ଅପହଞ୍ଚ ପର୍ଯ୍ୟଟନପୀଠ ଗୋନାସିକା

0
31

ବାଂଶପାଳ,: ପୁଣ୍ୟତୋୟା ବୈତରଣୀର ଉତ୍ପତ୍ତିସ୍ଥଳ ଗୋନାସିକା ଏବେବି ଲୋକଲୋଚନର ଆଢୁଆଳରେ । ଜୁଆଙ୍ଗ-ଭୁୟାଁ ଜନଜାତି ଅଧ୍ୟୁଷିତ ଅଞ୍ଚଳଟି ଏବେବି ସରକାରୀ କଳ ଏବଂ ବାବୁଭାୟାଙ୍କ ପ୍ରତାରଣାର ଶିକାର ହୋଇ ଆସୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଅଞ୍ଚଳକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାରେ ବିକାଶ କରିବାକୁ ଯେଉଁ ଯୋଜନା କରାଯାଇଛି ତାହାର କାର୍ଯ୍ୟକାରିତାକୁ ନେଇ ଅନେକ ଦ୍ୱନ୍ଦ ସୃଷ୍ଟି ହେଉଛି । ଗୋନାସିକା ପର୍ବତରେ ପୁରାତନ ଶୈବପୀଠ ଭିତ୍ତିଭୂମିର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ସରକାର ତଥା ବେସରକାରୀ ସେବା ସଂସ୍ଥା ଜରିଆରେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି କେବଳ ସରକାରୀ ଦଲିଲ୍ ଓ ନଥିପତ୍ରରେ ଦର୍ଶାଯାଇଛି । କିନ୍ତୁ ଅଞ୍ଚଳବାସୀ ଏହାର ସ୍ୱାଦ ଚାଖି ପାରି ନାହାଁନ୍ତି । ଏପରି କି ପର୍ଯ୍ୟଟନସ୍ଥଳୀ ଭାବେ ବାହାର ପର୍ଯ୍ୟଟକଙ୍କୁ ଆକର୍ଷିତ ହେବାର ସୁଯୋଗ ମଧ୍ୟ ସୃଷ୍ଟି ହୋଇ ପାରିନାହିଁ ।
ସୂଚନାଯୋଗ୍ୟ ଯେ, ଅଞ୍ଚଳର ଜୁଆଙ୍ଗ ଜନଜାତିଙ୍କ ବେଶଭୁସା, ନୁଖୁରା ଚେହେରା, ଦାରିଦ୍ର୍ୟତାର ନଗ୍ନ ରୂପର ଛବିକୁ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଲୋକଲୋଚନକୁ ଆଣି କିଛି ଦଲାଲ ରୂପୀ ସ୍ୱେଚ୍ଛାସେବୀ ସଂସ୍ଥା ଓ ତଥା କଥିତ ସରକାରୀ ସଂସ୍ଥା ଚତୁରତାର ସହ ସେମାନଙ୍କ ଜୀବନ ଶୈଳୀକୁ ବିଳାସମୟ କରିପାରିଛନ୍ତି । ବିଭିନ୍ନ ବେସରକାରୀ ସଂସ୍ଥା ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବିଷୟ ସରକାରୀ ଭାବେ ପ୍ରଚାର କରାଯାଉଥିଲେ ବି ଏବେବି ଅପହଞ୍ଚ ଇଲାକା ଭାବେ ପଡିରହିବା ଏବଂ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେବା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି । ଗୋନାସିକା ଠାରୁ ତାଳପଦା, କାଞ୍ଜିପାଣି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଜଙ୍ଗଲ ଲଟା, ବୁଦା ଗୁଡିକ ସଫା କରାଯାଉ ନଥିବାରୁ ବାଘ, ଭାଲୁ, ହାତୀ ଏବଂ ବିଭିନ୍ନ ଶରୀସୃପଙ୍କ ଭୟ ଲାଗି ରହିଛି । ଅଞ୍ଚଳରେ ଲାଇଫ୍ ଲାଇନ୍ କୁହାଯାଉଥିବା ୮-୧୦ କିମି ରାସ୍ତା ନିର୍ମାଣ ପାଇଁ ୧୦ ବର୍ଷ ତଳୁ ଅଞ୍ଚଳବାସୀ ପ୍ରୟାସ ଜାରି ରହିଥିଲେ ହେଁ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ । ଜିଲ୍ଲାପ୍ରଶାସନରେ ଆନ୍ତରିକତା ନଥିବା ସାଧାରଣରେ କୁହାଯାଉଥିବା ବେଳେ ନିଜେ ଶ୍ରମ କରି ଅଞ୍ଚଳବାସୀଙ୍କ ରାସ୍ତା ତିଆରି ଚେଷ୍ଟା ସଫଳ ହୋଇ ପାରୁ ନାହିଁ । ପି.ଡି.ଏସ୍. ସାମଗ୍ରୀ ପାଇଁ ଲୋକଙ୍କୁ ବିପଦଶଙ୍କୁଳ ଜଙ୍ଗଲ ମଧ୍ୟରେ ପାଦରେ ଚାଲି ଚାଲି ଦୀର୍ଘ ପଥ ଅତିକ୍ରମ କରିବାକୁ ପଡୁଛି । ପାନୀୟ ଜଳ, ଶିକ୍ଷା, ବିଜୁଳି, ସ୍ୱାସ୍ଥ୍ୟ ଆଦି ସେବା ବିପର୍ଯ୍ୟସ୍ତ ହୋଇପଡଛି । ସବୁ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜନଜାତିଙ୍କ ଉନ୍ନତି ଏବଂ ଗୋନାସିକା ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳୀର ମର୍ଯ୍ୟାଦା ଦେବା ନେଇ ଜାରି ରହିଥିବା ପ୍ରୟାସ “ବାପ ପୁଅ ରାତି ଅନିଦ୍ରା-ମୁଗୁରା ପଚ୍ଛ ମେଲା” ସଦୃଶ ହୋଇଛି । ତେବେ କାର୍ଯ୍ୟକାରିତା ଓ ସ୍ୱଚ୍ଛତା ଉପରେ ଅଙ୍କୁଶ ନଥିବାରୁ “କମ୍ପାନୀ କା ମାଲ ଦରିଆ ମେ ଡାଲ” ନୀତିରେ ହରିଲୁଟ୍ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସର୍ବନିମ୍ନ ସୁବିଧା ବିଜୁଗାଁ ଗାଡି ମଧ୍ୟ ଅଞ୍ଚଳକୁ ଆସିପାରୁ ନାହିଁ । ଏ ଅଞ୍ଚଳବାସୀ ଏଥିନିମନ୍ତେ ସରପଞ୍ଚ ଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଇ ନାହିଁ । ତେବେ ଚିନ୍ତାର କରିବା କଥା ଯେଉଁ ଜାଗାକୁ ଗମନାଗମନର ସର୍ବନିମ୍ନ ସୁବିଧା, ରାସ୍ତାଘାଟ ଏବଂ ଭିତ୍ତିଭୂମିର ବିକାଶ ହୋଇପାରି ନାହିଁ, ସେ ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳୀର ମର୍ଯ୍ୟାଦା ଦିଆଯାଇଛି ବୋଲି କହିବା ସତ୍ୟର ଅପଳାପ ନୁହେଁକି ? ବାସ୍ତବତାକୁ ଉପଲବ୍ଧି କରି ଉକ୍ତ ଅଞ୍ଚଳର ବିକାଶ ନିମନ୍ତେ ସର୍ବନିମ୍ନ ଆବଶ୍ୟକତାକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ବୁଦ୍ଧିଜୀବି ମହଲ ତଥା ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here