ବିହନ ଅଭାବ, ଚାଷୀ ହନ୍ତସନ୍ତ

0
47

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଅନୁଗୁଳ ସମବାୟ ସମିତି ଅଧିନରେ କାର୍ଯ୍ୟ କରୁଥିବା ୪ଟି ବ୍ଲକର ସମସ୍ତ ସମବାୟ ସମିତି କାର୍ଯ୍ୟାଳୟରେ ଚଳିତବର୍ଷ ଧାନ ବିହନର ମରୁଡ଼ି ଦେଖାଦେଇଛି । ପ୍ରାୟ ୧୫ଦିନ ହେବ ଚାଷୀମାନେ ପ୍ରତ୍ୟେକ ଦିନ ସମବାୟ ସମିତି କାର୍ଯ୍ୟାଳୟକୁ ଯାଇ ଫେରୁଥିବା ଦେଖିବାକୁ ମିଳୁଛି । ଧାନ ଚାଷ ଉପରେ ଚାଷୀଟି ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ ଥିବାବେଳେ ଉଚିତ୍ ସମୟରେ ବିହନ ନମିଳିବାରୁ, ଧାନ କେବେ ଆସିବ, ତାପରେ ସମବାୟ ସମିତିକୁ କେବେ ଯିବ ତାପରେ ଚାଷୀ କେବେ ପାଇବ । ବର୍ତ୍ତମାନ ଧାନବୁଣା ସମୟ । ଚାଷୀ କ୍ଷେତକାମ ସାରି ଧାନ ବିହନକୁ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଚାଷୀଟି ମୁଣ୍ଡରେ ହାତ ଦେଇ ବସିଛି । ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ବିହନ ନ ପାଇବା ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି । କେଉଁ ଚାଷଜମି ପାଇଁ କେଉଁ ଧାନ ଦରକାର ସେ ବିଷୟରେ କୃଷି ବିଭାଗ ନିକଟରେ କୌଣସି ଖବର ନଥିବାବେଳେ ମନମୁଖୀ ଭାବେ ଅଧିକାରୀମାନେ ସମିତିକୁ ପଠାଇଥାନ୍ତି । ଫଳରେ ଚାଷୀଟି ବାଧ୍ୟ ବାଧକତାରେ ବୁଣିଥାଏ ଏବଂ ଉତ୍ପାଦନ ହ୍ରାସ ପାଇଥାଏ । ସେହି ଅନୁପାତରେ ଚାଷୀଟିକୁ ତାର ଆଶାନୁରୂପ ଫଳ ମିଳେ ନାହିଁ । ଗତ ୧୨ ତାରିଖରେ କଙ୍କଡ଼ାହାଡ଼ ବ୍ଲକରେ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସାର ଓ କୀଟନାଶକ ଔଷଧ ବାହାରକୁ ଚୋରାଚାଲାଣ କରୁଥିବା ବେଳେ ୪ ଜଣ ଜେଲ୍କୁ ଯାଇଛନ୍ତି । ଏ ଅଞ୍ଚଳରେ ଆତ୍ମା ଯୋଜନା ସଂପୂର୍ଣ୍ଣ ଆତ୍ମସାତ୍ ହୋଇଛି । ପ୍ରତିବର୍ଷ ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ମାଗଣା କିଟ୍ ଆସୁଥିବା ବେଳେ ଚାଷୀମାନଙ୍କୁ ନଦେଇ ସଂପୂର୍ଣ୍ଣ ବିଭାଗ ଜାଲିଆତି କରି ଆତ୍ମସାତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏ ନେଇ ମଧ୍ୟ ଚାଷୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ତାହା ତଦନ୍ତ ହେଉନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଗତ ୨୫ ତାରିଖ କଙ୍କଡ଼ାହାଡ଼ ବ୍ଲକ୍ ସମ୍ମୁଖରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସାର ଓ କୀଟନାଶକକୁ ନେଇ ଗଣଧାରଣା ହୋଇଥିଲା । ଧାନ ବିହନ ଅଭାବ ନେଇ ମହାବିରୋଡ଼ ସମବାୟ ସମିତିର ସମ୍ପାଦକ ସତ୍ୟାନନ୍ଦ ରାଉଳଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ କୁହନ୍ତି ମହିଷାପାଟ, ଢେଙ୍କାନାଳ ଠାରେ ଥିବା ଡିପୋରେ ଷ୍ଟକ୍ ନାହିଁ । ଆମେ ଯାଇ କେବଳ ଫେରୁଛୁ । ଆମେ ବା କଣ କରିପାରିବୁ? ଏଥିରୁ ଜଣାପଡ଼େ ବିଭାଗର ଚାଷୀଙ୍କ ପାଇଁ କେତେ ଦରଦ । ଏ ନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା ।

LEAVE A REPLY

Please enter your comment!
Please enter your name here