ଯାଜପୁର ବିଜେଡି : ମିଶ୍ରଣ କମ ଅପମିଶ୍ରଣ ବେଶି

0
73

ଯାଜପୁର: ଜିଲାରେ ବିଜେଡି ଦଳର ନେତୃବୃନ୍ଦଙ୍କ ଦୃଢ ସାଂଗଠନିକ ଦକ୍ଷତା ଯୋଗୁ ଆଜକୁ ଦୀର୍ଘ ବର୍ଷ ହେଲା ବିଜେଡି ନିଜକୁ ଜିଲାରେ ଅପ୍ରତିଦ୍ୱନ୍ଦି ଦଳ ଭାବେ ପ୍ରତିଷ୍ଠା କରିଛି। ଦୃଢ ଦଳୀୟ ସଂଗଠନ ଯୋଗୁ ଏକଦା ଜିଲାର ତିନିଜଣ ବିଧାୟକ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାର ସୈାଭାଗ୍ୟ ଅର୍ଜନ କରିଥିଲେ। ଏବେବି ଜିଲାର ୭ ଜଣ ବିଧାୟକ / ବିଧାୟିକାଙ୍କ ସହିତ ଏକମାତ୍ର ସାଂସଦ ବିଜେଡି ଦଳ ତରଫରୁ ବିଧାନସଭା ଓ ଲୋକସଭାରେ ପ୍ରତିନିଧିତ୍ୱ କରୁଛନ୍ତି। ଏକଦା ଜିଲାର ଡ. ପ୍ରଫୁଲ୍ଲଚନ୍ଦ୍ର ଘଡାଇ, ପ୍ରମିଳା ମଲ୍ଲିକ ଓ ଦେବାଶିଷ ନାୟକ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଡ. ପ୍ରଫୁଲ୍ଲଚନ୍ଦ୍ର ଘଡାଇ ଗୁରୁତ୍ୱପୂର୍ଣ୍ଣ ଅର୍ଥବିଭାଗର ଦାୟିତ୍ୱ ନେଇ ରାଜ୍ୟର ବିଗିଡା ଅର୍ଥ ବ୍ୟବସ୍ତାକୁ ସଜାଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାର ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିଲାବେଳେ ଏହି ସବୁ ଯୋଜନା ପାଇଁ ଅର୍ଥ ବରାଦ କରିବାରେ ପ୍ରଫୁଲ୍ଲ ବିଶେଷ ପାରଦର୍ଶିତା ଦେଖାଇଥିଲେ। ଏହା ସହିତ ପ୍ରଫୁଲ୍ଲଙ୍କ ଦୀଗଦର୍ଶନରେ ଜିଲାରେ ଦଳ ନିଜ ସାଂଗଠନିକ ଦକ୍ଷତାକୁ ବେଶ ସଫଳତାର ସହିତ ପରିଚାଳିତ କରି ଦଳକୁ ମଜବୁତ କରିଥିଲା। ଏହା ପରେ ଏକଦା ସ୍ୱର୍ଗତ କଳ୍ପତରୁ ଦାସ ଦଳ ମଧ୍ୟରେ ନିଜର ପ୍ରଭାବୀ ଭୂମିକା ଲିଭାଇବା ସହିତ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ପରେ ରାଜ୍ୟସଭା ପର୍ଯ୍ୟନ୍ତ ଯିବାକୁ ସକ୍ଷମ ହୋଇଥିଲେ। ରାଜ୍ୟ ରାଜନୀତିରେ ଯାଜପୁର ଜିଲାର ପ୍ରଭାବ ସ୍ପଷ୍ଟ ଅନୁଭୂତ ହେଉଥିଲାବେଳେ ବର୍ତମାନ ଜିଲାରୁ ଅମରପ୍ରସାଦ ଶତପଥୀ ଶାସକ ଦଳ ମୁଖ୍ୟସଚେତକ ହୋଇଥିଲାବେଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବର୍ତମାନ ରାଜ୍ୟ ରାଜନୀତିର ସବୁଠାରୁ ପ୍ରବାବଶାଳି ନେତା ଭାବେ ଚର୍ଚ୍ଚାରେ ରହିଛନ୍ତି। ଗତ ପଂଚାୟତ ନିର୍ବାଚନ ସମୟରେ ଜିଲାରେ ବିଜେପିର ପ୍ରଭାବ ଅନୁଭୁତ ହୋଇଥିଲା। ଦଳ ୬ଟି ଜିଲା ପରିଷଦ ଜୋନ ଜିତିବା ସହିତ ପରମୁହୁର୍ତରେ ବରୀ ଓ କୋରେଇ ପଂଚାୟତ ସମିତିକୁ ନିଜ ଦଖଲକୁ ନେଇ ଚର୍ଚ୍ଚା ସୃଷ୍ଟି କରିଥିଲା। ଦଳର ପ୍ରଭାବି ପ୍ରଚାର ପ୍ରସାରରେ ବହୁ କର୍ମୀ ମଧ୍ୟ ବିଜେପି ମୁହାଁ ହୋଇ ପଡିଥିଲେ। ଯାହା ଏକ ସମୟରେ ଜିଲାରେ ବିଜେଡିର ଗଡକୁ ଦୋହଲାଇ ଦେବାର ଆଶଂକା ସୃଷ୍ଟି କରିଥିଲା। ସମୟ କ୍ରମେ ବିଜେଡପି ବିଭିନ୍ନ କାରଣରୁ ନିଜ ଦଳର ସ୍ଥିତିକୁ ଜିଲାରେ ବଜାୟ ରଖିବାରେ ଅସଫଳ ହୋଇଥିଲା। ଦଳ ମଧ୍ୟରେ ଗୋଷ୍ଠି ବିବାଦ ଦଳ ପତନରେ ପ୍ରମୁଖ କାରଣ ବୋଲି ଆଲୋଚନା ହେଉଥିଲାବେଳେ ସୂଯୋଗ ଦେଖି ବିଜେଡି ବିଜେପିକୁ ଆକ୍ରମଣ କରିବା ଓ ଜନମତକୁ ବିଜେଡି ଆଡକୁ ଟାଣିବା ଏହାର ପ୍ରମୁଖ କାରଣ ବୋଲି ଆଲୋଚନା ହୁଏ। ଫଳରେ ବର୍ତମାନ ବହୁ ନେତା ଓ କର୍ମୀ ପୁନର୍ବାର ବିଜେପିରୁ ମୁହଁ ଫେରାଇ ବିଜେଡି ମୁହାଁ ହୋଇଛନ୍ତି। କିଛି ବିଜେଡି ନେତା ମଧ୍ୟ ବିଜେପି ଓ କଂଗ୍ରେସ ଦଳର ନାମକରା ନେତାଙ୍କୁ ଦଳ ଛାଡି ବିଜେଡିରେ ସାମିଲ କରିବାକୁ ବିଶେଷ ଉଦ୍ୟମ କରୁଛନ୍ତି। ଏହି କ୍ରମରେ କିଛି ନେତା ବିଜେପି ଛାଡି ବିଜେଡି ଶିବିରରେ ସାମିଲ ହୋଇଥିଲା ବେଳେ କିଛି ନେତା ଆଗାମି ଦିନରେ ଦଳ ଛାଡି ବିଜେଡିରେ ସାମିଲ ହେବାକୁ ସଜବାଜ ହେଉଥିବା ଜାଣିବାକୁ ମିଳିଛି। ଏହା ଦ୍ୱାରା ଜିଲାରେ ବିଜେଡିର ଶକ୍ତିବୃଦ୍ଧି ହେବ ବୋଲି ବିଜେଡି ନେତାମାନେ ଆକଳନ କରିଥିଲାବେଳେ ଏହା ଦ୍ୱାରା ବିଜେଡି ଦଳର ସନ୍ତୁଳନ ବିଗିଡି ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ବିଗତ ଦିନରେ ବିଜେଡି ଦଳର କିଛି ନେତାଙ୍କ ସହିତ ମନ ନମିଶିବାରୁ ଏହି ନେତାମାନେ ଦଳ ଛାଡିଥିଲାବେଳେ ସେମାନଙ୍କ ଆଗମନପରେ ସେହି ନେତାମାନେ ଆଗନ୍ତୁକ ନେତା ମାନଙ୍କୁ କିଭଳି ଗ୍ରହଣ କରିବେ ତାହା ବଡପ୍ରଶ୍ନ ହୋଇ ଛିଡା ହୋଇଛି। ଅନ୍ୟ ପକ୍ଷରେ ବିଗତ ଦିନରେ ଅନ୍ୟଦଳର ଯେଉଁ ନେତାମାନେ ବିଜେଡି ଦଳ, ଦଳର ନେତା ଓ ତାଙ୍କ କାର୍ଯ୍ୟଶୈଳିକୁ ଆକ୍ଷେପ କରୁଥିଲେ ସେମାନେ ବିଜେଡିକୁ ଆସିଲେ ସେମାନଙ୍କୁ କର୍ମୀ କିଭଳି ଗ୍ରହଣ କରିବେ ଏହା ମଧ୍ୟ ଏକ ବଡପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here