ଚାଷୀଙ୍କ ପାଇଁ କେନ୍ଦ୍ରର କୁମ୍ଭୀର କାନ୍ଦଣା: ନିରଞ୍ଜନ

0
27

ଭୁବନେଶ୍ୱର: କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ଭାଷଣରେ ଚାଷୀଙ୍କ କଲ୍ୟାଣ ପାଇଁ ଅନେକ କଥା କହୁଛନ୍ତି । କିନ୍ତୁ ଏବେ ଖରିଫ ଚାଷ ଋତୁ ଆରମ୍ଭ ହୋଇସାରିଥିବାବେଳେ କୃଷି ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି) ଘୋଷଣା କରାଯାଉନାହିଁ । ଏହାକୁ ନେଇ ଚାଷୀକୂଳ ଚିନ୍ତାରେ ପଡିଥିବାବେଳେ ଜୁନ୍ ଶେଷସୁଦ୍ଧା ଯେତିକି ଅଂଚଳରେ ଚାଷକାମ ହେବା କଥା ତାହା ସମ୍ଭବ ହୋଇପାରିନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ସାଧାରଣତଃ ପ୍ରତିବର୍ଷ ଖରିଫ ଋତୁ ଆରମ୍ଭ ହେବାମାତ୍ରେ ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରନ୍ତି । ଏଥିରେ ୨୩ଟି ଫସଲକୁ ସାମିଲ କରାଯାଏ । ଚଳିତ ବର୍ଷ ଜୁନ୍ ଶେଷହୋଇଥିବା ସତ୍ୱେ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇନାହିଁ । ଏହାଫଳରେ ଚାଷୀମାନେ କେଉଁ ଫସଲ କରିବେ ତାହା ଉପରେ ନିଷ୍ପତି ନେଇପାରୁନାହାନ୍ତି । ବଜେଟ୍ରେ ମୋଦି ଘୋଷଣା କରିଥିଲେ ଯେ ଚାଷୀ ଫସଲ କରିବା ପାଇଁ ଯେତିକି ଖର୍ଚ୍ଚ କରୁଛି, ତାହା ଉପରେ ୫୦ ଶତାଂଶ ଅଧିକ ଦିଆଯାଇ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯିବ । ଏଯାଏ ତାହା ହୋଇପାରିଲା ନାହିଁ ।
କେନ୍ଦ୍ର ସରକାର ଏଭଳି ଯୋଜନା ମଧ୍ୟ କରୁଛନ୍ତି, ଯେଉଁଠି ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ୱ ରାଜ୍ୟମାନଙ୍କୁ ଦିଆଯିବ । ଏପରିକି କିଛି ଅଣସରକାରୀ ସଂସ୍ଥା ମଧ୍ୟ ଏହି ଦାୟିତ୍ୱ ତୁଲାଇବେ । ଏହାଦ୍ୱାରା କେନ୍ଦ୍ର ସରକାର ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେବାର ଉଦ୍ୟମ କରୁଛନ୍ତି । ନୀତି ଆୟୋଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏହି ମର୍ମରେ ତିନିଟି ପ୍ରସ୍ତାବ ଦିଆଯାଇଛି । ତାହା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଗଠିତ ଏକ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ଆଲୋଚନା, ସମୀକ୍ଷା କରୁଛନ୍ତି । ଏହି ଗୋଷ୍ଠୀ କେବେ ନିଷ୍ପତି ନେଇ ଏମଏସ୍ପି ଘୋଷଣା କରିବେ ତାହା ଜଣାନାହିଁ । କେନ୍ଦ୍ରର ଏଭଳି କାଳକ୍ଷେପଣ ନୀତି ଚାଷକୂଳ ପାଇଁ କାଳ ହେବାକୁ ଯାଉଛି । ଆଶଙ୍କାରେ ରହିଥିବା ଚାଷୀ ଗତବର୍ଷ ଜୁନ୍ ୩୦ ପର୍ଯ୍ୟନ୍ତ ଯେତିକି ଅଂଚଳରେ ଚାଷକାମ କରିଥିଲେ, ଚଳିତ ବର୍ଷ ତାହା ହ୍ରାସପାଇଛି । ତାହାର କାରଣ ହେଉଛି କେଉଁ ଫସଲ ପାଇଁ ଅଧିକ ଏମଏସ୍ପି ଘୋଷଣା କରାଯିବ ତାହାକୁ ଚାଷୀ ଅପେକ୍ଷା କରିଛନ୍ତି । ତା’ଭିତରେ ଯଦି ବୁଣାବୁଣି ସମୟ ସରିଗଲା ତେବେ ଚାଷୀମାନେ କ୍ଷତି ସହିବେ । ତେଣୁ ମୁଖ୍ୟ ଫସଲଗୁଡିକ ନିମନ୍ତେ ତୁରନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବାକୁ ଶ୍ରୀ ପଟ୍ଟନାୟକ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ କେନ୍ଦ୍ର ନିକଟରେ ଉପସ୍ଥାପନ କରିବାକୁ ମଧ୍ୟ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here