ଗ୍ୟାଙ୍ଗ୍‌ଷ୍ଟର ଟିଟୋର କଲିକତାରେ ରହିଛି ଅମାପ ସମ୍ପତ୍ତି

0
95

ଭୁବନେଶ୍ୱର- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋଙ୍କ ଆପରାଧିକ ଦୁନିଆ ସହିତ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପାରାଦୀପ ଅଞ୍ଚଳରେ ଟିଟୋଙ୍କର ବହୁ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବାବେଳେ ଏହାର ଚେର କଲିକତାକୁ ବି ଲମ୍ବିଛି। କଲିକତାରେ ଟିଟୋଙ୍କର ଅମାପ ସମ୍ପତ୍ତି ରହିଥିବା କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌(ସ୍ପେଶାଲ ଟାସ୍କ ଫୋର୍ସ) ହାତରେ ତଥ୍ୟ ଲାଗିଛି। ଏସ୍‌ଟିଏଫ୍‌ ଟିଟୋଙ୍କୁ ୫ଦିନିଆ ରିମାଣ୍ଡରେ ଆଣିଥିବାବେଳେ ରବିବାର ରିମାଣ୍ଡର ଶେଷ ଦିନରେ ପଚରାଉଚରା ବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଜେରା ଶେଷ ହୋଇ ନ ଥିବାରୁ ଟିଟୋଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ସତ୍ୟଜିତ୍‌ ନାୟକ ସୂଚନା ଦେଇଛନ୍ତ।
ସୂଚନା ମୁତାବକ, ଟିଟୋଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ରବିବାର କଲିକତା ଯାଇଛି। ସେଠାରେ ଟିଟୋଙ୍କ ଆପରାଧିକ ଏବଂ ବ୍ୟବସାୟିକ ସାମ୍ରାଜ୍ୟ ସମ୍ପର୍କରେ ଏସ୍‌ଟିଏଫ୍‌ ଖୋଳତାଡ଼ କରିବ। କଲିକତାରେ ଟିଟୋଙ୍କ ଘର, ଗାଡି ଏବଂ ଅଫିସ ଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି, ଯାହାର ମୂଲ୍ୟ ବହୁ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କଲିକତାରେ ଥିବା ଟିଟୋଙ୍କ ଅଧିକାଂଶ ସମ୍ପତ୍ତି ତାଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟଙ୍କ ନାମରେ ରହିଛି। ଏହାସହ କଲିକତାର କେତେଜଣ ଗ୍ୟାଙ୍ଗ୍‌ଷ୍ଟରଙ୍କ ସହ ଟିଟୋଙ୍କର ଉତ୍ତମ ସମ୍ପର୍କ ରହିଛି। ସେମାନଙ୍କ ସହ ମିଶି ସେଠାରେ ଟିଟୋ ବଟି ଆଦାୟ ସାଙ୍ଗକୁ ଅନ୍ୟାନ୍ୟ ଅପରାଧ ଘଟାଉଥିଲେ। ଏସ୍‌ଟିଏଫ୍‌ ସେଠାରେ ଏସବୁ ଯାଞ୍ଚ କରିବ।
