିବାଦ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଥିଲା ।

ଅଳ୍ପ ଦିନ ତଳେ ରାଜ୍ୟ କଂଗ୍ରେସ ଏସ୍‍ସି ସେଲ୍‍ର ଅଧ୍ୟକ୍ଷ ଥିବା ଶ୍ରୀ ସଗରିଆ କଂଗ୍ରେସ ଭବନ ପରିବର୍ତ୍ତେ ତାଙ୍କ ସରକାରୀ ବାସଭବନରେ ସେଲ୍‍ର ବୈଠକ ଡାକିଥିଲେ । କଂଗ୍ରେସଭବନରେ ତାଙ୍କୁ ସ୍ଥାନ ନମିଳିବାରୁ ସେ ନିଜ ଘରେ ବୈଠକ କରିଥିବା କହିଥିଲେ ।

ସେହିଭଳି କୋରାପୁଟ ଜିଲ୍ଲାରେ ସଗରିଆଙ୍କ ନେତୃତରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମକୁ ତାରା କିମ୍ବା କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଥିବା ତାଙ୍କ ପତ୍ନୀ ମିନାକ୍ଷୀ ବାହିନିପତି କେହି ଯାଉନଥିଲେ । ଜିଲ୍ଲା କଂଗ୍ରେସ ଏକ ପ୍ରକାର ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା ।

ଅଳ୍ପ ଦିନ ତଳେ ନିଜ ଧର୍ମ ପରିବର୍ତ୍ତନ କରି ଚର୍ଚ୍ଚାରେ ଥିବା ସଗରିଆଙ୍କ ସହିତ ତାରା କିମ୍ବା ମିନାକ୍ଷୀଙ୍କର ଆଦୌ ଭଲ ଭାବେ ପଡୁନଥିଲା ।

ହେଲେ ଆଜି ଜିତେନ୍ଦ୍ର ସିଂହଙ୍କ ସହିତ ଆଲୋଚନା ପରେ ଉଭୟ ତାରା ଓ ସଗରିଆ ନରମିଛନ୍ତି । ଆଲୋଚନା ପରେ ତାରା କହିଛନ୍ତି – ଆମ ଭିତରେ ମନୋମାଳିନ୍ୟ ଥିଲା, ହେଲେ କୌଣସି ବିବାଦ ନଥିଲା । ସେହିଭଳି ଶ୍ରୀ ସଗରିଆ କହିଛନ୍ତି ଯେ ମଇଁଷି ଶିଙ୍ଗ ଫଟା – ଯୁଝିଲା ବେଳକୁ ଗୋଟା ।

LEAVE A REPLY

Please enter your comment!
Please enter your name here