ଟିମ୍‌ ଇଣ୍ଡିଆ ପାଇଁ ନୂଆ ଚ୍ୟାଲେଞ୍ଜ, ନୁଆ ପରିବେଶ

0
20

ମାଞ୍ଚେଷ୍ଟର- ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଦଳ ଏବେ ଭିନ୍ନ ପରିବେଶରେ ନୂଆ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛି। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଭାରତ ଓ ଘରୋଇ ଇଂଲଣ୍ଡ ପ୍ରଥମ ଟି୨୦ ମୁକାବିଲାରେ ଅବତୀର୍ଣ୍ଣ ହେବେ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରୁଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ପୂରା ଲୟରେ ଥିବା ପରି ମନେହେଉଛି। ଗତ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରେ ଭାରତ ୨-୦ରେ ବିଜୟୀ ହୋଇଥିଲା। ଗତ ଏକ ଦଶନ୍ଧି ହେବ ଭାରତ ସୀମିତ ଓଭର କ୍ରିକେଟରେ ବେଶ୍‌ ଭଲ ପ୍ରଦର୍ଶନ କରିଆସୁଛି। ଇଂଲଣ୍ଡ ମଧ୍ୟ ଜୋଶ ବଟଲର, ଜାସନ ରଏ, ବେନ ଷ୍ଟୋକ୍ସଙ୍କ ଭଳି କ୍ରିକେଟରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଦିନିକିଆ ଓ ଟି୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରି ଟ୍ରାକକୁ ଫେରିଛି। ୨୦୧୯ ଦିନିକିଆ ବିଶ୍ୱକପ୍‌ ଆୟୋଜନ ହେବାକୁ ଆଉ ୧୨ ମାସରୁ କମ୍‌ ସମୟ ବାକି ରହିଛି। ପ୍ରସ୍ତୁତି ପାଇଁ ଆଗାମୀ ଟି୨୦ ସମେତ ଦିନିକିଆ ସିରିଜ ମହତ୍ତ୍ୱ ରଖୁଛି।
ଭାରତ ତା’ର ଗତ ୨୦ ଟି୨୦ ମ୍ୟାଚରେ ୧୫ଟିରେ ବିଜୟ ହାସଲ କରିଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ନିଦାହାସ ଟ୍ରଫି ଓ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଦ୍ୱିପାକ୍ଷିକ ସିରିଜ୍‌ ମଧ୍ୟ ଏଥିରେ ସାମିଲ ରହିଛି। ଇଂଲଣ୍ଡ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦମ୍‌ଦାର ବିଜୟ ହାସଲ କରି ଟପ୍‌ ଫର୍ମରେ ରହିଛି। ବଟଲର, ଜାସନ ରଏ ଓ ଜନୀ ବେୟାଷ୍ଟୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଇଂଲଣ୍ଡ ଗତ କେତୋଟି ସିରିଜରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ୨୦୧୭ ଜୁନ୍‌ ପରଠାରୁ ଇଂଲଣ୍ଡ ୯ଟି ଟି୨୦ ମ୍ୟାଚ୍‌ ଖେଳିଥିବା ବେଳେ ୫ଟିରେ ବିଜୟ ହାସଲ କରିଛି।
ଭାରତୀୟ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଖେଳିଥିବା ଦୁଇଟି ଟି୨୦ ମ୍ୟାଚ୍‌ ଓ୍ବାର୍ମଅପ ସଦୃଶ ହୋଇଛି। ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ବେଶ୍‌ ଦମ୍‌ଦାର ପ୍ରଦର୍ଶନ କରିଥିବା ବେଳେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ରିଷ୍ଟ ସ୍ପିନର ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତେବେ ଜଶପ୍ରୀତ ବୁମରା ବୁଢ଼ା ଆଙ୍ଗୁଠିରେ ଆଘାତ ପାଇବା ଘଟଣା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତା ସୃଷ୍ଟି କରିଛି। ବୁମ୍‌ରାଙ୍କ ସ୍ଥାନରେ ଅଭିଜ୍ଞ ଉମେଶ ଯାଦବ କିମ୍ବା ନବାଗତ ଦୀପକ ଚହର ଖେଳିବା ସମ୍ଭବନା ସୃଷ୍ଟି ହୋଇଛି।
