ବିନା ସୁରକ୍ଷାରେ ଚାଲିଛି ଯାତ୍ରୀବାହୀ ଡଙ୍ଗା:ସରକାର ଚେଇଁବେ କେବେ?

0
31

ଧାମରା : ସାଳନ୍ଦୀ, ମନ୍ତେଇ ଓ ବୈତରଣୀ ନଦୀରେ ବାରମ୍ବାର ଡଙ୍ଗାବୁଡି ଘଟଣା ଘଟି ଚାଲିଛି । କେତେବେଳେ ଯାତ୍ରୀବାହୀ ଡଙ୍ଗା ତ ଆଉ କେତେବେଳେ ମାଲବାହୀ ଡଙ୍ଗା ବୁଡୁଛି । ଏଥିସହ ମାଛଧରା ଟ୍ରଲର ବର୍ଷରେ ୫ଥର ନଦୀରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଏତେ ସବୁ ପରେ ବି ଏହାକୁ ରୋକିବାରେ ପ୍ରଶାସନ ବିଫଳ । ନା ଏଥିପ୍ରତି କୌଣସି ପଦକ୍ଷେପ ନା ନିଆଯାଉଛି କାର୍ଯ୍ୟାନୁଷ୍ଠାନ ।
ଭଦ୍ରକ ଜିଲ୍ଲାର ବୈତରଣୀ, ସାଳନ୍ଦୀ, ମନ୍ତେଇ, ରେବ, ଗେଙ୍ଗୁଟି ଆଦି ନଦୀର ଫେରିଘାଟ ୧୨ଟି ଥିଲା ବେଳେ ଯାତ୍ରୀବାହୀ ଡଙ୍ଗାଗୁଡିକ ଅତି ବିପଦଜନକ ଭାବେ ଚାଲିଛି । କୌଣସି ଡଙ୍ଗାରେ ଯାତ୍ରୀଙ୍କ ପାଇଁ ସୁରକ୍ଷା ଜ୍ୟାକେଟ ନାହିଁ । ପ୍ରତି ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ, ୩୦ରୁ ଅଧିକ ମୋଟର ସାଇକେଲ, ୧୫ରୁ ଅଧିକ ସାଇକେଲ ଥରକେ ବୋଝେଇ କରି ପାରି କରାଯାଉଛି । ଏଥିପ୍ରତି ଘାଟ ନେଉଥିବା ମାଲିକଙ୍କର ବି ଖାତିର ନାହିଁ । ବେଖାତିର ଭାବେ ବିପଦପୂର୍ଣ୍ଣ ଡଙ୍ଗା ସେବା ଚାଲିଛି । ଚାନ୍ଦବାଲି ହାଟରୁ ତେଜରାତି ସଉଦା ବୋଝେଇ କରି ଧାମରା, ତାଳଚୂଆ, ଭିତରକନିକା ଆଦି ଅଞ୍ଚଳକୁ ଦୋକାନୀ ନେଉଥିବା ମାଲବାହୀ ଡଙ୍ଗା ବି ଆବଶ୍ୟକତା ଠାରୁ ଅଧିକ ବୋଝେଇ କରି ନଦୀରେ ଯାତାୟାତ କରୁଛି ।
ମିଳିଥିବା ତଥ୍ୟ ଅନୁଯାୟୀ, ବିପଦପୂର୍ଣ୍ଣ ଯାତ୍ରା ପାଇଁ ବୈତରଣୀ ନଦୀରେ ମୁଆଁ ଘାଟରେ ଗତବର୍ଷ ଡଙ୍ଗା ଧକ୍କା ହୋଇ ଜଣେ କାଉଡିଆଙ୍କର ମୃତୁ୍ୟ ହୋଇଥିଲା । ରାଜକନିକା ଅଞ୍ଚଳରୁ ଆରଡି କି ଯାଉଥିବା କାଉଡିଆ ଦୁର୍ଘଟଣାରେ ଶୀକାର ହୋଇଥିଲେ । ସେହିପରି ମନ୍ତେଇ ନଦୀରେ ପଞ୍ଚୁଟିକ୍ରୀ ଘାଟରେ ଯାତ୍ରୀବାହୀ ଡଙ୍ଗା ବୁଡି ଯାଇଥିଲା । ଅନ୍ୟପକ୍ଷରେ ଧାମରା ମାଛଧରା ଜେଟିରେ ଥରକୁ ଥର ଡଙ୍ଗା ଦୁର୍ଘଟଣା ହେଉଛି । ଜେଟି ମୁହଁରେ ପ୍ରତିବର୍ଷ ଗୋଟିଏରୁ ଦୁଇଟି ଡଙ୍ଗା ଭୁଟୁଭୁଟି ଟ୍ରଲର ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ·ଳକଙ୍କ ଖାମଖିଆଲି ମନୋଭାବ ଯୋଗୁ ଟ୍ରଲର ଓ ଭୁଟୁଭୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଧନ-ଜୀବନ ଯାଉଛି । ୨୦୧୪ରୁ ଏହି ଦୁର୍ଘଟଣା ଲଗାତର ହେଉଛି । ୨୦୧୬ରେ ଠିକ୍ ନଭେମ୍ବରରେ ଗୋଟିଏ ଟ୍ରଲର ଧକ୍କା ଦେଇଥିଲା ଭୁଟୁଭୁଟିକୁ । ଏଥିରେ ଦୁଇଜଣ ମୃତୁ୍ୟବରଣ କରିଥିଲେ । ପୁଣି ୨୦୧୭ ନଭେମ୍ବରରେ ସମ ଘଟଣା ଘଟିଲା । ଚାନ୍ଦବାଲିରୁ ଧାମରା, ତାଳଚୁଆ, ରାଜନଗର, ନଳିତାପାଟିଆ ଯାଉଥିବା ଅନେକ ମାଲ୍ ବୋଝେଇ ଭୁଟୁଭୁଟିର ଲାଇସେନ୍ସ ନାହିଁ । ଅନ୍ଧାର ରାତିରେ ଏମାନଙ୍କର ଲାଇଟ ନାହିଁ କି ସାଇରନ ନାହିଁ । ନଦୀ ମଝିରେ କେତେବେଳେ ଜାଲରେ ଛନ୍ଦି ହେଉଛନ୍ତି ତ କେତେବେଳେ ଚଡା ଉପରେ ଧକ୍କା ଖାଇ ବୁଡୁଛନ୍ତି । ହୀରାକୁଦ ଜଳଭଣ୍ଡାର ଓ ଚିଲିକାରେ ଡଙ୍ଗାବୁଡିବା ପରେ ସରକାର ସଚେତନ ହେଉ ନାହାନ୍ତି । ବିପଦପୂର୍ଣ୍ଣ ଭାବେ ·ଲିଛି ବୈତରଣୀ, ସାଳନ୍ଦୀ ନଦୀରେ ଡଙ୍ଗା ବ୍ୟବସାୟ । ଚଳିତ ୨୦୧୭ ନଭେମ୍ବର ୫ରେ ଧାମରା ଜେଟିରେ ଘଟିଥିବା ଦୁର୍ଘଟଣା ମନରୁ ଭୁଲି ନଥିବା ବେଳେ ଚାନ୍ଦବାଲି ସହରରୁ ରବିବାର ହାଟ ସଉଦା କରି ଚରଦିଆ ଅଞ୍ଚଳର ଏକ ଭୁଟୁଭୁଟି ମାଲିକ ୫ଲକ୍ଷ ୧୭ହଜାର ଟଙ୍କାର ତେଜରାତି ସଉଦା ଓ ଅନ୍ୟାନ୍ୟ ସରଞ୍ଜାମ ନେଇ ବେଳେ ଯାଜପୁର ଅଞ୍ଚଳର ଏକ ଟ୍ରଲର (ତାରିଣୀ) ଧକ୍କା ଦେଇଥିଲା । ଫଳରେ ନଈରେ ଡଙ୍ଗାଟି ବୁଡି ଯାଇଥିଲା । କେବଳ ମାଲବୋଝେଇ ଡଙ୍ଗା ନୁହଁ ତିହିଡି, ଚାନ୍ଦବାଲି, ବାସୁଦେବପୁର ବ୍ଲକରେ ପ୍ରାୟ ୨୦ଟି ସ୍ଥାନରେ ବିପଦପୂର୍ଣ୍ଣ ଭାବେ ଘାଟରେ ଯାତ୍ରୀସେବା ଚାଲିଛି । ତେବେ ଏପରି ବାରମ୍ବାର ଘଟଣା ଘଟିବା ସତ୍ତ୍ୱେ କାହିଁକି ଚାନ୍ଦବାଲି ମେରାଇନ୍ କର୍ତ୍ତୃପକ୍ଷ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here