୨୦୨୦ରେ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

0
34

ପୁରୀ : କାର୍ତ୍ତିକ ମାସରେ ପଞ୍ଚୁକ ୬ଦିନ ପଡିଲେ ସେଥିମଧ୍ୟରୁ ମଳ ଦିନରେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ନାଗାର୍ଜୁନ ବେଶ ହୋଇଥାଏ। ଦୀର୍ଘ ୨୫ ବର୍ଷ ପରେ ହେବାକୁ ଯାଉଛି ମହାପ୍ରଭୁଙ୍କ ଏହି ମହାର୍ଘ ବେଶ। ୨୦୨୦ ମସିହାରେ କାର୍ତ୍ତିକ ପଞ୍ଚୁକ ୬ଦିନ ପଡୁଛି। ୨୭ା୧୧ା ୨୦୨୦ ଶୁକ୍ରବାର କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ମଳ ପଡୁଛି। ତେଣୁ ଏହି ଦିନ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାର ବିଧି ରହିଛି ବୋଲି କହିଛନ୍ତି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣକ ଜ୍ୟୋତିର୍ବିଦ୍‌ ବାଚସ୍ପତି ବୈକୁଣ୍ଠ ନାଥ ନାୟକ। ଅନ୍ୟପକ୍ଷରେ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।
ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣକ ନାୟକ କହିଛନ୍ତି ଯେ, ଯେଉଁ ବର୍ଷ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ହୁଏ ଏବଂ ଦ୍ୱାଦଶୀ, ତ୍ରୟୋଦଶୀ ଏବଂ ଚତୁର୍ଦ୍ଦଶୀ ତିଥି ମଧ୍ୟରୁ କୌଣସି ଗୋଟିଏ ମଳ ତିଥି ହେଲେ ସେହି ବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। କିନ୍ତୁ ଏକାଦଶୀ ଏବଂ ପୂର୍ଣ୍ଣିମାର ମଳ ତିଥିରେ ଏହି ବେଶ ହେବ ନାହିଁ। ୨୦୨୦-୨୧ ପଞ୍ଜିକାରେ ଆଶ୍ୱିନ ମାସ ମଳ ମାସ ହେବ ବୋଲି ସେ କହିଛନ୍ତି। ଭାଗ୍ୟଜ୍ୟୋତି ପରମେଶ୍ୱରୀ ପଞ୍ଜିକା ଏବଂ ଭାଗ୍ୟଜ୍ୟୋତି ଶ୍ରୀକ୍ଷେତ୍ର ପଞ୍ଜିକାର ମୁଖ୍ୟ ଗଣକ ମେଡେନ୍‌ କୁମାର ବିଶି କହିଛନ୍ତି ୨୦୨୦ ମସିହାରେ ନଭେମ୍ବର ୨୫ ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ୬ଦିନ ପଞ୍ଚୁକ ପଡୁଛି। ନଭେମ୍ବର ୨୫ ବୁଧବାର ଏକାଦଶୀ। ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମା। ନଭେମ୍ବର ୨୭ ଶୁକ୍ରବାର କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ(ମଳ) ପଡୁଛି। ମଳ ପଡୁଥିବା ଦିନରେ ନାଗାର୍ଜୁନ ବେଶ ହେବାର ବିଧି ରହିଛି ବୋଲି ସେ କହିଛନ୍ତି। ଦୁଇ ପାଞ୍ଜିର ଗଣକ ଏହି ମତ ରଖିବା ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗଣକଙ୍କ ଗଣନା ଅନୁଯାୟୀ ଦୀର୍ଘ ୨୫ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ।
ସୂଚନାଯୋଗ୍ୟ, ୨୬।୧୧।୧୯୬୬ ମଳ ତ୍ରୟୋଦଶୀରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଏହାପରେ ୨୬।୧୧।୧୯୯୩ରେ ତ୍ରିୟୋଦଶୀ ମଳ ତିଥିରେ ଏହି ବେଶ ହୋଇଥିଲା। ତା’ ପରବର୍ତ୍ତୀ ବର୍ଷ ୧୬।୧୧। ୧୯୯୪ରେ ମଧ୍ୟ କାର୍ତ୍ତିକ ଶୁକ୍ଳପକ୍ଷ ତ୍ରୟୋଦଶୀରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ୧୯୯୩ ମସିହା ନାଗାର୍ଜୁନ ବେଶ ସମୟରେ ଶ୍ରୀମନ୍ଦିର ପରିସରରେ ଦଳାଚକଟା ହୋଇ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ସରକାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
କନା ଜରି ବେତରେ ନିର୍ମିତ ଏହି ବେଶରେ ଜଗନ୍ନାଥଙ୍କୁ ଏକ ଯୋଦ୍ଧାରୂପରେ ସଜେଇ ଦିଆଯାଇଥାଏ। ପୁରୀର ସାହିଯାତର ନାଗା ସହିତ ଏହି ବେଶର ସମ୍ପର୍କ ରହିଥିବା ଭଳି ଜଣାଯାଏ। ଏହି ବେଶରେ ମହାପ୍ରଭୁଙ୍କ ଅଣ୍ଟାରେ ଏକ ନାଗାତାଟି ଭିଡାଯାଏ। ଧନୁ, ତୀରପୂର୍ଣ୍ଣ ତୁଣୀର, କଟୁରି, ଛୁରି, ବାଘନଖ, ଢାଲ ଏବଂ ମୁଣ୍ଡରେ ହାଣ୍ଡିଆ ଲଗାଯାଏ। ଢାଲ, ଛୁରି ଓ କଟୁରି ଶୋଲରେ ନିର୍ମିତ ହୋଇଥାଏ। ଠାକୁର ଶ୍ରୀହସ୍ତରେ ଧନୁତୀର ଧାରଣ କରନ୍ତି। ମହାପ୍ରଭୁ ଓ ବଡ଼ଠାକୁର ଏହି ବେଶ ପାଇଁ ଶ୍ରୀହସ୍ତ ଓ ଶ୍ରୀପୟର ଲାଗି ହୁଅନ୍ତି। ଉଭୟ ହସ୍ତରେ ଦୁଇଟି ଓଳମାଳ ଧାରଣ କରନ୍ତି। ମହାପ୍ରଭୁ ଶଙ୍ଖ, ଚକ୍ର, ବଡ଼ଠାକୁର ହଳମୂଷଳ ଧାରଣ କରନ୍ତି। ଏହାସହିତ ଅନ୍ୟାନ୍ୟ ସୁବର୍ଣ୍ଣ ଅଳଙ୍କାର ଠାକୁର ଧାରଣ କରନ୍ତି।

LEAVE A REPLY

Please enter your comment!
Please enter your name here