ଗତ ଫେବୃୟାରୀ ପରେ ପ୍ରଥମଥର ପାଇଁ ପୂର୍ଣ୍ଣ ସାମର୍ଥ୍ୟ ସହ ଭାରତୀୟ ଦଳ ପଡିଆକୁ ଓହ୍ଲାଇବାକୁ ଯାଉଛି। ଭାରତୀୟ ଦଳରେ ସିଦ୍ଧାର୍ଥ କାଉଲ ସ୍ଥାନ ପାଇପାରନ୍ତି। ତେବେ ଏଥିପାଇଁ ଜଣେ ରିଷ୍ଟି ସ୍ପିନରଙ୍କୁ ବେଞ୍ଚ୍‌ରେ ବସିବାକୁ ପଡିବ। ପିଚ୍‌ର କଣ୍ଡିସନ୍‌ ଉପରେ ଅନ୍ତିମ ଏକାଦଶ ଚୟନ ନିର୍ଭର କରିବ। ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବା ନିଶ୍ଚିତ ହୋଇଥିବା ବେଳେ ତାଙ୍କ ଭାଇ କ୍ରୁନାଲ ଓ ଚହରଙ୍କୁ ଅପେକ୍ଷା କରିବାକୁ ପଡିବ। ଅଧିନାୟକ କୋହଲିଙ୍କ ସମେତ ସୁରେଶ ରାଇନା, ମହେନ୍ଦ୍ର ସିଂ ଧୋନୀ, ମନୀଷ ପାଣ୍ଡେଙ୍କୁ ନେଇ ଭାରତୀୟ ମିଡିଲ ଅର୍ଡର ବେଶ୍‌ ଶକ୍ତିଶାଳୀ ମନେହେଉଛି। ରୋହିତ ଶର୍ମା ଓ ଶିଖର ଧାଓ୍ବନ୍‌ ଇନିଂସ ଓପନ୍‌ କରିବେ। ତେଣୁ ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତୀୟ ଦଳ ବେଶ୍‌ ସନ୍ତୁଳିତ ମନେହେଉଛି।
ଅପରପକ୍ଷରେ ଗତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଦଳରେ କେତୋଟି ପରିବର୍ତ୍ତନ କରିବା ଆଶା କରାଯାଉଛି। ବଟଲରଙ୍କୁ ଓପନିଂ କରାଇବା ପରୀକ୍ଷା ସଫଳ ହୋଇଛି। ବଟଲର ଭାରତ ପାଇଁ ସବୁଠାରୁ ବଡ଼ ବିପଦ ସାବ୍ୟସ୍ତ ହେବେ। ସେହିପରି ଜାସନ ରଏ ଓ ଆଲେକ୍ସ ହେଲ୍ସଙ୍କୁ ଅଟକାଇବାରେ ସଫଳ ହେଲେ ଭାରତ ସିରିଜରେ ଭଲ ପ୍ରଦର୍ଶନ କରିବ। ଫିଫା ବିଶ୍ୱକପ୍‌ ଚାଲିଥିବା ବେଳେ ଅବଶ୍ୟ ଏହି ଟି୨୦ ସିରିଜ ସାମାନ୍ୟ ଫିକା ଲାଗିବ। ତଥା କ୍ରିକେଟ ପାଗଳ ଦେଶ ଭାରତରେ ଏହି ସିରିଜକୁ ପ୍ରଶଂସକମାନେ ବେଶ୍‌ ଗୁରୁତ୍ୱ ଦେବେ ବୋଲି ଆଶାକରାଯାଉଛି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ରୋହିତ ଶର୍ମା, ଲୋକେଶ ରାହୁଲ, ସୁରେଶ ରାଇନା, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂ ଧୋନୀ, ଦୀନେଶ କାର୍ତ୍ତିକ, ୟୂୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର, ହାର୍ଦ୍ଦିକ ପାଣ୍ଡ୍ୟା, ସିଦ୍ଧାର୍ଥ କାଉଲ ଓ ଉମେଶ ଯାଦବ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲୀ, ଜନୀ ବେୟାରଷ୍ଟୋ, ଜ୍ୟାକ ବଲ, ଜୋଶ ବଟଲର, ସାମ୍‌ କୁରାନ, ଟମ୍‌ କୁରାନ, ଆଲେକ୍ସ ହେଲ୍ସ, କ୍ରିସ୍‌ ଜୋର୍ଡାନ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରଏ, ଡେଭିଡ ଓ୍ବଲି ଓ ଡଓ୍ବେିଡ ମଲାନ।

LEAVE A REPLY

Please enter your comment!
Please enter your name here