ବିଜେପି ସରକାର ଆସିଲେ କୃଷି ଋଣ ଛାଡ କରାଯିବ : ଜୁଏଲ

0
160

ଭୁୁବନେଶ୍ୱର: ୨୦୧୯ ରେ ଆମେ କ୍ଷମତାକୁ ଆସିଲେ ଆମେ ରାଜ୍ୟର କୃଷକମାନଙ୍କ ଋଣ ଛାଡ କରିବୁ । ଆଜି ଏଭଳି ଘୋଷଣା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ.ଏସ.ପି)ରେ ୨୦୦ ଟଙ୍କା ବୃଦ୍ଧି କରି ପ୍ରଧାନମନ୍ତ୍ରୀଙ୍କ ଏଭଳି ଏକ ଐତିହାସିକ ନିଷ୍ପତ୍ତିକୁ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସମେତ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସ୍ୱାଗତ କରି ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।

ମୋଦି ସରକାର କୃଷକ ମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ କାର୍ଯ୍ୟ କରିଚାଲିଛନ୍ତି। କେବଳ ସେତିକି ନୁହେଁ ଦେଶର କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରି ଚାଷୀକୂଳକୁ ସମସ୍ତ ସହାୟତା ଯୋଗାଇ ଚାଲିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ରାଜ୍ୟ କାର୍ଯ୍ୟାଳୟରେ କୃଷକ ମୋର୍ଚ୍ଚା ତରଫରୁ ଅନୁଷ୍ଠିତ ଏକ ସମାବେଶରେ କହିଛନ୍ତି। ଶ୍ରୀ ଓରାମ କହିଛନ୍ତି ଯେ, ୨୦୧୬ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମଏସପି ଉପରେ ୧୦୦ ଟଙ୍କା ବୋନସ ଦେବା ଲାଗି ଘୋଷଣା କରିଥିଲେ ବି ତାହା ଏପର୍ଯ୍ୟନ୍ତ ଲାଗୁ କରିପାରିଲେ ନାହିଁ। ଦୀର୍ଘ ୧୮ ବର୍ଷ ଶାସନ ପରେ ବି ବିଜେଡିର ଚାଷୀ ମାରଣ ନୀତି ଯୋଗୁଁ ଆଜି ଚାଷୀକୂଳ ହତାଶ ହୋଇଛି। ଏପରିକି କୌଣସି ଉପାୟ ନପାଇ ଚାଷୀ ଶେଷରେ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି।

