ଏନଏଚଏଆଇ ଅଫିସରେ ପାଣି ଢାଳିଲେ

0
52

ଭୁବନେଶ୍ୱର  : ସ୍ୱଚ୍ଛତା ପ୍ରସଙ୍ଗରେ ମେୟରଙ୍କୁ ମାନପତ୍ର ଭଳି ଅଭିନବ ପ୍ରତିବାଦ କରିଥିବା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପୁଣି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛି  । ଅସରାଏ ଦିଅସରା ବର୍ଷାରେ ଇସ୍କନ ମନ୍ଦିର ସାମ୍ନାରେ ଅକାତ କାତ ପାଣି ଜମୁଥିବାରୁ ଏନଏଚଏଆଇ ଅଫିସରେ ପାଣି ଢାଳି ପ୍ରତିବାଦ କରିଛି କଂଗ୍ରେସ  । ଯାହାକୁ ନେଇ ରାଜଧାନୀରେ ବେଶ ଚର୍ଚ୍ଚା ହୋଇଥିବାବେଳେ କଂଗ୍ରେସର ପ୍ରତିବାଦକୁ ଜନସମର୍ଥନ ମିଳିଥିବା ଲକ୍ଷ୍ୟ କରାଯାଉଛି  ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଆଜି ଏନଏଚଏଆଇ ଅଫିସ ସାମ୍ନାରେ ପହଁଚିଥିଲେ  । କଂଗ୍ରେସର ପ୍ରତିବାଦରେ ସାମିଲ ହୋଇଥିଲା ଏକ ପାଣି ଟ୍ୟାଙ୍କର  । କେହି କିଛି ଭାବିବା ପୂର୍ବରୁ ପାଣି ଟାଙ୍କିରୁ ଭସଭସ କରି ଏନଏଚଏଆଇ ଅଫିସ ଭିତରକୁ ପାଣି ଛଡ଼ା ଯାଇଥିଲା  । ଅଫିସ ବାରଣ୍ଡାରେ ଲହରୀ ଭାଙ୍ଗିଥିଲା ପାଣି  । ଯାହାକି ଅଫିସର ଅଧିକାରୀ ଓ କର୍ମଚାରୀଙ୍କୁ ତାଜୁବ କରିଥିଲା  । ଭୁବନେଶ୍ୱରରେ ଯଦି ପାଣି ଜମୁଛି, ତେବେ ଆପଣଙ୍କ ଅଫିସରେ ବି ପାଣି ଜମୁ ବୋଲି କଂଗ୍ରେସ କର୍ମୀମାନେ କହୁଥିବା ଶୁଣିବାକୁ ମିଳିଥିଲା  ।
ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀ କହିଛନ୍ତିଯେ, ପ୍ରତିବର୍ଷ ବର୍ଷା ଦିନେ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ପ୍ରବଳ ପାଣି ଜମୁଛି  । ଅସରାଏ ବର୍ଷାରେ ହ୍ରଦର ଭ୍ରମ ସୃଷ୍ଟି ହେଉଛି  । ଫଳରେ ଗମନାଗମନ ଠପ ହୋଇପଡ଼ିବା ସହ ରାଜଧାନୀବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଅନେକଙ୍କ ଘର ମଧ୍ୟରେ ବି ପାଣି ପଶିଯାଉଛି  । ରାଜଧାନୀବାସୀ ଏଭଳି ସମସ୍ୟାରେ ଯୁଝୁଥିବାବେଳେ ଏନଏଚଏଆଇ କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବା ଆମକୁ ବ୍ୟଥିତ କରିଛି  । ତେଣୁ ଘରେ ପାଣି ଜମା ହେଲେ କେମିତି ଅସୁବିଧାର ସମ୍ମୁଖୀନ ହେବାକୁ ପଡେ଼ ତାହା ଦର୍ଶାଇବା ପାଇଁ ଏଭଳି ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଛି  । ସେହିପରି ରାଜ୍ୟ ସରକାରଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି  । ନମ୍ବର ୱାନ ସ୍ମାର୍ଟ ସିଟି ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ନେଇ ମେୟରଙ୍କ ଯାଏଁ ବାହାସ୍ଫୋଟ ମାରୁଛନ୍ତି  । ବିଜେଡ଼ି ସରକାର ଏନେଇ କାଣିଚାଏ ପଦକ୍ଷେପ ଗ୍ରହଣ କରିନଥିବାବେଳେ ଏନଏଚଏଆଇ ଉପରେ ବି ଚାପ ସୃଷ୍ଟି କରୁନାହାନ୍ତି  । ରାଜ୍ୟ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ପୂର୍ତ ବିଭାଗ, ନବୀନ ନିବାସ ଓ ମେୟରଙ୍କ ବାସଭବନରେ ବି ପାଣି ଭର୍ତି କରି କଂଗ୍ରେସ ପ୍ରତିବାଦ କରିବ ବୋଲି ଶ୍ରୀ ଚୌଧୁରୀ  ଚେତାବନୀ ଦେଇଛନ୍ତି  ।

LEAVE A REPLY

Please enter your comment!
Please enter your name here