ଇଂଲଣ୍ଡ-କ୍ରୋଏସିଆ ସେମିଫାଇନାଲ

0
17

ସମାରା:୧୯୬୬ ଚାମ୍ପିୟନ ଇଂଲଣ୍ଡ ଓ କ୍ରୋଏସିଆ ଚଳିତ ଫିଫା ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ତୃତୀୟ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ୨-୦ ଗୋଲରେ ସ୍ବିଡେନକୁ ଏବଂ ପେନାଲ୍ଟି ଶୁଟ୍‌ ଆଉଟରେ ଫଳାଫଳ ନିର୍ଣ୍ଣିତ ହୋଇଥିବା ଚତୁର୍ଥ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ ୪-୩ (ନିର୍ଦ୍ଧାରିତ ସମୟରେ ୧-୧, ଅତିରିକ୍ତ ସମୟରେ ୨-୨) ଗୋଲରେ ରୁଷିଆକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ୧୯୯୮ପରେ କ୍ରୋଏସିଆ ପ୍ରଥମଥର ପାଇଁ ସେମିଫାଇନାଲରେ ପହଞ୍ଚତ୍ଛି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇ ଯାଇଛି। ଆଗାମୀ ୧୦ ତାରିଖରେ ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ। କ୍ରୋଏସିଆ ୧୧ ତାରିଖରେ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ।
୧୯୯୦ ପରେ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପର ସେମିଫାଇନାଲରେ ପହଞ୍ଚତ୍ଛି। ସେତେବେଳେ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିବା ଇଂଲଣ୍ଡ ପାଇଁ ଏଥର ଦ୍ୱିତୀୟ ଟାଇଟଲ ହାସଲ ସୁଯୋଗ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସ୍ବିଡେନର ଆଶା ପୁଣି ଅଧୁରା ରହିଛି। ୧୯୫୮ରେ ରନର୍ସଅପ୍‌ ହୋଇଥିବା ଏହି ଦଳର ଅଭିଯାନ ଏଥର କ୍ୱାର୍ଟର ଫାଇନାଲରୁ ଶେଷ ହୋଇଯାଇଛି। ମ୍ୟାଚ ଆରମ୍ଭରୁ ଇଂଲଣ୍ଡ ଅଗ୍ରଣୀ ନେବାପାଇଁ ଆକ୍ରମଣକୁ ଜୋରଦାର କରିଥିଲା। ମାତ୍ର ସ୍ବିଡେନ କିଛି ସମୟ ପାଇଁ ବେଶ୍‌ ଟକ୍କର ଦେଇଥିଲା। ୩୦ତମ ମିନିଟରେ ହେଡ୍‌ ଜରିଆରେ ଏକ ଗୋଲ ଦେଇ ମ୍ୟାଚରେ ଉଷ୍ମତା ଭରିଥିଲେ ଇଂଲଣ୍ଡର ହ୍ୟାରୀ ମାଗୁଇରେ। ଆଶ୍‌ଲେ ୟଙ୍ଗ୍‌ କର୍ନର କିକ୍‌ ମାରିଥିବାବେଳେ ସ୍ବିଡେନ ଡିଫେନ୍ସ ଭେଦକରି ମାଗୁଇରେ ହେଡ୍‌ କରି ବଲ୍‌କୁ ଗୋଲପୋଷ୍ଟ ଭିତରକୁ ପଠାଇ ଦେଇଥିଲେ। ଅନ୍ତର୍ଜାତୀୟ ଫୁଟବଲରେ ମାଗୁଇରେଙ୍କର ଏହାଥିଲା ପ୍ରଥମ ଗୋଲ। ପ୍ରଥମାର୍ଦ୍ଧରେ ମ୍ୟାଚ ୧-୦ ସ୍ଥିତିରେ ରହିଥିଲା। ଆକ୍ରମଣାତ୍ମକ ରଣନୀତି ଜାରି ରଖିଥିବା ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଗୋଲଟି ସ୍କୋର କରିଥିଲେ ଡେଲେ ଅଲ୍ଲୀ। ୫୯ତମ ମିନିଟରେ ଜେସି ଲିନ୍‌ଗାର୍ଡଙ୍କଠାରୁ ପାଇଥିବା କ୍ରସ୍‌ ପାସ୍‌କୁ ଅଲ୍ଲୀ ହେଡ୍‌ କରି ଗୋଲରେ ପରିଣତ କରିଥିଲେ। ଇଂଲଣ୍ଡ ୨-୦ରେ ଅଗ୍ରଣୀ ନେବାରୁ ସ୍ବାଭାବିକଭାବେ ସ୍ବିଡେନ ଉପରେ ଚାପ ବଢ଼ିଥିଲା। ଅବଶିଷ୍ଟ ସମୟରେ ଦଳ ପକ୍ଷରୁ ଗୋଲ ପରିଶୋଧ ପାଇଁ ଭରପୂର ଉଦ୍ୟମ ହୋଇଥିଲା। ୧୯୬୬ ବିଶ୍ୱକପରେ ଇଂଲଣ୍ଡ ୧୧ଟି ଗୋଲ ଦେଇ ଟାଇଟଲ ବିଜୟୀ ହୋଇଥିଲା। ଚଳିତ ବିଶ୍ୱକପରେ ଇଂଲଣ୍ଡର ଗୋଲ ସଂଖ୍ୟା ୧୧ରେ ପହଞ୍ଚତ୍ଛି। ୧୯୮୬ ବିଶ୍ୱକପରେ ଇଂଲଣ୍ଡର ଗ୍ୟାରୀ ଲିଙ୍କର ୬ ଗୋଲ ଦେଇ ଗୋଲ୍ଡେନ ବୁଟ୍‌ ପାଇଥିଲେ। ଚଳିତ ବିଶ୍ୱକପରେ ଏହି ଦଳର ହ୍ୟାରୀ କେନ୍‌ ୬ ଗୋଲ ସହ ଗୋଲ୍ଡେନ ବୁଟ୍‌ ଦୌଡ଼ରେ ଅଗ୍ରଣୀ ରହିଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ଓ ସ୍ବିଡେନ ବିଶ୍ୱକପରେ ପରସ୍ପରକୁ ୨ ଥର ଭେଟିଥିଲେ। ଉଭୟ ମ୍ୟାଚ ଗ୍ରୁପ ପର୍ଯ୍ୟାୟରେ ହୋଇଥିଲା ଏବଂ ଡ୍ର ରହିଥିଲା। ୨୦୦୨ରେ ଫଳାଫଳ ୧-୧ ରହିଥିବାବେଳେ ୨୦୦୬ରେ ୨-୨ରେ ମ୍ୟାଚ ଶେଷ ହୋଇଥିଲା।

LEAVE A REPLY

Please enter your comment!
Please enter your name here