ଯଦି ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିବାର ଡିଣ୍ଡିମ ପିଟୁଛନ୍ତି ତେବେ କୃଷି ଋଣ ଛାଡ କରିବାରେ ସରକାର କାହିଁକି ବିଳମ୍ୱ କରୁଛନ୍ତି ବୋଲି ଶ୍ରୀ ଓରାମ ପ୍ରଶ୍ନ ଉଠାଇଛନ୍ତି। ଦେଶର ବିଜେପି ଶାସିତ ରାଜ୍ୟମାନଙ୍କରେ କୃଷକ କଲ୍ୟାଣକାରୀ ଯୋଜନା ଦ୍ୱାରା ଚାଷୀମାନେ ଅଧିକ ଲାଭବାନ ହେଉଛନ୍ତି। କିନ୍ତୁ ରାଜ୍ୟରେ ବିଜେଡି ସରକାର ଚାଷୀମାନଙ୍କୁ ହତାଦର କରିଚାଲିଛି। ଏହାର ଜାବାବ ଆଗାମୀ ଦିନରେ ଓଡିଶାବାସୀ ଦେବେ ବୋଲି ଶ୍ରୀ ଓରାମ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ୨୦୧୯ରେ ରାଜ୍ୟରେ ବିଜେପିର ସରକାର ଆସିବା ପରେ ତୁରନ୍ତ କୃଷକମାନଙ୍କର ସମସ୍ତ କୃଷି ଋଣ ଛାଡ କରାଯିବ ବୋଲି ଶ୍ରୀ ଓରାମ ଏହି କୃଷକ ସମାବେଶରେ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପୂର୍ବରୁ କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ବିଶେଷ କରି ପ୍ରାୟ ସମସ୍ତ କୃଷିଜାତ ଦ୍ରବ୍ୟର ଉତ୍ପାଦିତ ମୂଲ୍ୟର ଦେଢ ଗୁଣା ମୂଲ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟ ଭାବେ ଦୁଇ ଦିନ ତଳେ ଘୋଷଣା କରିଛନ୍ତି, ଯାହାକି ଏକ ଐତିହାସିକ ଘୋଷଣା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ୨୦୦୧ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳ ସେହି ସମୟ ମଧ୍ୟରେ ୩ ରୁ ୪ ବର୍ଷ ଧରି କୈାଣସି ସହାୟକ ମୂଲ୍ୟ ବୃଦ୍ଧି କରିନଥିଲା। ସେହିପରି ପ୍ରଧାନମନ୍ତ୍ରୀଙ୍କ ବରଗଡ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ଗସ୍ତ କରି ସୋହେଲାଠାରେ ଧାନ କ୍ୱିଂଟାଲ ପ୍ରତି ୧୦୦ ଟଙ୍କା ବୋନସ ପ୍ରଦାନ କରାଯିବାର ଘୋଷଣା କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଏହି ଘୋଷଣାକୁ କାର୍ଯ୍ୟକାରୀ କରିବାରେ ବିଫଳ ଶାସକ ବିଜେଡି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। ତେଣୁ ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା କେନ୍ଦ୍ରରେ କଂଗ୍ରେସ ଏବଂ ରାଜ୍ୟରେ ବିଜେଡି ଉଭୟ ଦଳ କେନ୍ଦ୍ର ସରକାରଙ୍କ ଏଭଳି ଐତିହାସିକ ଘୋଷଣାକୁ ସମାଲୋଚନା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ କେବଳ ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସିଏସିପି କମିଟିର ସୁପାରିଶକ୍ରମେ ବିହନ, ସାର, ବିଜୁଳି, ପାରିଶ୍ରମିକ ଆଦି ସମସ୍ତ ଖର୍ଚ୍ଚକୁ ମିଶାଇ ଉତ୍ପାଦିତ ଧାନର କ୍ୱିଣ୍ଟାଲ ପ୍ରତି ୧୧୬୬ ଟଙ୍କା ଖର୍ଚ୍ଚ ହେଉଥିବାର ବୋଲି ସୁପାରିଶ କରିବା ପରେ ସେହି ଆଧାରରେ କେନ୍ଦ୍ର ସରକାର ଏହି ମୂଲ୍ୟ ଉପରେ ୫୦ ପ୍ରତିଶତ ବୃଦ୍ଧି କରି ଧାନର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ଘୋଷଣା କରିଛନ୍ତି। ଗତ ବର୍ଷ ଏହି ପରିମାଣ ୧୫୫୦ ଟଙ୍କା ଥିବାବେଳେ ଏକକାଳୀନ ୨୦୦ ଟଙ୍କା ବୃଦ୍ଧି କରି ୧୭୫୦ ଟଙ୍କା କରିବା ନିହାତି ଖୁସିର ଖବର ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାବେଳେ ଭାଗ ଚାଷୀମାନଙ୍କୁ ଅଧିକାର ଦେବୁ କହି ରାଜ୍ୟସରକାର ନାବାର୍ଡର ଏକ ଜଏଣ୍ଟ ଲାଇବିଲିଟି ସ୍କିମକୁ ନିଜ ସ୍କିମ ଭାବେ ଘୋଷଣା କରି ବିଭ୍ରାନ୍ତ କରୁଛନ୍ତି।

