ଫିଫା ବିଶ୍ୱକପ୍ର ବର୍ଣ୍ଣାଢ଼୍ୟ ଆରମ୍ଭ

0
55

ମସ୍କୋ, ୧୪ା୬: ଲୁଜନିକୀ ଷ୍ଟାଡିୟମ୍ରେ ରଙ୍ଗାରଙ୍ଗ ପ୍ରସ୍ତୁତି ସହ ଉଦ୍ଘାଟିତ ହୋଇଛି ‘ପାଦର ଯାଦୁକର’ଙ୍କ ଖେଳ ୨୦୧୮ ଫିଫା ବିଶ୍ୱକପ୍୍ । ଉଦ୍ଘାଟନୀ ମୁକାବିଲାରେ ଆୟୋଜକ ରୁଷିଆ ୫-୦ରେ ସାଉଦୀ ଆରବକୁ ହରାଇ ଦମ୍ଦାର ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ୨୧ତମ ସଂସ୍କରଣରେ ୩୨ଟି ଦଳ ମଧ୍ୟରେ ମୁକୁଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ୧୧ଟି ସହରର ୧୨ଟି ଷ୍ଟାଡିୟମ୍ରେ ମୋଟ ୬୪ଟି ମ୍ୟାଚ୍ ଖେଳାଯିବ । ପ୍ରତିଯୋଗିତା ଜୁଲାଇ ୧୫ ଯାଏ ଚାଲିବ । ଉଦ୍ଘାଟନୀ ସମାରୋହର ପ୍ରାରମ୍ଭରେ ସର୍ବପ୍ରଥମେ ସ୍ପେନ୍ର ପୂର୍ବତନ ଅଧିନାୟକ ତଥା ଗୋଲ୍ରକ୍ଷକ ଇକର୍ କାସିଲାସ୍ ଓ ମଡେଲ୍ ନତାଲିଆ ଭୋଡିୟାନୋଭା ବିଶ୍ୱକପ୍ ଟ୍ରଫିକୁ ନେଇ ପଡ଼ିଆକୁ ଆସିଥିଲେ । ଏହାର କିଛି ସମୟ ପରେ ବ୍ରାଜିଲ୍ର ଖ୍ୟାତନାମା ଫୁଟ୍ବଲର୍ ରୋନାଲ୍ଡୋଙ୍କ ପ୍ରବେଶ ହୋଇଥିଲା ବିପୁଳ କରତାଳି ମଧ୍ୟରେ । ସେ ବଲ୍କୁ ମାସ୍କଟ୍ ଆଡ଼କୁ ପାସ୍ ଦେଇଥିଲେ, ଯାହାକୁ ତାଙ୍କ ସହିତ ଆସିଥିବା ଜଣେ ଶିଶୁ କିକ୍ ଲଗାଇ ବଲ୍ ପିଚ୍ (ପାରମ୍ପରିକ ପଦ୍ଧତିରେ କାର୍ଯ୍ୟକ୍ରମର ଆରମ୍ଭ) କରିଥିଲେ । ବ୍ରିଟିଶ୍ ଗାୟକ ରବି ୱିଲିଅମ୍ସ ‘ଆୟ ନୋ’ ଗୀତ ଗାଇ ସମାରୋହର ଶୁଭାରମ୍ଭ କରିଥିଲେ । ଏହାପରେ ରୁଷିଆର ଗାୟିକା ଏଡ୍ଡା ଗାରିଫୁଲିନା ନିଜ ପ୍ରସ୍ତୁତି ପେସ୍ କରିଥିଲେ । ଏହାପରେ ଉଭୟ ଗାୟିକା ମିଶି ଷ୍ଟାଡିୟମ୍ରେ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ରବି ‘ଲେଟ୍ ମି ଏଣ୍ଟରଟେନ୍ ୟୁ’, ‘ଫିଲ୍’, ‘ବାର୍ଡ-କାଇଟ୍ସ’ ଆଦି ନିଜ ହିଟ୍ ଗୀତ ଗୀତ ଜରିଆରେ ବିମୋହିତ କରିଥିଲେ ଦର୍ଶକଙ୍କୁ । ଗାୟିକାଙ୍କ ପ୍ରସ୍ତୁତି ସମୟରେ ଫୁଟ୍ବଲ୍ ଭଳି ଦିଶୁଥିବା ମଞ୍ଚ ସଜାଯାଇଥିଲା ।ଷ୍ଟାଡିୟମ୍ରେ ଉପସ୍ଥିତ ୮୦ ହଜାର ଫୁଟ୍ବଲ୍ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ଉଭୟ ଗାୟକଙ୍କ ପ୍ରସ୍ତୁତି ସମୟରେ ୩୨ କଳାକାର ଯୋଡ଼ି ବିଶ୍ୱକପ୍ରେ ଭାଗ ନେଉଥିବା ସମସ୍ତ ଦେଶର ପୋଷାକ ପିନ୍ଧି ପତାକା ଧରି ମାର୍ଚ୍ଚିଂ କରିଥିଲେ । ଉଭୟ ଗାୟକଙ୍କ ପ୍ରସ୍ତୁତି ଶେଷ ହେବାପରେ ମ୍ୟାଚ୍ର ଅଫିସିଆଲ୍ ବଲ୍କୁ ନେଇ ଆସିଥିଲେ ମଡେଲ୍ ଭିକ୍ଟୋରିଆ ଲୋପରେୟା । ରୋନାଲ୍ଡୋ ଏହାପରେ ସମାରୋହ ସମୟରେ ଉପସ୍ଥିତ ପିଲାମାନଙ୍କୁ ଭେଟିଥିଲେ ଏବଂ ଏହି ବିଶ୍ୱକପ୍ର ମାସ୍କଟ୍ ଜାବିଭାକାଙ୍କ ସହ ମିଶି କିଛି ସମୟ ଫୁଟ୍ବଲ୍ ଖେଳିଥିଲେ । ଉଦ୍ଘାଟନୀ ସମାରୋହରେ ଆର୍ମେନିଆ, ଅଜରବୈଜାନ୍, ବେଲାରୁଷ୍, ବଲିଭିଆ, ଉତ୍ତର କୋରିଆ, କାଜାଖସ୍ତାନ, କିର୍ଗିସ୍ତାନ, ଲେବାନନ୍, ମାଲଡୋଭା, ପାରାଗୁଏ, ପାନାମା, ସାଉଦୀ ଆରବ ଭଳି ରାଷ୍ଟ୍ର ନିଜ ପ୍ରତିନିଧି ପଠାଇଥିଲେ । ଉଦ୍ଘାଟନୀ ସମାରୋହ ଶେଷ ହେବାପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଅଭିଭାଷଣ ଦେଇଥିଲେ । ଏହାପରେ ଫିଫା ଅଧ୍ୟକ୍ଷ ଜିଆନି ଇନ୍ଫାଣ୍ଟିନୋ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇବା ସହ ବିଶ୍ୱକପ୍ର ସଫଳ ଆୟୋଜନ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here