ବନ୍ଦେ ଉତ୍କଳ ଜନନୀକୁ ନେଇ ବିଜେଡିରେ ପଶିଲା ବିବାଦ

0
44

ଭୁବନେଶ୍ୱର: “ବନ୍ଦେ ଉତ୍କଳ ଜନନୀ”କୁ ନେଇ ମନ୍ତ୍ରୀ ସୁଶାନ୍ତ ସିଂହ ଯେଉଁ ବିବାଦ ଛିଡ଼ା କରାଇଛନ୍ତି ତାହା ଏବେ ବିଜେଡି ଭିତରେ ପସିଛି । ସୁଶାନ୍ତଙ୍କ ମତକୁ ନେଇ ଦଳ ଭିତରେ ବିରୋଧାଭାବ ଦେଖା ଦେଇଛି । ଦଳର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପୂର୍ବତନ ବାଚସ୍ପତି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ କିଶୋର ମହାନ୍ତି ପ୍ରତିକ୍ରିୟା ରଖି ଭିନ୍ନ ମତ ପୋଷଣ କରିଛନ୍ତି । ସୁଶାନ୍ତଙ୍କ ମତକୁ ବିରୋଧ କରିଛନ୍ତି । କିନ୍ତୁ ସାଂସଦ ପ୍ରଭାସ ସିଂହ ସମର୍ଥନ କରିଛନ୍ତି । ଏମାନେ ସମସ୍ତେ ହେଉଛନ୍ତି ବିଜେଡିର ପଶ୍ଚିମ ଓଡିଶାର ନେତା । ଶ୍ରୀ ପ୍ରଧାନ ବିଜେଡିର  ସମ୍ବଲପୁର ସାଂସଦ, ଶ୍ରୀ ମହାନ୍ତି ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେଡି ନେତା ଓ ଶ୍ରୀ ସିଂହ ହେଉଛନ୍ତି ବରଗଡ଼ ସାଂସଦ । ବିଜେପି ପକ୍ଷରୁ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ଲାଗି ଦାବି କରାଯିବା ପରେ ଏହାକୁ ବିଭିନ୍ନ ଆଡ଼ୁ ସମର୍ଥନ ମିଳିଲା । ସରକାରଙ୍କ ଉପରେ ଏଥିନେଇ ଚାପ ବଢିଲା । ସରକାର ଅନୁଧ୍ୟାନ କରୁଛନ୍ତି କହି ପ୍ରସଙ୍ଗକୁ ଟାଳିଲେ । ଏହାକୁ ନେଇ ବିବାଦ ଚାଲିଥିଲା ବେଳେ ହଠାତ୍ ମନ୍ତ୍ରୀ ସୁଶାନ୍ତ ସିଂହ ଏହା ଭିତରେ ନୂଆ କେଁ ପୁରାଇଲେ । ସେ କହିଲେ ଉତ୍କଳ ବଦଳରେ ଓଡିଶା ରଖାଯାଉ । କାରଣ ପଶ୍ଚିମ ଓଡିଶାରେ କୋଶଳ ଆନ୍ଦୋଳନ ମୁଣ୍ଡ ଟେକୁଛି । ଏଣୁ ପଶ୍ଚିମ ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ପଦକ୍ଷେପ ନିଆଯାଉ । ସୁଶାନ୍ତଙ୍କର ଏହି ମତକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି । କେହି କେହି ସୁଶାନ୍ତଙ୍କ ଇସ୍ତଫା ଦାବି କରିଥିଲା ବେଳେ ଆଉ କିଏ ସେ ଭୂଲ ମାଗିବାକୁ ଦାବି କରିଛନ୍ତି । ଏହି ବାଦ ବିବାଦ ଦେଖା ଦେବାରୁ ବିଜେଡି ଏହା ସୁଶାନ୍ତଙ୍କର ବ୍ୟକ୍ତିଗତ ମତ ବୋଲି କହିଲା । ଏବେ ପଶ୍ଚିମ ଓଡିଶା ନେତାଙ୍କ ଭିତରେ ଏହାକୁ ନେଇ ମତ ପାର୍ଥକ୍ୟ ଦେଖା ଦେଇଛି ।  ସାଂସଦ ନଗେନ୍ଦ୍ର ପ୍ରଧାନ କହିଛନ୍ତି “ବନ୍ଦେ ଉତ୍କଳ ଜନନୀ ସମସ୍ତଙ୍କର ଗ୍ରହଣୀୟ ହୋଇସାରିଛି । ଏଣୁ ବନ୍ଦେ ଉତ୍କଳ ଜନନୀ ଯିଏ ଲେଖିଛି ସେ ହିଁ ପରିବର୍ତନ କରିପାରିବେ । ଶବ୍ଦ ପରିବର୍ତନ କରିବାର ଅଧିକାର ଆଉ କାହାର ନାହିଁ ।”  ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ କିଶୋର ମହାନ୍ତି କହିଛନ୍ତି “ଉତ୍କଳ ଶବ୍ଦକୁ ନେଇ କୌଣସି ପ୍ରକାର ବିରୋଧ ନାହିଁ । ମନ୍ତ୍ରୀ ସୁଶାନ୍ତ ଯାହା କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ମତ । ସରକାର ଯାହା ସ୍ଥିର କରିବେ ସେଥିରେ ଆମେ ସମସ୍ତେ ରାଜି ହେବା ଦରକାର ।”  ସାଂସଦ ପ୍ରଭାସ ସିଂହ କହିଛନ୍ତି “ଉତ୍କଳ ସ୍ଥାନରେ ଓଡିଶା ରଖିଲେ ଚଳିବ କିଛି ଅସୁବିଧା ନାହିଁ । ପୂର୍ବରୁ ଓଡିଶାର ବିଭିନ୍ନ ଅଂଚଳ ବିଭିନ୍ନ ରାଜ୍ୟ ସହ ଥିଲା ୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଛି । ଏଣୁ ଓଡିଶା ଶବ୍ଦ ରଖିଲେ କିଛି ଅସୁବିଧା ନାହିଁ  । ରାଜ୍ୟ ସରକାର ଠିକ୍ ନିଷ୍ପତି ନେବେ  । କାରଣ ସେ ସମୟରେ ପଶ୍ଚିମ ଓଡିଶା ଉତ୍କଳରେ ନଥିଲା ।”  ଆମେ ଓଡିଆ ସଂଗଠନ ପକ୍ଷରୁ ସୁଶାନ୍ତଙ୍କ ମତକୁ ବିରୋଧ କରି ବିକ୍ଷୋଭ ଜାରି ରହିଛି । ମୁଖ୍ୟମନ୍ତ୍ରୀ କିଛି ପଦକ୍ଷେପ ନନେଲେ ସାରା ଓଡ଼ିଶାରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here