ଭାରତ ଟି୨୦ ସିରିଜ ଜିତିଲା

0
24

ବ୍ରିଷ୍ଟଲ- ଅଭିଜ୍ଞ ଓପନର ରୋହିତ ଶର୍ମାଙ୍କ ଦମ୍‌ଦାର ଅପରାଜିତ ଶତକ (୫୬ ବଲ, ୧୧ ଚୌକା, ୫ ଛକା) ସହାୟତାରେ ଭ୍ରମଣକାରୀ ଭାରତ ତୃତୀୟ ତଥା ଅନ୍ତିମ ଆନ୍ତର୍ଜାତିକ ଟି୨୦ ମ୍ୟାଚରେ ଇଂଲଣ୍ଡକୁ ୮ଟି ବଲ ବାକି ରଖି ୭ ଉଇକେଟରେ ପରାସ୍ତ କରିଛି। ଏଥିସହିତ ୩ ମ୍ୟାଚ ବିଶିଷ୍ଟ ଏହି ଟି୨୦ ସିରିଜକୁ ଭାରତ ୨-୧ ବ୍ୟବଧାନରେ ହାତେଇ ନେଇଛି। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୧୮.୪ ଓଭରରେ ୩ ଉଇକେଟ ହରାଇ ୨୦୧ ରନ କରି ବାଜି ମାରିଛି। ମ୍ୟାଚ୍‌ ବିଜୟୀ ଶତକୀୟ ଇନିଂସ ପାଇଁ ରୋହିତ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

୧୯୯ ରନ ଟାର୍ଗେଟର ପିଛା କରି ଭାରତ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଓପନର ଶିଖର ଧାଓ୍ବନ ମାତ୍ର ୫ ରନ କରି ଡେଭିଡ ଓ୍ବିଲିଙ୍କ ଶିକାର ହୋଇଥିଲେ। ଏହା ପରେ ଲୋକେଶ ରାହୁଲ ୧୦ ବଲ ଖେଳି ୧ ଚୌକା ଓ ୨ ଛକା ସହ ୧୯ ରନ କରି ଜ୍ୟାକ ବଲ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟ ଯୋଡିରେ ଓପନର ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ୫୭ଟି ବଲର ସମ୍ମୁଖୀନ ହୋଇ ୮୯ ରନ କରି ସ୍ଥିତି ସମ୍ଭାଳିଥିଲେ। ତେବେ କୋହଲି ୨୯ଟି ବଲର ସମ୍ମୁଖୀନ ହୋଇ ୨ ଚୌକା ଓ ୨ ଛକା ସହ ୪୩ ରନ କରି କ୍ରିସ ଜୋର୍ଡାନଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ବ୍ୟାଟିଂ କରିବାକୁ ଆସି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ଆରମ୍ଭ କରିଥିଲେ। ସେ ମାତ୍ର ୧୪ଟି ବଲ ଖେଳି ୪ ଚୌକା ଓ ୨ ଛକା ସହ ୩୩ ରନ କରି ଅପରାଜିତ ରହିବା ସହ ଭାରତକୁ ଜିତାଇଥିଲେ। ସେହିପରି ରୋହିତ ୧୦୦ରନ ଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଓ୍ବିଲି, ବଲ ଓ ଜୋର୍ଡାନ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ଆରମ୍ଭରୁ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲା। ଦୁଇ ଓପନର ଜାସନ ରଏ ଓ ଜୋସ୍‌ ବଟଲର ୪୭ଟି ବଲ ଖେଳି ପ୍ରଥମ ଉଇକେଟ ଯୋଡିରେ ୯୪ ରନ ସଂଗ୍ରହ କରି ଦମ୍‌ଦାର ଆରମ୍ଭ କରିଥିଲେ। ତେବେ ବଟଲର ୨୧ଟି ବଲରୁ ୭ ଚୌକା ସହ ୩୪ ରନ କରି ପ୍ରଥମେ ଦ୍ରୁତ ବୋଲର ସିଦ୍ଧାର୍ଥ କାଉଲଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ରଏ ୩୧ଟି ବଲ ଖେଳି ୪ ଚୌକା ଓ ୭ ଛକା ସହ ୬୭ ରନ କରି ନବାଗତ ଦ୍ରୁତ ବୋଲର ଦୀପକ ଚହରଙ୍କ ବଲରେ ଧୋନୀଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ଏହା ପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଅଧିନାୟକ ଇଅନ ମୋର୍ଗାନ ୬ ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଧୋନୀଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଆଲେକ୍ସ ହେଲ୍ସ ୨୪ ବଲରୁ ୩ ଚୌକା ଓ ୨ ଛକା ସହ ୩୦ ରନ କରି ପାଣ୍ଡ୍ୟାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜନୀ ବେୟାରଷ୍ଟୋ ୧୪ ବଲରୁ ୨ ଚୌକା ଓ ୨ ଛକା ସହ ଦ୍ରୁତ ୨୫ ଓ ବେନ ଷ୍ଟୋକ୍ସ ୧୪ ରନ କରି ପାଣ୍ଡ୍ୟାଙ୍କ ଦ୍ୱାରା ଆଉଟ ହେବା ସହ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ତେବେ ଏହା ସତ୍ତ୍ୱେ ଇଂଲଣ୍ଡ ୨୦୦ ରନ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। ଡେଭିଡ ଓ୍ବିଲି ୧, କ୍ରିସ୍‌ ଜୋର୍ଡାନ ୩, ଲିୟମ ପ୍ଲଙ୍କେଟ୍‌ ୯ ରନ କରି ଆଉଟ ହୋଇଥିବା ବେଳେ ଆଦିଲ ରସିଦ ୪ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ପାଣ୍ଡ୍ୟା ସର୍ବାଧିକ ୪ ଉଇକେଟ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଉଲ ୨, ଉମେଶ ଯାଦବ ଓ ଚହର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଭାରତର ଡାହାଣ ହାତୀ ଦ୍ରୁତ ବୋଲର ଦୀପକ ଚହର ପ୍ରଥମଥର ପାଇଁ ଆନ୍ତର୍ଜାତିକ ଟି୨୦ରେ ପଦାର୍ପଣ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ୨୦ ଓଭରରେ ୧୯୮/୯
(ରଏ- ୬୭, ବଟଲର- ୩୪, ହେଲ୍ସ- ୩୦, ବେୟାରଷ୍ଟୋ- ୨୫, ପାଣ୍ଡ୍ୟା- ୪/୩୮, କାଉଲ- ୨/୩୫, ଚହର- ୧/୪୩)
ଭାରତ ୧୮.୪ ଓଭରରେ ୨୦୧/୩
(ରୋହିତ-୧୦୦*, କୋହଲି-୪୩, ପାଣ୍ଡ୍ୟା- ୩୩*, ରାହୁଲ- ୧୯, ଓ୍ବିଲି- ୧/୩୭, ବଲ- ୧/୩୯ , ଜୋର୍ଡାନ- ୧/୪୦ )।

LEAVE A REPLY

Please enter your comment!
Please enter your name here