ସ।ଧ।ରଣ ନିର୍ବାଚନ ପୂର୍ବରୁ ନିରଞ୍ଜନଙ୍କ ପାଇଁ ଅଗ୍ନିପରୀକ୍ଷା

0
79

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିବାଦ କମିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଦେଖା ଯାଉନାହିଁ । ରାଜ୍ୟ ସ୍ତରୀୟ ନେତାଙ୍କ ଭିତରେ କନ୍ଦଳ ଯଦିଓ ପଦାକୁ ଆସିନାହିଁ ଜିଲ୍ଲା ସ୍ତରରେ ଏହା ଦେଖିବାକୁ ମିଳୁଛି । ବିଶେଷ କରି କୋରାପୁଟ ଜିଲ୍ଲା କଂଗ୍ରେସରେ ଗୋଷ୍ଠୀ ବିବାଦ ଓ ମତପାର୍ଥକ୍ୟ ଏତେ ତୀବ୍ରତର ହୋଇଛି ଯେ ଯାହା ଏବେ ପିସିସି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ଏହି ସମସ୍ୟାର ସମାଧାନ ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ର୍ୟାଲି ଓ ସଭାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଧାୟକ ଚନ୍ଦ୍ରଶେଖର ମାଝୀ ଏବଂ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କ ଅନୁପସ୍ଥିତି ଦଳ ଭିତରେ ଥିବା କନ୍ଦଳକୁ ଅଧିକ ସ୍ପଷ୍ଟ କରୁଛି । କିଛିଦିନ ପୂର୍ବରୁ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କୁ ସମ୍ବର୍ନ୍ଧନା ଦେବା ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ କୈଳାସ କୁଳେସିକା ଓ କୃଷ୍ଣଚନ୍ଦ୍ର ସଗରିଆ ଏବଂ ନୂତନ ଭାବେ ନିଯୁକ୍ତ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଏବଂ ପିସିସି କାର୍ଯ୍ୟକାରୀ ସଭାପତି ଅନୁପସ୍ଥିତ ଥିଲେ । ଏଣୁ କୋରାପୁଟ ଜିଲ୍ଲା କଂଗ୍ରେସର ବିଭାଜନ ଆଉ ଲୁଚି ରହିନାହିଁ । କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି କାର୍ଯ୍ୟକାରିଣୀ ସଭାପତି ପ୍ରଦୀପ ମାଝିଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଦୀପଙ୍କ ସହ ଦୁଇ ବିଧାୟକ କୈଳାସ କୁଳେସିକା ଓ କୃଷ୍ଣଚନ୍ଦ୍ର ସଗରିଆ ଏବ ଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ଯୋଗ ଦେଇଥିଲେ । ଏହି ସଭାରେ ଯୋଗଦେବା ପୂର୍ବରୁ ବଡ଼ ଧରଣର ର୍ୟାଲି କରାଯାଇଥିଲା । ଏକ ଖୋଲା ଜିପ୍ରେ ନେତାମାନେ ଆସିଥିଲେ । କିନ୍ତୁ କାର୍ଯ୍ୟକ୍ରମରୁ ବାହିନୀପତି ଦମ୍ପତି ଓ ବିଧାୟକ ଶ୍ରୀ ମାଝୀଙ୍କ ସମେତ ଆଉ କିଛି ନେତାଙ୍କ ଅନୁପସ୍ଥିତିରୁ ଦଳୀୟ କନ୍ଦଳ କଥା ସ୍ପଷ୍ଟ ହେଉଛି । ପୂର୍ବରୁ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଏଆଇସିସି ଏବଂ ପିସିସିକୁ ତାରାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ସଗରିଆ ଧର୍ମ ପରିବର୍ତ୍ତନ କରିବା ପାଇଁ ତାଙ୍କ ବିରୋଧରେ ମାମଲା କରିଥିବା ବ୍ୟକ୍ତିମାନଙ୍କୁ ତାରା ସମର୍ଥନ ଦେଉଥିôବା କଥା ସେ ଅଭିଯୋଗ କରିଛନ୍ତି । ତାରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ସେ ଦଳ ଓ ବିଧାୟକ ପଦ ଛାଡ଼ିବେ ବୋଲି ଧମକ ଦେଇଛନ୍ତି । ଏହି ଘଟଣାର ଯାଞ୍ଚ ପାଇଁ ପିସିସି ସଭାପତି ୩ଜଣିଆ କମିଟି ଗଠନ କରିଛନ୍ତି । ଏହି ଘଟଣାକୁ ନେଇ ତାରା ଅସନ୍ତୁଷ୍ଟ ଥିବାବେଳେ ତାଙ୍କ ପତ୍ନୀ ମିନାକ୍ଷୀଙ୍କୁ ପୁଣି ଜିଲ୍ଲା ସଭାପତି କରାଯାଇଥିବା ବେଳେ ତାଙ୍କ ବିରୋଧିଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବା ଦ୍ୱାରା ସେ ଅଧିକ କ୍ଷୁବ୍ଧ ହୋଇଛନ୍ତି । ପିସିସି ସଭାପତି ନିକଟରେ ଡାକିଥିବା ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ବୈଠକକୁ ଅସୁସ୍ଥତା ଦର୍ଶାଇ ମିନାକ୍ଷୀ ଆସିନଥିଲେ । ଏଥିରୁ ଜିଲ୍ଲା କଂଗ୍ରେସର ବିବାଦ ଯେ ଚରମ ସୀମାରେ ପହଞ୍ôଚଛି ଏହା କାହାକୁ ଅବୁଝା ନାହିଁ ।  ପିସିସି ସଭାପତି ପରିବର୍ତ୍ତନକୁ ନେଇ ଯେତେବେଳେ ଦାବି ଉଠିଥିଲା ସେତେବେଳେ ନିରଞ୍ଜନଙ୍କ ଦୃଢ଼ ସମର୍ଥକ ଭାବେ ତାରା ଛିଡ଼ା ହୋଇଥିଲେ । ସଭାପତି ଥିବା ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଞ୍ଜନକୁ ସଭାପତି କରିବା ପାଇଁ ତାରା ଖୋଲାଖୋଲି ବୟାନ ଦେଇ ବିବାଦ ଭିତରକୁ ଆସିଥିଲେ । ପ୍ରସାଦଙ୍କ ବିରୁଦ୍ଧରେ ବିଷୋଦ୍ଗାର କରିବା ସହ ସମାଲୋଚନା ମଧ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ଶୃଙ୍ଖଳା କମିଟିର ନୋଟିସ୍ ଜାରି ହୋଇଥିଲା । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ସୁପାରିଶ୍ କରାଯାଇଥିଲା । ନିରଞ୍ଜନ ସଭାପତି ହେବା ପରେ ତାରାଙ୍କ ବିରୁଦ୍ଧରେ ଏବେ ସେ କିପରି ଯିବେ କି ତାରାଙ୍କୁ କିଭଳି ଭାବେ ସୁରକ୍ଷା ଦେଇପାରିବେ ତାହା ତାଙ୍କ ପାଇଁ ବଡ଼ ପ୍ରଶ୍ନ ହୋଇଛି । ଅନ୍ୟପଟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ବିରୋଧୀମାନଙ୍କୁ ନେଇ କାର୍ଯ୍ୟ କରୁଛନ୍ତି । ଏଣୁ ନିରଞ୍ଜନଙ୍କ ପାଇଁ ଏହି ବିବାଦ ସମାଧାନ କରିବା ଅଗ୍ନିପରୀକ୍ଷା ସଦୃଶ ହୋଇଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here