ଅବଧି ପରେ ବି ସରିଲାନି ବିଲ୍ଡିଂ: ଚିନ୍ତାରେ କର୍ତ୍ତୃପକ୍ଷ

0
63

ଚମ୍ପୁଆ: ସ୍ଥାନୀୟ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଅତିରିକ୍ତି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ସରି ନଥିବାରୁ ଜୁଲାଇରେ କିପରି ଶିକ୍ଷାଦାନ ଚାଲିବ ସେନେଇ କଲେଜ କର୍ତ୍ତୃପକ୍ଷ ଚିନ୍ତାରେ ପଡିଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟଯେ, ଜିଲ୍ଲା ମିନେରାଲ୍ ଫଣ୍ଡ୍ରୁ ମହାବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି କ୍ଲାସରୁମ୍ ନିର୍ମାଣର ବ୍ୟୟ ବରାଦ ହୋଇଥିଲା । ଜୁନ୍ ଶେଷ ସୁଦ୍ଧା କାର୍ଯ୍ୟସାରି କଲେଜକୁ ଏହି ଶ୍ରେଣୀଗୃହ ହସ୍ତାନ୍ତର କରିବା କଥା କିନ୍ତୁ ଜୁନ୍ ମାସ ସରିବାକୁ ବସିଥିଲେ ହେଁ ଏପର୍ଯ୍ୟନ୍ତ ପ୍ଲାଷ୍ଟର ହୋଇନଥିବା ଦେଖିବାକୁ ମିଳିଛି । ତେଣୁ ଦିନ କେଇଟା ପରେ ଜୁଲାଇ ଆରମ୍ଭରୁ +୨ ଓ +୩ ନାମଲେଖା ପରେ ଶ୍ରେଣୀଗୃହ ଅଭାବରୁ କିଭଳି ଶିକ୍ଷାଦାନ କରାଯିବା ସେନେଇ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭାଳେଣି ପଡିଛି । ବିରାଟ ହଲ୍ ଟିକୁ ଚାରଟି ଶ୍ରେଣୀଗୃହ ପାଇଁ ବିଭାଜିତ କରାଯାଇ ନଥିବା ଜଣାପଡିଛି । ତେଣୁ କେବେ ପ୍ଲାଷ୍ଟର, କବାଟ ଝରକା, ବୈଦୁ୍ୟତିକ ଉପକରଣ, ରଙ୍ଗ ପ୍ରଭୃତି କାର୍ଯ୍ୟ ସହ କଲେଜକୁ ହସ୍ତାନ୍ତର କରାଯିବ ତାହା ଏବେ କୁହେଳିକା ମଧ୍ୟରେ । ଏଥିସହ ଆଉ ଚାରୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଡି.ଏମ.ଏଫ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଥିବା ଜଣାପଡିଛି । କଣ୍ଟ୍ରାକ୍ଟରଙ୍କ ଅବହେଳା ଏବଂ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ନିର୍ମାଣ କାର୍ଯ୍ୟ ଡେରି ହେଉଥିବା ସାଧାରଣରେ ଆଲୋଚନା ହେଉଛି । ତେଣୁ ବିଲିଡିଂ କାମ ଅଗ୍ରାଧିକାର ଭିତ୍ତିରେ ସାରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି । ସୂଚନା ଯେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଉପଖଣ୍ଡର ସର୍ବପୁରାତନ ଓ ନାକ୍ ସ୍ୱୀକୃତିପ୍ରାପ୍ତ କଲେଜ ଶ୍ରେଣୀ ଗୃହ ଅଭାବ ସହ ଏଠାରେ +୩ର ମୂଲ୍ୟାୟଣ କେନ୍ଦ୍ର ମଧ୍ୟ ଚାଲିଛି । ତେଣୁ ଏକ ସମୟରେ ଶିକ୍ଷାଦାନ ସହ ଖାତାଦେଖା ଜୋନ୍ କିପରି ଚାଲିବ ସେନେଇ ଚିନ୍ତାରେ ପଡିଛନ୍ତି କଲେଜ କର୍ତ୍ତୃପକ୍ଷ ।

LEAVE A REPLY

Please enter your comment!
Please enter your name here