ଏମଏସପି ବୃଦ୍ଧି ପ୍ରସଙ୍ଗ: ବିଧାନସଭା ଗୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟିବ

0
34

ଭୁବନେଶ୍ୱର: ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗରେ ଆଜି ବିଧାନସଭା ଗୃହ କମିଟି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବା ପାଇଁ ସମୟ ଦେଉନାହାନ୍ତି । ତେଣୁ ଗୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟି ଦାବି ଉପସ୍ଥାପନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଗୃହ କମିଟି ବୈଠକରେ ବିଜେପି ବିଧାୟକମାନେ ଉପସ୍ଥିତ ନଥିଲେ ।

ଧାନର ଏମଏସପି ବୃଦ୍ଧି ନେଇ ଗଠିତ ବିଧାନସଭା ଗୃହ କମିଟିର ବୈଠକ ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ କମିଟିକୁ ସାକ୍ଷାତ କରିବାକୁ ସୁଯୋଗ ଦେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଏଣୁ କମିଟି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିବେ । ଏନେଇ କମିଟି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିବେ । ଆଜିର ବୈଠକରେ ବିଜେପିର ୨ ସଦସ୍ୟ ଅନୁପସ୍ଥିତ ଥିଲେ । ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ଓ ବିଭୂତି ଭୂଷଣ ହରିଚନ୍ଦନ ଆସିନଥିଲେ । ତେବେ କଂଗ୍ରେସର ସଦସ୍ୟମାନେ ବୈଠକରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟଯେ, ଏମଏସପି ସଂକ୍ରାନ୍ତୀୟ ଦାବି ଉପସ୍ଥାପନ ପାଇଁ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲା । ଏନେଇ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଚିଠି ଲେଖାଯାଇଥିଲା । ହେଲେ କୌଣସି ଉତ୍ତର ଆସିନଥିଲା । ଭେଟିବା ପାଇଁ ସୁଯୋଗ ନମିଳିବାରୁ କେନ୍ଦ୍ର ସରକାରଙ୍କୁ ଉଭୟ ବିଜେଡି ଓ କଂଗ୍ରେସ ସମାଲୋଚନା କରିଥିଲେ । ନିକଟରେ କେନ୍ଦ୍ର ସରକାର ଧାନର ଏମଏସପି କ୍ୟୁଣ୍ଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରିଛନ୍ତି । ବୈଠକରେ ଏନେଇ ଆଲୋଚନା କରାଯାଇଥିବାବେଳେ କେନ୍ଦ୍ର ସରକାର ଯେତିକି ବୃଦ୍ଧି କରିଛନ୍ତି ତାହା ଯଥେଷ୍ଟ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ସମୟ ଦେଇନଥିବାରୁ ଏଥର ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନିଆଯାଇଛି । ହେଲେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଆଜିର ବୈଠକର ନିଷ୍କର୍ସ ଓ ନିଷ୍ପତ୍ତିି ସମ୍ପର୍କରେ ଜଣାଇବାକୁ ସ୍ଥିର ହୋଇଛି ।

LEAVE A REPLY

Please enter your comment!
Please enter your name here