ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର ନେବ ସିବିଆଇ

0
79

ଭୁବନେଶ୍ୱର: ସିବିଆଇ ନେବ ବହୁଚର୍ଚ୍ଚିତ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର। ପାରାଦୀପ ସମୁଦ୍ର ଉପକୂଳରେ କେମିତି ବୁଡ଼ିଲା ଏମଭି ବ୍ଲାକରୋଜ ଜାହାଜ ? କିଏ ଏହାର ମାଲିକ ଓ କେଉଁଠୁ ଆସି ଏଥିରେ ଲୋଡିଂ ହୋଇଥିଲା ଶହ ଶହ ଟନ୍ ଲୁହାପଥର ? ତାର ହେବ ଟିକିନିକି ଖୋଳତାଡ଼।

୨୦୧୬ ଜୁଲାଇ ୨୯ରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଦୁଇ ଜଣ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଓ ଭୁବନ ମୋହନ ଜେନା ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷକୁ ସିବିଆଇ ତଦନ୍ତ ପାଇଁ ଅନୁରୋଧପତ୍ର ଦେଇଥିଲେ। ପରେ ସେପ୍ଟେମ୍ବେର ୯ରେ ଭୁବନ ମୋହନ ଜେନା ଘଟଣାର ପୁଣି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ଯାହାକୁ ପାରାଦୀପ ପୋର୍ଟ ଟ୍ରଷ୍ଟ ବୋର୍ଡ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟକୁ ପଠାଇ ଦେଇଥିଲା। ଏମିତିକି ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଗତ ଜାନୁଆରୀ ୩୧ରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ପାଇଁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ଆଉ ସେ ଅନୁରୋଧପତ୍ର ପାଇବା ପରେ ପରେ ଫେବ୍ରୁଆରୀ ୧ରେ ପେଟ୍ରୋଲିୟମ ମନ୍ତ୍ରୀ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ଶେଷରେ ଜାହାଜ ମନ୍ତ୍ରାଳୟ ପିପିଟି ଟ୍ରଷ୍ଟିଙ୍କ ଅନୁରୋଧକୁ ବିଚାରକୁ ନେଇ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।

ସେମ୍ବେର ୯-୨୦୦୯ ମସିହାରେ ପାରଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା ବ୍ଲାକ୍ ରୋଜ ଜାହାଜ। ଯେଉଁଥିରେ  ଥିଲା ପ୍ରାୟ ୯ଶହ ଟନ୍‌ରୁ ଅଧିକ ତୈଳ ସାଙ୍ଗକୁ ପାଖାପାଖି ୨୩ ହଜାର ୫ଶହ ମେଟ୍ରିକ ଟନ୍ ଲୁହା ପଥର। ଜାହାଜଟି ଜାଲ୍ କମ୍ପାନୀରେ ଜାଲ୍ କାଗଜପତ୍ର ଦେଇ ପାରାଦୀପ ପୋର୍ଟକୁ ବହୁ ସମୟରେ ଆସୁଥିଲା ଓ ମାଲ୍ ପରିବହନ କରୁଥିଲା ବୋଲି ଅଭିଯୋଗ ହୋଇ ଆସୁଥିଲା। ଏମିତିକି ଜାହାଜଟି ଦୀର୍ଘ ଦିନ ବୁଡ଼ି ରହିବା ଫଳରେ ସେଠାରେ ପ୍ରଦୂଷଣ ସୃଷ୍ଟି କରିଥିଲା। ଯାହାକୁ ନେଇ ସବୁ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେବେ ଜାଲ୍ କାରବାର ପଛରେ କେଉଁ ପ୍ରଭାବଶାଳୀମାନେ ଥିଲେ, ସିବିଆଇ ତଦନ୍ତ ସେ ଗୁମର ଫିଟାଇବ ବୋଲି ଆଶା କରାଯାଉଛ।

LEAVE A REPLY

Please enter your comment!
Please enter your name here