ଇ-ଜେଲ୍‍ ଯୋଜନାରେ ୧୬ହଜାର ବନ୍ଦୀଙ୍କ ସୂଚନା କମ୍ପ୍ୟୁଟରୀକରଣ ହେବ

0
68

ରାଜ୍ୟର ବିଭିନ୍ନ କାରାଗାରରେ ଥିବା ପ୍ରାୟ ୧୬ହଜାର ବନ୍ଦୀଙ୍କ ସୂଚନା କମ୍ପ୍ୟୁଟରୀକରଣ ହେବ । ଇ-ଜେଲ୍‍ ଯୋଜନାରେ ଏଥିପାଇଁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ଏକ କୋଟି ୬୦ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ।

କେନ୍ଦ୍ର ସରକାର ଇ-ଜେଲ୍‍ ଯୋଜନାରେ ସମଗ୍ର ଦେଶରେ ଥିବା ବନ୍ଦୀମାନଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରିବାଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ତିନିବର୍ଷ ଅବଧି ମଧ୍ୟରେ ସମସ୍ତ ସୂଚନା ଏକତ୍ର ସକାଶେ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଏହା ଜେଲ୍‍ ପ୍ରଶାସନ, ବିଚାରାଳୟ ଏବଂ ପୁଲିସ୍‍ ପ୍ରଶାସନକୁ ବିଶେଷ ସହାୟକ ହେବବୋଲି କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟକୁ ଏ ବାବଦରେ ପ୍ରଥମ କିସ୍ତି ଅର୍ଥ ମିଳିବା ପୂର୍ବରୁ ଜେଲ୍‍ ପ୍ରଶାସନର ଅତିରିକ୍ତ ମହାନିର୍ଦ୍ଦେଶକ ବିନୟାନନ୍ଦ ଝା ନିଜସ୍ୱ ବ୍ୟବସ୍ଥା ମାଧ୍ୟମରେ ଏହି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କେନ୍ଦ୍ରୀୟ ଅନୁଦାନ ମିଳିବା ସହିତ ରାଜ୍ୟ ସରକାର ତାଙ୍କର ଅଂଶଧନ ମଧ୍ୟ ଏଥିପାଇଁ ଯୋଗାଇଦେବେ । ଏ ଦିଗରେ ଜେଲ୍‍ ବିଭାଗର ଆଇଜି ମନୋରଞ୍ଜନ ପଟ୍ଟନାୟକ ସହାୟକ ଭୂମିକା ଗ୍ରହଣ କରୁଛନ୍ତି । ଏଥିପାଇଁ ନେସନାଲ୍‍ ଇନଫରମେଟିକ୍‍ ସେଣ୍ଟର (ଏନ୍‍ଆଇସି) ସଫ୍ଟୱେର ପ୍ରସ୍ତୁତ କରିଛନ୍ତି ।

ବର୍ତ୍ତମାନ ରାଜ୍ୟର ୮୬ କାରଗାର ମଧ୍ୟରୁ ୮୨ଟିରେ ଇ-ଜେଲ୍‍ ଯୋଜନା କାର୍ଯ୍ୟକାରୀ ହେଉଛି । କାରାଗାରରେ ୧୮ ହଜାରରୁ ଉଦ୍ଧ୍ୱର୍ ବନ୍ଦୀ ରହିବାପାଇଁ କ୍ଷମତା ଥିବାବେଳେ ୧୬ ହଜାରରୁ ଅଧିକ ବନ୍ଦୀ ରହୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏମାନଙ୍କ ମଧ୍ୟରୁ ୫ହଜାର ବନ୍ଦୀଙ୍କର ସୁବିସ୍ତୃତ ବିବରଣୀ ଇ-ଜେଲ୍‍ ବ୍ୟବସ୍ଥା ମାଧ୍ୟମରେ ଅର୍ନ୍ତଭୁକ୍ତ କରାଯାଇ ସାରିଲାଣି । ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟର ବିଭିନ୍ନ କାରାଗାରରେ ଥିବା ୧୬,୧୬୩ ବନ୍ଦୀଙ୍କ ମଧ୍ୟରୁ ୩୬୩୩ ଜଣ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଛନ୍ତି । ସଜା କାଟୁଥିବା ବନ୍ଦୀଙ୍କ ମଧ୍ୟରେ ୧୨୩ ଜଣ ମହିଳା ରହିଛନ୍ତି ।

ସେହିଭଳି ଜେଲ୍‍ ଗୁଡିକରେ ବିଚାରାଧିନ ବନ୍ଦୀଙ୍କ ସଂଖ୍ୟା ୧୨,୫୩୦ ଥିବାବେଳେ ଏମାନଙ୍କ ମଧ୍ୟରେ ମହିଳା ବନ୍ଦୀଙ୍କ ସଂଖ୍ୟା ୪୩୬ । ଇ-ଜେଲ୍‍ ଯୋଜନାରେ ବନ୍ଦୀମାନଙ୍କର ସବିଶେଷ ସୂଚନା କମ୍ପ୍ୟୁଟରୀକରଣ ହେଲେ ଯେଉଁ ବନ୍ଦୀମାନେ ଆଇନ୍‍ଗତ ସହାୟତା ନପାଇ ବର୍ଷ ବର୍ଷ ଧରି ଜେଲ୍‍ରେ ରହିଯାଉଛନ୍ତି ସେମାନଙ୍କୁ ସହଜରେ ଆଇନ୍‍ ସହାୟତା ମିଳିପାରିବ ବୋଲି କର୍ତ୍ତୃପକ୍ଷ ବିଚାରୁଛନ୍ତି ।

ଏହାଛଡା ଅନେକ ଏଭଳି ବନ୍ଦୀ ଅଛନ୍ତି ଯେଉଁମାନଙ୍କ ମାମଲା ଦୀର୍ଘଦିନ ଧରି ଗଡିବା ଫଳରେ ସେମାନେ ସାଧାରଣ ମାମଲାରେ ବି ଜେଲ୍‍ରୁ ମୁକୁଳି ପାରୁନାହାନ୍ତି । ସେମାନେ ମଧ୍ୟ ସହଜରେ କାରାମୁକ୍ତ ହୋଇପାରିବ । ଏଥିଯୋଗୁଁ ମାମଲା ସଂଖ୍ୟା ହ୍ରାସ ପାଇବ ବୋଲି କର୍ତ୍ତୃପକ୍ଷ ଆଶା ପ୍ରକାଶ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here