ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର: ବିଜେଡି – ବିଜେପି ପ୍ରସ୍ତୁତ

0
41

ଭୁବନେଶ୍ୱର: ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆଗାମୀ ନିର୍ବାଚନ ପାଇଁ ତଥ୍ୟ ଲୋଡ଼ିଛନ୍ତି । ଏହି ଚିଠି ଲେଖାଯିବା ପରେ ରାଜନୀତିକ ମହଲରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ୨୦୧୯ ନିର୍ବାଚନ ପାଇଁ ଏହା ଏକ ରୁଟିନ୍ କାର୍ଯ୍ୟକ୍ରମ ବୋଲି କହିଛନ୍ତିି । ହେଲେ ଆଗୁଆ ନିର୍ବାଚନ କଥା ଆସୁଥିବାରୁ ରାଜନୀତିକ ଦଳ ଗୁଡ଼ିକ ଏଥି ଲାଗି ପ୍ରସ୍ତୁତ ବୋଲି ମତ ରଖିଛନ୍ତି । ଉଭୟ ବିଜେଡି ଓ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ।
ବିଜେଡି ମୁଖପାତ୍ର ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ଅତୀତରେ ଅନେକ ବାର ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି ଓ ପ୍ରଧାନ ମନ୍ତ୍ରୀ ଖୋଲା ଖୋଲି ଭାବେ କହିଛନ୍ତି ଶୀଘ୍ର ନିର୍ବାଚନ ହେବା ଦରକାର ଓ ଏକ ସଙ୍ଗରେ ନର୍ବାଚନ ହେବା ଦରକାର । ଏପରିକି ନିର୍ବାଚନ କମିଶନ ମଧ୍ୟ କହିଛନ୍ତି ଯେ ଆମେ ଅକ୍ଟୋବର ସୁଦ୍ଧା ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ । ଅର୍ଥାତ ସାଧାରଣ ନିର୍ବାଚନର ୬ ମାସ ପୂର୍ବରୁ ଆମେ ପ୍ରସ୍ତୁତ ଥିବୁ । ଏଣୁ ଏଥିରେ ଆଦୌ ବିଚଳିତ ହେବାର ନାହିଁ । ବିଜେଡି ଭଲ ଭାବରେ ଜାଣିଛି ନିର୍ବାଚନ କମିଶନ ଆଜି ନୁହେଁ ଦୁଇ ମାସ ଆଗରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଗତ ବର୍ଷ ଯେତେବେଳେ ଭୋଟର ତାଲିକା ସଂଶୋଧନ ହେଲା ସେତେବେଳେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହେବା କଥା, କିନ୍ତୁ ଏହାକୁ ସଂପ୍ରଶାରଣ କରାଯାଇ ୧.୧୦.୨୦୧୮ ଯାଏଁ କରାଗଲା । ଆସନ୍ତା ଅକ୍ଟୋବର ମାସ ଯାଏ ଭୋଟର ତାଲିକା ସଂଶୋଧନ ହୋଇସାରିଛି । ବର୍ତମାନ ଯେଉଁ ପ୍ରସ୍ତୁତି ଚାଲିଛି ଓ ନିର୍ବାଚନ କମିଶନ ଯେଉଁ ପଦକ୍ଷେପ ନେଉଛନ୍ତି ସେଥିରେ ବିଜେଡି ଆଦୌ ବିଚଳିତ ନୁହେଁ । ଆମେ ସମସ୍ତ ପ୍ରକାର ପରିସ୍ଥିତିରେ ଆଗକୁ ବଢିବାକୁ ପ୍ରସ୍ତୁତ ବୋଲି ଶ୍ରୀ ଦେବ କହିଛନ୍ତି ।
ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ନିର୍ବାଚନ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର ଥାଏ । ଏଣୁ ରାଜ୍ୟ ସରକାରଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ତେବେ ଯାଇ ନିର୍ବାଚନ ହେବ । ଆମେ ସଦାବେଳେ ପ୍ରସ୍ତୁତ ଥାଉ । ନିର୍ବାଚନ ରାଜନୀତି ଯେତେବେଳେ କରୁଛୁ ସେତେବେଳେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହୋଇ ରହିଥାଉ ବୋଲି କନକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here