ରାଷ୍ଟ୍ରପତି ଭବନର ସ୍ପଷ୍ଟିକରଣ ପରେ ରାଜନୀତି ଜୋର, ତାରାଙ୍କୁ ଘେରିଲେ ବିଜେପି, ବିଜେଡି

0
47

ଭୁବନେଶ୍ୱର: ରାଷ୍ଟ୍ରପତି ଦମ୍ପତିଙ୍କୁ ଶ୍ରୀମନ୍ଦିରରେ ଅସମ୍ମାନ କରିବାକୁ ନେଇ ରାଜନୀତି ବଢିବାରେ ଲାଗିଛି । ରାଷ୍ଟ୍ରପତିଙ୍କର ମିଡିଆ ସେଲ୍ ସଚିବ ଏଭଳି ଘଟଣା ଘଟି ନଥିବା କି କୌଣସି ଚିଠି ଦିଆଯାଇନଥିବା ନେଇ ମତ ରଖିବା ପରେ କଂଗ୍ରେସ ଏଥିରେ ଉଭୟ ବିଜେଡି-ବିଜେପିଙ୍କୁ ଟାର୍ଗେଟ କରିଛି । ବିଜେପି-ବିଜେଡି ମଧ୍ୟ କଂଗ୍ରେସକୁ ପାଲଟା ଜବାବ ଦେଇଛନ୍ତି । ରାଷ୍ଟ୍ରପତି ଭବନର ସ୍ପଷ୍ଟିକରଣ ପରେ ସେବାୟତ ମାନେ ବସିଛନ୍ତି ।
ଖୁଂଟିଆ ସେବାୟତ ସଂଘର ସଭାପତିଙ୍କ କହିବା କଥା ଆମ ବିରୋଧରେ ଏହା ଗୋଟିଏ ଷଡ଼ଯନ୍ତ୍ର । ସେବାୟତମାନଙ୍କୁ ବଦନାମ କରିବାକୁ ଉଦ୍ୟମ । ପରିଚାଳନା କମିଟି ଜାଣିବା ଦରକାର ଯଦି କିଛି ନାହିଁ ଆମେ କଣ ପାଇଁ ସେବାୟତମାନଙ୍କୁ ଅପମାନ କରିବା । ସେବାୟତମାନଙ୍କୁ ବାରମ୍ବାର ନିନ୍ଦିତ କରି କାଠଗଡ଼ାରେ ପକାଇ ଉଲଗ୍ନ କରାଯାଉଛି । ଦ୍ରୌପଦୀଙ୍କୁ ଯେପରି କୁରୁ ସଭାରେ ବିବସ୍ତ୍ର କରାଯାଇଥିଲା, ବର୍ତମାନ ସେଭଳି ଦେଖାଦେଇଛି । ଖଳମାନଙ୍କୁ ଖୋଜିକି କାଢିବା ଓ ସେମାନଙ୍କ  ମୁଖା ଖୋଲିବା ଆବଶ୍ୟକ ପଡ଼ିଛି ବୋଲି ସଭାପତି କହିଛନ୍ତି ।
କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବିଜେପି ବିଜେଡିକୁ ସମାଲୋଚନା କରି କହିଛନ୍ତି “ଆଗେ ଜଗନ୍ନାଥ ମନ୍ଦିରରେ ଯାଇ କ୍ଷମା ମାଗିବା ଦରକାର । ପାଟିରେ କୁଟା ଦେଇ ସେଠି ଦ୍ୱାର ସାମ୍ନାରେ ଅଧିଆ ପଡ଼ନ୍ତୁ ବିଜେପି-ବିଜେଡି । କୁହନ୍ତୁ ଆମେ ଭୁଲ କରିଛୁ, ହେ ଜଗନ୍ନାଥ ଆମକୁ କ୍ଷମା ଦିଅ ।”
ଏହାର ଜବାବରେ ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି “ ତାରା ବାବୁଙ୍କ ଦଳ ବର୍ତମାନ ପ୍ରାସଙ୍ଗିକତା ହରାଇଲେଣି । ଗଣ ମାଧ୍ୟମରୁ ଦେଖି ଆମେ ଆମ ମତ ବ୍ୟକ୍ତ କରିଥିଲୁ ଯେ ବିବାଦ ଘେରରେ ରାଷ୍ଟ୍ରପତି ଭବନକୁ ମଧ୍ୟ ଛାଡ଼ୁ ନାହାନ୍ତି ବିଜୁ ଜନତା ଦଳ ।”
ବିଜେଡି ମୁଖପାତ୍ର ସାଂସଦ ପ୍ରତାପ କେଶରୀ ଦେବ ମଧ୍ୟ ଗଣ ମାଧ୍ୟମକୁ ଦୋଷ ଦେଇଛନ୍ତି । ସେ କହିଛନ୍ତି “ଏ  ଆଲୋଚନା ମିଡିଆ ଆରମ୍ଭ କରିଛି  । ବିଜୁ ଜନତା ଦଳ ଆରମ୍ଭ କରିନି କି ବିଜୁ ଜନତା ଦଳ ପ୍ରବକ୍ତା ଆରମ୍ଭ କରିନାହାନ୍ତି । ଯେଉଁ କଥା କଂଗ୍ରେସ ଦଳ କହୁଛି ସେଥିରେ ନିଜେ ଆଗେ ଠିକ କଥା ଜାଣି ମତ ଦେବାକଥା । ତାରା ବାବୁଙ୍କ ମନରେ ଯଦି ସନ୍ଦେହ ଅଛି ତେବେ ନିରଞ୍ଜନ ବାବୁଙ୍କ ସହ ଆଲୋଚନା କରନ୍ତୁ ସେ ତାଙ୍କୁ  ସତ କଥା କହିବେ ।”

LEAVE A REPLY

Please enter your comment!
Please enter your name here