ବର୍ଷେ ହେବ ଉଠାଜଳସେଚନ ପ୍ରକଳ୍ପ ଅଚଳ

0
35

ଝୁମ୍ପୁରା : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉଠାଜଳସେଚନ ବିଭାଗ ଅଧୀନ ଅର୍ଶଳା ପଞ୍ଚାୟତ ୨ନଂ ୱାର୍ଡର ସୁଣ୍ଢିମୁରୁସୁଅାଁ ନଦୀ ଉଠାଜଳସେଚନ ପ୍ରକଳ୍ପଟି ସରକାରୀ ଅଧିକାରୀଙ୍କ ଉଦାସୀନତାରୁ ଦୀର୍ଘ ବର୍ଷେ ହେବ ଅଚଳାବସ୍ଥାରେ ରହିଛି । ପ୍ରକଳ୍ପ ନିକଟରେ ଥିବା ସୂଚନା ଫଳକରେ ଅସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି । ଫଳକଟିରେ ପ୍ରକଳ୍ପର ବ୍ୟୟ ଅଟକଳ ମୂଲ୍ୟ ସମେତ କାର୍ଯ୍ୟାରମ୍ଭ ଓ ଶେଷ ବିଷୟରେ ଲିପିବଦ୍ଧ ନାହିଁ । ଯଦ୍ଦ୍ୱାରା ଚାଷୀଙ୍କୁ ଅନ୍ଧାରରେ ରଖାଯିବା ସହ ସରକାରୀ ନୀତିନିୟମକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହେଉଛି । ପ୍ରକଳ୍ପ ଚାଲିବାର ୨ଘଣ୍ଟା ପରେ ପାଣିପମ୍ପ୍ଟି ବନ୍ଦ ହୋଇଯାଇଥିଲା । ଅଧିକାରୀ ଓ ଠିକାଦାର କ’ଣ ପାଇଁ ପାଣିପମ୍ପ୍ ବନ୍ଦ ହେଲା ଏବଂ କାଲି ଦେଖିବା କହି ଘଟଣାସ୍ଥଳରୁ ପଳାଇଥିଲେ । ହେଲେ ଇତିମଧ୍ୟରେ ବର୍ଷେ ବିତିଯାଇଥିବା ସତ୍ତ୍ୱେ ଏଯାବତ୍ ମରାମତି ହୋଇପାରିନାହିଁ ବୋଲି ସ୍ଥାନୀୟ ଚାଷୀ କହିଛନ୍ତି । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି । ସୁଣ୍ଢିମୁରୁସୁଅାଁ ଗାଁରେ ଆଦିବାସୀ ସମ୍ପ୍ରଦାୟର ଲୋକେ ରହୁଥିବାବେଳେ ଚାଷ ଉପରେ ନିର୍ଭର କରି ପରିବାର ପୋଷନ୍ତି । ଗାଁ ନିକଟରେ ଅରଡେଇ ନଦୀ ଯାଇଥିବାରୁ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ରବି ଓ ଖରିଫ ଚାଷ କରି ଅଧିକରୁ ଅଧିକ ସ୍ୱାବଲମ୍ବି ହେବା ପାଇଁ ୨୦୧୬-୧୭ରେ ପ୍ରକଳ୍ପଟିଏ ନିର୍ମାଣ କରାଗଲା । ହେଲେ ପ୍ରକଳ୍ପଟି ଲୋକଙ୍କ କାମରେ ଆସୁନି । ୨୦ ହେକ୍ଟର ରବି ଓ ୨୦ ହେକ୍ଟର ଖରିଫ୍ ଚାଷଜମି ଜଳସେଚିତ ହେବା ନେଇ ପ୍ରକଳ୍ପଟି ନିର୍ମାଣ ହୋଇଥିଲା । ମାତ୍ର ଚାଷୀମାନଙ୍କ ସୁବିଧା ମୁତାବକ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇନଥିବାବେଳେ ନିମ୍ନମାନର କାମ ହୋଇଛି ବୋଲି ଗ୍ରାମର ଚାଷୀ ନାଥ ମାଝୀ, ନିରଞ୍ଜନ ଲୋହାର, ହରି ମାଝୀ, ରୂପେଶ୍ୱର ମାଝୀ, ବିଶ୍ମନ ମାଝୀ, ତିଳୋତମା ମାଝୀ, ବିଟି ମାଝୀ, ବନିତା ମାଝୀ, ମକର ମାଝୀ, ଦୀପୁ ମାଝୀ, ରଣଜିତ ମାଝୀ, ସୁବର୍ଣ୍ଣ ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ ଅହୁରୀ ମଧ୍ୟ କହିଛନ୍ତି ଯେ ଠିକ୍ ସମୟରେ ମୌସୁମୀ ବର୍ଷା ନିଖୋଜ ହେବା ଓ ଅନିୟମିତ ବର୍ଷା ଯୋଗୁ ଧାନତଳି ସୁଖିଯାଉଥିବାରୁ ବାଧ୍ୟହୋଇ ନଈ ନାଲରୁ ପାଣି ବୋହି ଧାନତଳିରେ ସିଞ୍ଚୁଛନ୍ତି । ଏନେଇ ଚମ୍ପୁଆ ଉଠାଜଳସେଚନ ପ୍ରକଳ୍ପର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ବିଦୁ୍ୟତ୍ ଅସୁବିଧା ଯୋଗୁ ଅଚଳ ହୋଇଛି । ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ବହୁବାର କହିବା ସତ୍ତ୍ୱେ ସେମାନେ ଶୁଣୁନଥିବା ସେ କହିଛନ୍ତି । ସେହିପରି ଚମ୍ପୁଆସ୍ଥିତ ଉଠାଜଳସେଚନ ବିଭାଗର ଏସ୍ଡିଓ ସୁବାଷଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ଏ ବାବଦରେ ସେ ଅବଗତ ନାହାନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here