ଭାଗ ଚାଷୀ ପାଇଁ ନୀତି ନିର୍ଦ୍ଧାରଣ କେନ୍ଦ୍ର ସରକାର କରିବେ ଏବଂ ହିତାଧିକାରୀମାନଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରି ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବାକ ପାଇଁ ରାଜ୍ୟ ସରକାର ବିହୀତ ପଦକ୍ଷେପ ନେବେ। ରାଜ୍ୟରେ ଭାଗଚାଷୀମାନେ ସାହୁକାର, ଚିଟଫଣ୍ଡ‌୍‍ କଂପାନୀ, ବିଭିନ୍ନ ଘରୋଇ ସଂସ୍ଥାମାନଙ୍କଠାରୁ ଋଣ ନେବାକୁ ବାଧ୍ୟ ହେଉଥିଲେ, ଯାହାକି ଚାଷୀ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ହୋଇଛି। ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଆଗାମୀ ଦିନରେ ସମସ୍ତ ଭାଗଚାଷୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବ। ସେହିପରି କୃଷକର ଉତ୍ପାଦିତ ଶସ୍ୟର ସଠିକ ବଜାରୀକରଣ ପାଇଁ ଦେଶର ୬୦୦୦ରୁ ଅଧିକ ଏବଂ ରାଜ୍ୟର ୪୫୦ରୁ ଅଧିକ କୃଷିଭିତ୍ତିକ ବଜାରକୁ ଇ-ନାମ (କଂପ୍ୟୁଟରକରଣ) ଜରିଆରେ ସୁବ୍ୟବସ୍ଥିତ କରାଯିବ। ଯାହା ଦ୍ୱରା ଚାଷୀମାନେ ସେମାନଙ୍କ ଉପିାଦିତ ଶସ୍ୟର ସଠିକ ମୂଲ୍ୟ ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ରାଜ୍ୟରେ ଥିବା ସମସ୍ତ ଆରଏମସି ଆଜି ବିପର୍ଯ୍ୟସ୍ତ ହୋଇପଡିଛି। ରାଜ୍ୟ ସରକାର ଏଥି ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରୁନାହାନ୍ତି। ଅନ୍ୟ ପଟେ ଏ ବାବଦରେ ଚାଷୀମାନଙ୍କଠାରୁ ସେବା ଦେୟ ଆଦାୟ କରିବାରେ ଲାଗିଛନ୍ତି। ଚାଷ ପାଇଁ ନାନାଦି ହଇରାଣର ଶିକାର ହେବା ପରେ ଉତ୍ପାଦିତ ଶସ୍ୟକୁ ବିକ୍ରି ପାଇଁ କୈାଣସି ସହାୟତା ରାଜ୍ୟ ସରକାରଙ୍କଠାରୁ ନ ପାଇ ଚାଷୀମାନେ ଆହୁରି ସମସ୍ୟା ଘେର ଭିତରେ ଠେଲି ହୋଇଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କୃଷି କର୍ମଣ ପୁରସ୍କାର ପାଇଥିବା ରାଜ୍ୟ ସରକାର ଚାଷୀମାନଙ୍କୁ ତାଙ୍କର ମୈଳିକ ସୁବିଧା ସୁଯୋଗ ଦେବାରେ ବିଫଳ ହୋଇଛନ୍ତି। ଚାଷୀ ଅତ୍ମହତ୍ୟାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ ଥିବା ୪୫୦ରୁ ଅଧିକ କୃଷିଭିତ୍ତିକ ବଜାର ମଧ୍ୟରୁ ମାତ୍ର ୧୦ଟି ବଜାରକୁ କାହିଁକି ଏବଂ କାହା ସ୍ୱାର୍ଥରେ ଇ-ନାମ ବ୍ୟବସ୍ଥାରେ ଯୋଡିଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଦେଶରେ ବିଜେପି ଶାସିତ ରାଜ୍ୟମାନେ କୃଷି ଋଣ ଛାଡ କରିଛନ୍ତି। ଓଡିଶା ସରକାର କାହିଁକି ଚାଷୀମାନଙ୍କୁ ବୋନସ ପ୍ରଦାନ, କୃଷି ଋଣ ଛାଡ ପ୍ରଦାନ କରୁନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଧାନର ୨୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଅବସରରେ ରାଜ୍ୟ କାଯ୍ର୍ୟାଳୟଠାରେ ଅନୁଷ୍ଠିତ କୃଷକ ମୋର୍ଚ୍ଚା ତରଫରୁ ଆୟୋଜିତ ସଭାରେ ଯୋଗ ଦେଇ ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ନିମ କୋଟେଡ ୟୁରିଆ ଆଦି ଭଳି କେନ୍ଦ୍ର ସରକାରଙ୍କ ସମସ୍ତ କୃଷକ କଲ୍ୟାଣ ଯୋଜନାଗୁଡିକୁ ରାଜ୍ୟର ଅଗଣିତ କୃଷକ ଭାଇ ଓ ଭଉଣୀମାନଙ୍କ ଘରେ ପହଞ୍ଚାଇବାକୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି। ୨୦୧୯ରେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଶାସନ କ୍ଷମତାରେ ଆସିବା ପରେ ପ୍ରଥମେ କୃଷି ଋଣ ଛାଡ କରିବୁ ବୋଲି ଶ୍ରୀ ପ୍ରଧାନ ଆଜି ଘୋଷଣା କରିଛନ୍ତି।

Share on:

LEAVE A REPLY

Please enter your comment!
Please enter your name here