ଏସ୍‌ଟିଏଫ୍‌ ସୂଚନା ଅନୁସାରେ, ଟିଟୋ ତାଙ୍କ ଗ୍ୟାଙ୍ଗରେ ଅଧିକରୁ ଅଧିକ ଯୁବକଙ୍କୁ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା କରିଥିଲେ। ଯଦି କେହି ନୂଆ ପିଲା ଗ୍ୟାଙ୍ଗ୍‌ରେ ସାମିଲ ହେଉଥିଲେ ତେବେ ସେ ତାଙ୍କୁ କୌଣସି ଏକ ଅଞ୍ଚଳର ଦ୍ୱାୟିତ୍ୱ ଦେଉଥିଲେ। ଉକ୍ତ ଅଞ୍ଚଳରେ ଯାହା ବଟି କିମ୍ବା ଅନ୍ୟ ଉପାୟରେ ଅର୍ଥ ଆଦାୟ ହେଉଥିଲା ତାହାର ୪୦ ପ୍ରତିଶତ ତାଙ୍କୁ ଦିଆଯାଉଥିଲା। ଅବଶିଷ୍ଟ ଅର୍ଥ ଟିଟୋଙ୍କ ଆକାଉଣ୍ଟକୁ ଆସୁଥିଲା। ପୂରା ଫିଲ୍ମ ଷ୍ଟାଇଲରେ ଟିଟୋ ନିଜ ଗ୍ୟାଙ୍ଗକୁ ଅପରେଟ କରୁଥିଲେ। ଟିଟୋଙ୍କ ଆକାଉଣ୍ଟକୁ କେନ୍ଦ୍ରାପଡା, ଜଗତ୍‌ସିଂହପୁର, କଟକ, ଯାଜପୁର ଓ ଭଦ୍ରକରୁ ଲକ୍ଷାଧିକ ଟଙ୍କା ଆସିଛି। କେଉଁମାନେ ଏହି ଟଙ୍କା ପଠାଇଛନ୍ତି ସେ ବିଷୟରେ ଜାଣିବା ପାଇଁ ଏସ୍‌ଟିଏଫ୍‌ ତନାଘନା ଜାରି ରଖିଛି।
ଅନ୍ୟପଟେ ଟିଟୋ ଯେଉଁମାନଙ୍କ ସହ ଫୋନ୍‌ ଯୋଗାଯୋଗରେ ଥିଲେ ଏନ୍‌କାଉଣ୍ଟର ପରେ ପରେ ଉକ୍ତ ନମ୍ବର ବନ୍ଦ ହୋଇଯାଇଥିବା ଜଣାପଡିଛି। ଟିଟୋଙ୍କ ଲିଙ୍କ୍‌ରେ ଥିବା ଅନେକ ଅପରାଧୀ ଗିରଫ ଭୟରେ ଫୋନ୍‌ ବନ୍ଦ କରି ଫେରାର ହୋଇଯାଇଛନ୍ତି। ସେହିପରି ଟିଟୋଙ୍କୁ ହଠାତ୍‌ ଗିରଫ କରାଯିବା ଘଟଣାକୁ ଅନେକ ଲୋକ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। କାରଣ ଦୀର୍ଘଦିନ ହେବ ସେ କେନ୍ଦ୍ରାପଡାରେ ରାଜ୍‌ କରୁଥିଲେ ମଧ୍ୟ ଆଗରୁ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଆଗକୁ ନିର୍ବାଚନ ଆସୁଥିବାବେଳେ ଟିଟୋ କୌଣସି ଏକ ନିର୍ଦ୍ଦିଷ୍ଟ ଦଳକୁ ସହଯୋଗ କରୁଥିବାରୁ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡିଛି ବୋଲି ଆଲୋଚନା ହେଉଛି। କେବଳ ଟିଟୋ ନୁହନ୍ତି, କେନ୍ଦ୍ରାପଡ଼ାରେ ଆହୁରି ଅନେକ ଅପରାଧୀ ଗ୍ୟାଙ୍ଗ ସକ୍ରିୟ ଥିବାବେଳେ ସେମାନଙ୍କୁ କେବେ ଗିରଫ କରାଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଶନିବାର ଏସ୍‌ଟିଏଫ୍‌ କେନ୍ଦ୍ରାପଡ଼ା, କଟକ, ପାରାଦୀପ, ଜଗତ୍‌ସିଂହପୁର ଆଦି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଟିଟୋଙ୍କର ବହୁ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍‌ କରିବା ସହିତ ୨୫ ଟ୍ରକ, ୧୭ ଟିପ୍ପର, ୮ ଏସ୍କାଭେଟର ଆଦି ଜବତ କରିଥିଲା। ଆଗାମୀ ଦିନରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଟିଟୋଙ୍କ ସମ୍ପତ୍ତି ଯାଞ୍ଚ କରିପାରେ। ଏଥିପାଇଁ ଏସ୍‌ଟିଏଫ୍‌ ଇଡିକୁ ଚିଠି ଲେଖିପାରେ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here